କଂଗ୍ରେସ ହେଉଛି ଭାରତର ପ୍ରମୁଖ ଜାତୀୟ ରାଜନୈତୀକ ଦଳ। ଅନେକ ସମୟରେ ଗାନ୍ଧୀ ପରିବାରର ସଦସ୍ୟ ଏହାର ଅଧ୍ୟକ୍ଷ ଆସନରେ ବସୁଥିବା ବେଳେ କେବେକେବେ ଏ ପଦବୀ ପାଇଁ ନିର୍ବାଚନ ମଧ୍ୟ ହୋଇଛି। ତିନି ଦଶନ୍ଧିର ରେକର୍ଡକୁ ଆଲୋଚନା କଲେ ଜଣାଯାଏ ଯେ କଂଗ୍ରେସ ଅଧ୍ୟକ୍ଷତା କ୍ଷେତ୍ରରେ ଦୁଇଥର ନିର୍ବାଚନ ହୋଇଛି। ୧୯୯୭ରେ ପ୍ରଥମଥର ପାଇଁ କଂଗ୍ରେସ ଅଧ୍ୟକ୍ଷ ପଦପାଇଁ ଏକାଧିକ ବ୍ୟକ୍ତି ନାମାଙ୍କନ କରିବାରୁ ନିର୍ବାଚନ ହୋଇଥିଲା। ତିନି ପ୍ରତିଦ୍ୱନ୍ଦୀ ମଧ୍ୟ ଅଣଗାନ୍ଧୀ ଥିଲେ। ସେ ସମୟରେ ଶୀତାରାମ କେଶରୀ,ଶରଦ ପାୱାର ଓ ରାଜେଶ ପାଇଲଟ୍ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ କରିଥିଲେ। ଶୀତାରାମ କେଶରୀଙ୍କୁ ୬୨୨୪ ଭୋଟ୍ ମିଳିଥିଲା ବେଳେ ଶରଦ ପାୱାରଙ୍କୁ ୮୮୨ଓ ରାଜେଶ ପାଇଲଟଙ୍କୁ୩୫୪ ଭୋଟ୍ ମିଳିଥିଲା। କଂଗ୍ରେସର ଅଧ୍ୟକ୍ଷ ହୋଇଥିଲେ ଶୀତାରାମ କେଶରୀ। ପୁନଶ୍ଚ ତିନିବର୍ଷ ବ୍ୟବଧାନରେ କଂଗ୍ରେସ ଅଧ୍ୟକ୍ଷ ପାଇଁ ନିର୍ବାଚନ ହୋଇଥିଲା। ଗାନ୍ଧୀ ପରିବାରରୁ ସୋନିଆ ଗାନ୍ଧୀ ପ୍ରାର୍ଥି ହୋଇଥିଲା ବେଳେ ପ୍ରତିଦ୍ୱନ୍ଦିତା କରିଥିଲେ ଜିତେନ୍ଦ୍ର ପ୍ରସାଦ। ସୋନିଆଙ୍କୁ୬୨୨୪ଭୋଟ୍ ମିଳିଥିଲା ବେଳେ ଜିତେନ୍ଦ୍ର ମାତ୍ର୯୪ ଖଣ୍ଡ ଭୋଟ୍ ପାଇ ପରାଜିତ ହୋଇଥିଲେ। ଦୀର୍ଘବର୍ଷ ଧରି ସୋନିଆ ଅଧ୍ୟକ୍ଷ ପଦରେ ରହିବା ପରେ ଏବେ ଅଧ୍ୟକ୍ଷ ରେସରୁ ଗାନ୍ଧୀ ପରିବାର ଓହରି ଯାଇଛନ୍ତି। ଶଶୀ ଥରୁର,କେ.ଏନ୍ ତ୍ରୀପାଠୀ ଓ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ମଧ୍ୟରେ ଅଧ୍ୟକ୍ଷ ପଦକୁ ନେଇ ମହାଲଢ଼େଇ ହେବ। କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନକୁ ନେଇ କ’ଣ ପ୍ରକ୍ରିୟା ରହିଛି ଆସନ୍ତୁ ସେ ସମ୍ପର୍କରେ ଜାଣିବା।

ସୋନିଆ ଗାନ୍ଧୀ,ଜିତେନ୍ଦ୍ର ପ୍ରସାଦ

  କ’ଣ କହୁଛି କଂଗ୍ରେସର ସମ୍ବିଧାନ
ଭାରତର ନ୍ୟାୟିକ ବ୍ୟବସ୍ଥାରେ ନୀତି ନୀୟମର ନିର୍ଦ୍ଧାରକ ଭାବେ ଆଇନ ସଂହିତା ବା ସମ୍ବିଧାନ ରହିବା ଭଳି କଂଗ୍ରେସର ମଧ୍ୟ ଏକ ସମ୍ବିଧାନ ରହିଛି। କଂଗ୍ରେସର ପ୍ରତିଟି ନିଷ୍ପତ୍ତି ପଛରେ ଏହି ଆଇନ ବା ସମ୍ବିଧାନର ଅନୁପାଳନ କରାଯାଏ। ଅଧ୍ୟକ୍ଷ ନିର୍ବାଚନକୁ ନେଇ ମଧ୍ୟ କଂଗ୍ରେସର ସମ୍ବିଧାନରେ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି। Congress Working Committee (CWC) ଏନେଇ ନିଷ୍ପତ୍ତି ନେଇଥାଏ। ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟା ବ୍ଲକ୍ ସ୍ତରରୁ ହିଁ ଆରମ୍ଭ ହୋଇଥାଏ। ବ୍ଲକ୍ କଂଗ୍ରେସ କମିଟି ହିଁ ପ୍ରଦେଶ କଂଗ୍ରେସ କମିଟି PCCକୁ ସଦସ୍ୟ ନିର୍ବାଚିତ କରି ପଠାଇଥାଏ। ସେଇଠୁ ହିଁ AICC ଡେଲିଗେଟ୍ ନିର୍ବାଚିତ ହୁଅନ୍ତି। ଯେଉଁମାନେ ଭୋଟ୍ ଦେଇଥାଆନ୍ତି।

କିଭଳି ହୁଏ ଅଧ୍ୟକ୍ଷ ନିର୍ବାଚନ
କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଅନେକ ପର୍ଯ୍ୟାୟ ଓ ପ୍ରକ୍ରିୟା ରହିଛି।କଂଗ୍ରେସ ସମ୍ବିଧାନର ଧାରା xviiiରେ ଏ ନେଇ ବିସ୍ତୃତ ବର୍ଣ୍ଣନା ରହିଛି। ଆଇନ୍ ଅନୁଯାୟୀ ପ୍ରତେକ ପ୍ରାର୍ଥିଙ୍କ ପାଇଁ ୧୦ଜଣ ପ୍ରସ୍ତାବକ ପ୍ରସ୍ତାବ ଦେଲେ ହିଁ ନାମାଙ୍କନ ହୋଇଥାଏ। ନାମାଙ୍କନ ପରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ପ୍ରାର୍ଥିଙ୍କୁ ୭ ଦିନର ସମୟ ଦିଆଯାଇଥାଏ। ୭ ଦିନ ଭିତରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ନହେଲେ ବାଲଟରେ ପ୍ରାର୍ଥୀଙ୍କ ନାଁ ଆସିଥାଏ ଓ ସେ ପ୍ରତିଦ୍ୱନ୍ଦିତା କରିଥାଆନ୍ତି। ଏହାପରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୁଏ ।ରାଜ୍ୟର ପ୍ରଦେଶ କଂଗ୍ରେସ କମିଟି ବା PCC ଅଫିସରେ ହିଁ AICC ଡେଲିଗେଟ୍ ମାନେ ଭୋଟ୍ ଦେଇଥାଆନ୍ତି। ବିଭିନ୍ନ ରାଜ୍ୟରୁ ଆସିଥିବା ଭୋଟ ସମେତ ଜାତୀୟ ସ୍ତରର ଭୋଟ୍ ଗଣତି କରାଯାଏ। ସଂଖ୍ୟା ଗରିଷ୍ଠତା ରେସରେ ଯିଏ ଆଗରେ ରହେ ତାଙ୍କୁ ହିଁ କଂଗ୍ରେସର ଅଧ୍ୟକ୍ଷ ପଦ ମିଳିଥାଏ। ଅନେକ ବର୍ଷ ପରେ କଂଗ୍ରେସରେ ଜଣେ ଅଣଗାନ୍ଧୀ ଅଧ୍ୟକ୍ଷ ପଦ ସମ୍ଭାଳିବାକୁ ଯାଉଛନ୍ତି। ଅଧ୍ୟକ୍ଷ ପଦର ଏହି ତ୍ରୀକୋଣୀୟ ଲଡ଼େଇରେ କିଏ ବାଜିମାତ୍ କରୁଛି ଏବେ ତାକୁ ହିଁ ଅପେକ୍ଷା।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା