୧୯୭୮ରେ ବାଲ୍ୟବିବାହ କ୍ଷେତ୍ରରେ ରୋକ୍ ଲଗେଇବାକୁ ଆଇନରେ ଆସିଥିଲା ସଂସ୍କାର। ବାହାଘର ପାଇଁ ପୁଅର ସର୍ବନିମ୍ନ ବୟସ ୧୮ରୁ ୨୧କୁ ବୃଦ୍ଧି କରାଯାଇଥିଲା ବେଳେ ଝିଅର ସର୍ବନିମ୍ନ ବୟସ ୧୪ରୁ ୧୮କୁ ବୃଦ୍ଧି କରାଯାଇଥିଲା। ୨୦୦୬ରେ ମଧ୍ୟ ଆଇନ ସେହି ସମାନ କଥା ଦୋହରାଇ ବାଲ୍ୟ ବିବାହ ରୋକିବାକୁ ପ୍ରୟାସ କରିଛି। ବିଭିନ୍ନ ସଚେତନତା ମୂଳକକାର୍ଯ୍ୟ ମାଧ୍ୟମରେ ଲୋକଙ୍କୁ ଅବଗତ କରାଯାଉଛି। ମାତ୍ର ଏତେ ସବୁ ପରେ ବି ଭାରତରେ ବାଲ୍ୟ ବିବାହ ପ୍ରଥାରେ ଡ଼ୋରୀ ବନ୍ଧା ହୋଇନି। ଏ କ୍ଷେତ୍ରରେ ଭାରତର ଜାତୀୟ ହାର ୨୩.୩ ପ୍ରତିଶତ ଥିଲା ବେଳେ ଓଡ଼ିଶାର କିଛି ଜିଲ୍ଳା ଜାତୀୟ ହାରଠୁ ଉର୍ଦ୍ଧ୍ୱରେ ଅଛନ୍ତି।
ନବରଙ୍ଗପୁରରେ ବାଲ୍ୟବିବାହର ହାର ୩୯.୪ ପ୍ରତିଶତ ରହିଥିଲା ବେଳେ ନୟାଗଡ଼ରେ ରହିଛି ୩୫.୩ ପ୍ରତିଶତ। ସେହିପରି କୋରାପୁଟରେ ୩୫.୫,ରାୟଗଡ଼ାରେ ୩୩.୨,ମାଲକାନଗିରିରେ ୩୨.୪,ମୟୂରଭଞ୍ଜରେ ୩୧.୩,ଏବଂ କେନ୍ଦୁଝରରେ ୨୯ ପ୍ରତିଶତରେ ପହଞ୍ଚିଛି ବାଲ୍ୟବିବାହର ହାର। ସବୁଠୁ ବଡ଼ କଥା ହେଉଛି ଓଡ଼ିଶାର ଏକ ଶିକ୍ଷିତ ତଥା ଅଗ୍ରଣୀ ଜିଲ୍ଲା ଜଗତସିଂହପୁରରେ ଦିନକୁ ଦିନ ବାଲ୍ୟ ବିବାହ ଓ କୁମାରୀ ମାତୃତ୍ୱ ହାର ବଢିବାରେ ଲାଗିଛି। National Family Survey ରିପୋର୍ଟ କହୁଛି ୨୦୧୫ ରେ ବାଲ୍ୟ ବିବାହ ୯ ପ୍ରତିଶତ ଥିଲାବେଳେ ୨୦୨୦-୨୧ ରେ ଏହା ୧୨ ପ୍ରତିଶତରେ ପହଞ୍ଚିଛି।
୧୫ ରୁ ୧୯ ବର୍ଷର ଅନେକ ଝିଅ ମା ହୋଇଛନ୍ତି। ୧୯ ବର୍ଷରୁ ସାନ ଥିବା ୧୯୬ ଜଣ ଝିଅ ମାତୃତ୍ୱ ଲାଭ କରିଛନ୍ତି। ବାଲ୍ୟ ବିବାହ ଓ କୁମାରୀ ମାତୃତ୍ୱ ହେତୁ ଅନେକଙ୍କ ଜୀବନ ସଙ୍କଟ ଦେଇ ଗତି କରୁଛି। କଡ଼ା ଆଇନ ଏବଂ ସଚେତନତା ସତ୍ତ୍ୱେ ବନ୍ଦ ହୋଇ ପାରିନି ବାଲ୍ୟ ବିବାହର ପ୍ରଥା। ସରକାର ଏ ଦିଗରେ ଅଧିକ ଯତ୍ନଶୀଳ ହେବା ସହ ବ୍ୟାପକ ସଚେତନତା ହେଲେ ହିଁ ହୁଏତ ଏଥିରୁ ମୁକ୍ତି ମିଳିପାରେ।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା