ହକିର ପ୍ରଚାର ପ୍ରସାର ପାଇଁ ଅଣ୍ଟା ଭିଡ଼ିଛନ୍ତି ଓଡ଼ିଶା ସରକାର। ଦୁଇଥର ହକି ୱାର୍ଲ୍ଡ କପର ଆୟୋଜନ କରି ଯୋଗାଉଛନ୍ତି ପ୍ରୋତ୍ସାହନ। ଓଡ଼ିଶା ଏବେ ଆନ୍ତର୍ଜାତୀୟ ସ୍ତରରେ କ୍ରୀଡ଼ା ହବର ମାନ୍ୟତା ପାଇଛି। ହକି ମହାକୁମ୍ଭର ଆୟୋଜନ ବଢାଇଛି ହକି ଫିଭର। ପଦକ ଜିତିଲେ ସରକାର ପ୍ରୋତ୍ସାହନ ସ୍ୱରୁପ କୋଟି କୋଟି ଟଙ୍କା ପୁରସ୍କାର ବି ଦେଉଛନ୍ତି। କିନ୍ତୁ ଓଡ଼ିଶାରେ ଏଭଳି ଜଣେ ଖେଳାଳୀ ଅଛନ୍ତି ଯାହାକୁ ହକି ତାଙ୍କ ହକ୍ ଦେବା ସହ ଲକ୍ ବଦଳାଇ ଦେଇଛି। ହକିରେ ରୁଚି ପାଇଁ ସେ ପାଇଛନ୍ତି ରାଜନୀତିରେ ସ୍ଥାନ। ପହଞ୍ଚିଛନ୍ତି ଅଷ୍ଟ୍ରୋଟର୍ଫରୁ ଆସେମ୍ବ୍ଲି।
ହକି ପ୍ଲେୟରରୁ ପଲିଟିସିଆନ
ବର୍ତ୍ତମାନ ଭଳି ପୂର୍ବରୁ ଖେଳର ବିକାଶ ପାଇଁ ଏତେଟା ଭିତ୍ତିଭୁମି ନଥିଲା। ଗାଁର କେନ୍ଦୁ ବାଡ଼ି ଓ ବାଉଁଶ ବାଡ଼ି ସାହାଯ୍ୟରେ ବଲକୁ ବୋଲ ମନାଉଥିଲେ ଖେଳାଳୀ। ସେହି ସଙ୍ଘର୍ଷମୟ ସମୟରେ ହିଁ ହକି ପାଇଁ ରାହା ସାଜିଥିଲେ ସୁନ୍ଦରଗଡ଼ର ସୁନ୍ଦର ଉପହାର ଗ୍ରେଗୋରୀ ମିଞ୍ଜ। ନିଜ ଚେଷ୍ଠାରେ ତିଆରି କରିଥିଲେ ସ୍ୱତନ୍ତ୍ର ପରିଚୟ। ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ୍ ପଞ୍ଚରା ଗାଁରୁ ସେ ବଜାଇଥିଲେ ହକିର ପଞ୍ଚଜନ୍ୟ।
୧୯୮୪ରେ ପ୍ରଥମ ଥର ପାଇଁ କନିଷ୍ଟ ବର୍ଗରେ ପ୍ରତିନିଧିତ୍ୱ କରି ଶ୍ରୀନଗରରେ ଖେଳିଥିଲେ ଫାଷ୍ଟ ମ୍ୟାଚ୍। ୧୯୮୫ରେ ବରିଷ୍ଠ ବର୍ଗରେ ମନୋନୀତ ହୋଇ ସମସ୍ତଙ୍କ ଦୃଷ୍ଟି ଆକର୍ଶଣ କରିଥିଲେ। ତାଙ୍କର ସବୁଠୁ ବଡ଼ ବିଶେଷତ୍ତ୍ୱ ହେଉଛି ସୁନ୍ଦରଗଡ଼ର ପ୍ରାୟ ଖେଳାଳୀ ଡ଼ିଫେଣ୍ଡର ହୋଇଥିଲା ବେଳେ ସେ ହେଉଛନ୍ତି ଜଣେ ଫରୱାର୍ଡ ଖେଳାଳୀ। ସୁନ୍ଦରଗଡ଼ର ମୂଳ ନିବାସୀ ତଥା ଭାରତୀୟ ହକି ଟିମର ପୂର୍ବତନ ଅଧିନାୟକ ଦିଲୀପ ତିର୍କୀ ଏବଂ ଉପ ଅଧିନାୟକ ଅମିତ ରୋହି ଦାସଙ୍କ ଭଳି ଫେମସ ଫ୍ଲେୟର୍ ଡ଼ିଫେଣ୍ଡର ହୋଇଥିଲା ବେଳେ ଗ୍ରେଗୋରୀ ହେଉଛନ୍ତି ସୁନ୍ଦରଗଡ଼ର ଫରୱାର୍ଡ ପ୍ଲେୟର ଯିଏକି ଗୋଲ୍ କରିବାରେ ମାହିର।
ଦିଲୀପ ତିର୍କୀ ଓ ଲାଜରୁସ ବାର୍ଲାଙ୍କ କ୍ୟାପ୍ଟେନ୍ ହୋଇଛନ୍ତି ଗ୍ରେଗୋରୀ
ମାଇକେଲ୍ କିଣ୍ଡୋଙ୍କ କ୍ୟାପ୍ଟେନସିପରେ ଓଡ଼ିଶା ଟିମ୍ ୧୯୭୯ ଓ ୮୧ ରେ ପାଇଥିବା ସଫଳତାକୁ ୧୨ ବର୍ଷ ପରେ ଦୋହରାଇଥିଲେ ଗ୍ରେଗୋରୀ। ୧୯୯୩ରେ ଗ୍ରେଗୋରୀଙ୍କ ମାର୍ଗଦର୍ଶନ ପାଇଁ ଓଡ଼ିଶା ପୁଣି ସେ ରେକର୍ଡ ରିପିଟ କରି ପାରିଥିଲା। ୨୦୧୬ରେ ମଧ୍ୟ ସଫଳତାର ମଙ୍ଗ ଧରିଥିଲେ ଗ୍ରେଗୋରୀ। ସେ ଓଡ଼ିଶାର ଅଧିନାୟକ ଥିଲା ବେଳେ ଦିଲୀପ ତିର୍କୀ ଓ ଲାଜରୁସ ବାର୍ଲାଙ୍କ ଭଳି ଇଣ୍ଟର ନ୍ୟାସନାଲ୍ ହକି ପ୍ଲେୟର୍ ମଧ୍ୟ ତାଙ୍କ ଅଧିନରେ ଖେଳିଛନ୍ତି। ଶେଷଥର ପାଇଁ ୧୯୯୭ ରେ ସେ ଓଡ଼ିଶାର ପ୍ରତିନିଧିତ୍ୱ କରିଛନ୍ତି।
ଅଷ୍ଟ୍ରୋଟର୍ଫରୁ ଆସେମ୍ବ୍ଲି
ହକିରେ ଲମ୍ବା ସମୟର ରେକର୍ଡ ପାଇଁ ତାଙ୍କୁ ରାଜନୀତିରେ ଏଣ୍ଟ୍ରି ପାସ୍ ଦେଇଥିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦୀଲିପ ରାୟ। ୨୦୦୪ରେ କଂଗ୍ରେସ ଟିକେଟରେ ରାଜଗାଙ୍ଗପୁର ଆସନରୁ ବିଧାନସଭାକୁ ଏଣ୍ଟ୍ରି କରିଥିଲେ ଗ୍ରେଗୋରୀ। ଜିତିବାର ପ୍ରଥମ ପାଳିରେ ହିଁ ସେ କ୍ରୀଡ଼ାର ବିକାଶ ପାଇଁକାମ କରିଛନ୍ତି। ୨୦୦୯ରେ ପୁଣି ଥରେ ହାତ ଚିହ୍ନରେ ସେ ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀରୁ ବିଧାୟକ ହାଇଛନ୍ତି। ହକି ପାଇଁ ହିଁ ଏ ସଫଳତା ପାଇଛନ୍ତି ଗ୍ରେଗୋରୀ। ଏ ହକି ହିଁ ତାଙ୍କୁ ଅଷ୍ଟ୍ରୋଟର୍ଫରୁ ଆସେମ୍ବ୍ଲି ଯାଏ ବାଟ କଢାଇ ନେବା ସହ ବିଧାୟକ କରିଛି। ହକି ପାଇଁ ଭାରତୀୟ ହକି ଟିମର ଅଧିନାୟକ ଦିଲୀପ ତିର୍କୀଙ୍କୁ ମଧ୍ୟ ୨୦୧୨ ରେ ରାଜ୍ୟସଭା ପଠାଇଥିଲେ ଓଡ଼ିଶା ସରକାର। ହକି କେବଳ ହକି ଷ୍ଟିକରେ ନୁହେଁ ପଲିଟିକ୍ସରେ ମଧ୍ୟ ତା ଯାଦୁ ଦେଖାଉଛି ବୋଲି କୁହାଯାଇପାରେ।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା