କଳାମେଘ ଦେଖି ଆଉ ନାଚୁନି ମୟୂର…

କଳାମେଘ ଦେଖି ଆଉ ନାଚୁନି ମୟୂର,ଆକାଶେ ପଡ଼ୁଛି ଖୋଜା ଭସା ବାଦଲର।ଯେଉଁ କଳାମେଘ ଦେଖି ଦିନେ ମୟୂର ନାଚି ଉଠୁଥିଲା ସେ ଆଜି ଲଜ୍ଜିତ। କାରଣ ମେଘ ଆଗମନ ସୂଚନାରେ ସେ ନାଚି ଉଠେ ସତ। ମାତ୍ର ତା ଅନୁମାନକୁ ଭୁଲ୍ କରି, ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି କିଛି ସମୟ ମଧ୍ୟରେ ଉଭେଇ ଯାଉଛି ମେଘଖଣ୍ଡ। ଆଉ ହଁ, ଆକାଶରେ ଉଡ଼ୁଥିବା ଅଜସ୍ର ଝରଝରୀ ଆଉ ରାତିରେ ଦପଦପ କରୁଥିବା ସେ ଜୁଳୁଜୁଳିଆ ବି ଏବେ ଯେମିତି ମୁହଁ ଲୁଚାଉଛି। ଯେଉଁ ମେଘ ମଦୂର ଆକାଶକୁ ଦେଖି ଚାଷୀ ତା କ୍ଷେତକୁ ସବୁଜ ଶାଢି ପିନ୍ଧାଇବା କଥା ଭାବିବସେ ତାକୁ ନେଇ ଏବେ ଅନେକ ପ୍ରଶ୍ନବାଚୀ। ଗ୍ରୀଷ୍ମ ଋତୁ ଆସିଲେ ପାଣି ପାଇଁ ହନ୍ତସତ ଅନେକ ପରିବାର।କୂଅଠୁ ନଦୀ ସୁଅ ଯାଏଁ ସବୁଠି ଜଳର ମରୁଡ଼ି। ନଇ ନାଳର ଜଳ ସବୁ ଯେମିତି ନୀରବରେ ଉଭେଇ ଯାଉଛନ୍ତି।

ବୁନ୍ଦାଏ ପାଣି ,ସମସ୍ୟାର ସିନ୍ଧୁଏ କାହାଣୀ
ବୁନ୍ଦାଏ ପାଣି ପାଇଁ ଏଠି ସମସ୍ୟାର ସିନ୍ଧୁଏ କାହାଣୀ। ଜଳ ପାଇଁ ଡହଳବିକଳ ଅନେକ ପରିବାର। ଜଳର ଅଭାବରେ ଏଠି ମୃତ୍ୟୁର ସଙ୍କେତ। ଜଳ କେବଳ ଜୀବନ ନୁହେଁ ବରଂ ସଂସ୍କୃତି, ସଭ୍ୟତା ଏବଂ ପରମ୍ପରାର ମୂଳରେ ବି ରହିଛି। ଆଜିବି ଶୀତଳଶଷ୍ଠୀ,ସ୍ନାନ ପୂର୍ଣ୍ଣିମା,ବେଙ୍ଗ ବିବାହ,ବାରୁଣୀ ସ୍ନାନ,ଇନ୍ଦ୍ର ପୁଜା,ଦେବସ୍ନାନ,ନିର୍ଜଳା ଉପବାସ ଆଦି ପରମ୍ପରାରେ ଜଳର ମହତ୍ୱ ପ୍ରମାଣିତ କରେ।
ତେବେ ଆସନ୍ତୁ ନା,ପାଣି ଅଭାବୀ ଗାଁର ପୁନର୍ଜନ୍ମରେ ପୂର୍ଣ୍ଣଛେଦ ପକାଇ ମନଭରି ଶୁଣିବା ସେ ପାହାଡ଼ର ଡ଼ାକ,ଜଳର ବଂଶୀ ସ୍ୱନ। ଯେଉଁଠି ମାଟିର ଛାତି ଚିରି ଝରି ଆସୁଥିବ ଜଳର ଧାର।କେଉଁଠି ବି ପାଣିର ଅଭାବରେ କେହି ଯେମିତି କଷ୍ଟ ସହିବେନି। ଜଳ ସମ୍ପଦର ସୁରକ୍ଷା କରି ଜଳର ମରୁଡ଼ି ପରିବର୍ତ୍ତେ ଭରିଦେବା ପ୍ରାଚୁର୍ଯ୍ୟର ପଦଧ୍ୱନୀ।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା
Connect With Us