ନୂଆଁଣିଆ ଚାଳ ଘରେ ନଇଁ ନଥିବା ମୁଣ୍ଡ,ଝାଟିମାଟି ଘରେ ରହି ଗଢିଥିବା ଶିକ୍ଷାନୁଷ୍ଠାନର ସ୍ୱପ୍ନ ଭାଟି,ଲୁଣିଆ ଗାମୁଛାରେ ଅନେକ ଛାତ୍ରଛାତ୍ରୀଙ୍କ ଅଦେଖା ଲୁହ ପୋଛି ଦେଇଥିବା ଯୋଡ଼ାଏ ପାପୁଲି,ସେଦିନର ସେତୁ ବନ୍ଧର ଗୁଣ୍ଡୁଚିମୁଷା ପରି ସହଯୋଗର ବାଲି ଝାଡିଦେଇଥିବା ସଂକଳ୍ପ ବଦ୍ଧ ବିନ୍ଧାଣୀ ,ଓଦା ଆଖିରେ ଭାସି ଯାଇ ନଥିବା ସ୍ୱପ୍ନ ଦେଖି ନିଜେ ଗରୀବିପଣ ସହ ଲଢିବି ଗୋଟାଏ ଅନୁଷ୍ଠାନର ମୂଳଦୁଆ ପକାଇବା। ନିଜେ ଚାଳ ଘରେ ରହି ଶିକ୍ଷାର ମହଲ ଗଢିଥିବା ଶିଳ୍ପୀ,ଏବଂ ଶେଷରେ ଗୋଟାଏ ଦରଦୀ ରିକ୍ସା ଚାଳକ ଆଖିରେ ଶିକ୍ଷାନୁନାଷ୍ଠନର ନକ୍ସା,ଏ ସବୁ କୋଉ କାହାଣୀ କି କଳ୍ପନା ନୁହେଁ ବରଂ ନିଚ୍ଛକ ବାସ୍ତବତା। ଛଳଛଳ ଆଖିରେ ବହଳେ ସତକଥା।
ଅନେକ ସମୟରେ ଇସ୍ତ୍ରୀ ଲଗା ସାର୍ଟ ତଳେ ନୋଟର ଗାନ୍ଧୀ ମୁଣ୍ଡ ଅଣ ନିଶ୍ୱାଷୀ ହୁଅନ୍ତି ମାତ୍ର ଗରୀବର କୁମ୍ପି ଭଙ୍ଗା ଟଙ୍କା ସାହାଯ୍ୟର ସେତୁ ତିଆରି କରେ। ସେତୁବନ୍ଧ ତିଆରରେ ଗୁଣ୍ଡୁଚି ମୁଷାର ଭୂମିକା କଥା ଆମେ ସମସ୍ତେ ଜାଣୁ ମାତ୍ର ସେହିଭଳି ବ୍ୟକ୍ତିତ୍ୱର ଉଦାହରଣ ହେଉଛନ୍ତି କୋଇଡା ଗାଁର ଭୀମସେନ ସାମଲ। ସମସ୍ତଙ୍କ ପ୍ରିୟ ମାମା। ଯାହାଙ୍କ ଅବଦାନରେ ତିଆରି ହୋଇଛି କୋଇଡ଼ା କଲେଜର ନକ୍ସା। ୧୯୯୧ ମସିହା ସୁଦ୍ଧା କୋଇଡ଼ାରେ କୌଣଷି କଲେଜ ନଥିଲା। ଦଶମ ଶ୍ରେଣୀରେ ସିମିତ ରହୁଥିଲା ଶିକ୍ଷାଗତ ଯୋଗ୍ୟତା। ଉଚ୍ଚ ଶିକ୍ଷା ପାଇଁ ଆଗ୍ରହୀ ଅନେକ ପିଲାଙ୍କୁ ତାଙ୍କ ସ୍ୱପ୍ନରେ ଡ଼ୋରୀ ବାନ୍ଧିବାକୁ ପଡୁଥିଲା। ଗୋଟାଏ ପ୍ରକାର କହିବାକୁ ଗଲେ ଶିକ୍ଷାର ଭବିଷ୍ୟତ ସେଠାରେ ଅନ୍ଧାର ହୋଇ ରହିଥିଲା।
କୋଇଡ଼ା ଥାନାରେ ଥିବା ଏ.ଏସ୍.ଆଇ ବିଜୟ କୁମାର ଖଣ୍ଡା ଏ ବିଷୟରେ ଚିନ୍ତା କରି ଗୋଟେ ମିଟିଂ ଡାକିଲେ। ଉଦ୍ଦେଶ୍ୟ ଥିଲା କୋଇଡାରେ ଏକ କଲେଜ ତିଆରି କରିବା। କୋଇଡା ହାଟରେ ମିଟିଂ ଚାଲିଥାଏ। ସେଇଠି କିଛି ସମୟ ପାଇଁ ଅଟକିଥିଲା ମାମାଙ୍କ ରିକ୍ସା। ମିଟିଂର ଉଦ୍ଦେଶ୍ୟ ଶୁଣି ସାରି ତରବର ହୋଇ ଘରକୁ ଗଲେ। ନିଜର ସବୁ ସଞ୍ଚୟକୁ ଜାବୁଡି ଧରି ମିଟିଂରେ ପୁଣି ହାଜର ହେଲେ ମାମା। କଲେଜର ପ୍ରସ୍ତାବକୁ ଯେ କେବଳ ସେ ସମର୍ଥନ କଲେ ତାହା ନୁହେଁ ନିଜ କୁମ୍ପି ଭାଙ୍ଗି ସଞ୍ଚିତ ଟଙ୍କାରେ ପିଲାଙ୍କ ଶିକ୍ଷାର ମହଲ ତୋଳିବାକୁ ନେଇଗଲେ ଚରମ ନିଷ୍ପତ୍ତି। ସେଦିନ ମିଟିଂରେ ଆଲୋଚନା ଚାଲିଥିଲା ବେଳେ ପ୍ରଥମ ଅନୁଦାନର ଚିଠାରେ ମାମାଙ୍କ ନାଁ ସବୁଠୁ ଆଗରେ ଲେଖାଗଲା। ଏ ମୋ ଜୀବନର ସଞ୍ଚୟ,ଆମ ଛୁଆ ପାଠ ନ ଛାଡନ୍ତୁ କି ବାହାରକୁ ନ ଯାଆନ୍ତୁ।ଏତିକି କହି ସେ ସିନା ତାଙ୍କ କଥା ସାରିଦେଲେ କିନ୍ତୁ ବଡବଡିଆଙ୍କ ମୁଣ୍ଡ ବି ତାଙ୍କ ଆଗରେ ତଳକୁ ନଇଁ ଯାଇଥିଲା।ସେଇଠୁ ଆରମ୍ଭ ହୋଇଥିଲା କୋଇଡ଼ା କଲେଜର କଥା।
ୟା ଭିତରେ ସେ ଘଟଣାକୁ ୩୨ ବର୍ଷ ବିତିଗଲାଣି।ତଥାପି ଅତୀତର ଚାଦର ସେ ଘଟଣାକୁ ଘୋଡାଇ ପାରିନି। କୋଇଡା କଲେଜ୍ ଏବେ ଢେର୍ ଆଗକୁ ଗଲାଣି। ସରକାରୀ ମାନ୍ୟତା ବି ପାଇ ସାରିଲାଣି। ଏବେ ଆଉ କୋଇଡା ବାସୀଙ୍କ ପାଇଁ ଦୁରତାର ଚିନ୍ତା କି କଲେଜର ଅଭାବ ନାହିଁ। ଏ କଲେଜ କେତେ ପିଲାଙ୍କ ଜୀବନ ସଜାଡିଛି ତାର ହିସାବ ନାହିଁ।ସେଦିନ କୁମ୍ପି ଭାଙ୍ଗି ପିଲାଙ୍କ ସ୍ୱପ୍ନ ସଜାଡିଥିବା ମାମା କିନ୍ତୁ ସେ ଅଞ୍ଚଳକୁ ବେହିସାବ ଭଲ ପାଇବା ଦେଇଛନ୍ତି। ସେ ଅଞ୍ଚଳରେ ଶିକ୍ଷାର ରଥ ଗଡାଇଥିବା ଭୀମସେନ ସାମଲ ଅର୍ଥାତ୍ ମାମା ଯେ କେବଳ ସମସ୍ତଙ୍କର ପ୍ରିୟ ତାହା ନୁହେଁ ବରଂ ଏ ପୀଢି ପାଇଁ ଗୋଟେ ପ୍ରେରଣା। ତାଙ୍କର ଏ ମହାନତାକୁ ଅନେକ ମହଲରୁ ପ୍ରଶଂସା କରାଯାଉଛି।କୋଇଡା ବାସୀ କିଛି ମନେ ରଖନ୍ତୁ କି ନ ରଖନ୍ତୁ ରିକ୍ସା ଚାଳକ ମାମାଙ୍କୁ କିନ୍ତୁ କେବେ ବି ଭୁଲିବା ସମ୍ଭବ ନୁହେଁ।
ଏ ଷ୍ଟୋରୀ ଲେଖିଛନ୍ତି:ରଶ୍ମିତା ବେହେରା