ଦୌଡ଼ରାଣୀ ପି. ଟି. ଉଷା। କିଏ ବା ତାଙ୍କୁ ନଜାଣେ। ନିଜେ ନିଜର ପରିଚୟ। ପି.ଟି. ଉଷା କେବଳ ନାଁ ନୁହେଁ, ଗୋଟିଏ ବ୍ରାଣ୍ଡ ମଧ୍ୟ। ଭାରତୀୟ କ୍ରୀଡ଼ା ଦୁନିଆରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ପି.ଟି. ଉଷା। ଦେଶର ଜଣେ ନାଁକରା ଓ ସଫଳ ଆଥଲେଟ୍। କିଏ ତାଙ୍କୁ କହେ ଗୋଲ୍ଡେନ୍ ଗର୍ଲ ତ କେହି କେହି କୁହନ୍ତି ଦି କୁଇନ୍ ଅଫ୍ ଟ୍ରାକ୍ ଏଣ୍ଡ ଫିଲ୍ଡ। ହିନ୍ଦୀ ଭାଷାଭାଷି ଲୋକ ପି.ଟି. ଉଷାଙ୍କୁ ଉନଡପରୀ ନାଁରେ ଡାକନ୍ତି। କାରଣ ସମସ୍ତେ ଏକଥା ଭାବନ୍ତି ଯେ, ପି.ଟି. ଉଷା ଦୌଡୁଛନ୍ତି ମାନେ ପବନ ସହ କଥା ହେଉଛନ୍ତି।କେରଳର ଝିଅ ପି.ଟି. ଉଷା ଆଥଲେଟରେ ଦେଶ ପାଇଁ ଅନେକ ସୁନାମ ଆଣିଛନ୍ତି। ତାଙ୍କର ସଫଳତାର ଯାତ୍ରା ଏତେ ସହଜ ନଥିଲା। କଠିନ ପରିଶ୍ରମ, ଦୃଢ଼ ଇଚ୍ଛାଶକ୍ତି ଓ କିଛି କରିବା ଦେଖାଇବାର ଇଚ୍ଛା ବଳରେ ନିଜ ଭାଗ୍ୟ ନିଜ ହାତରେ ସେ ଲେଖିଥିଲେ। କ୍ରୀଡ଼ାକୁ କ୍ୟାରିଅର କରିବାକୁ ଚାହୁଁଥିବା ଦେଶର ପ୍ରତ୍ୟେକ ପିଲାଙ୍କ ପାଇଁ ସେ ପ୍ରେରଣା। ୮୦ ଦଶକରେ ପି. ଟି. ଉଷା ଓ ତାଙ୍କ କୋଚ୍ ଓ. ଏମ୍. ନାମ୍ବିୟାର କେରଳର ଘରେ ଘରେ ପରିଚିତ ଥିଲେ। ଏମିତି ଜମାନା ଥିଲା ସବୁ ଝିଅ ନିଜ ଭିତରେ ଦେଖିବାକୁ ଚାହୁଁଥିଲେ ପିଟି ଉଷାଙ୍କୁ। ଗରିବୀ ଓ ଆର୍ଥିକ ଅନାଟନ ତାଙ୍କ ରେସରେ ବାଧା ଦେଇ ପାରିନଥିଲା। ଟ୍ୟାଲେଣ୍ଟ ବଳରେ ଆଗକୁ ବଢିଥିଲେ। ୧୯୭୬ ମସିହାରେ କେରଳ ସରକାର ମହିଳାଙ୍କ ପାଇଁ କ୍ରୀଡ଼ାର ଶୁଭାରମ୍ଭ କଲେ। ଜିଲ୍ଲାରୁ ପ୍ରତିନିଧିତ୍ୱ କଲେ ପି.ଟି. ଉଷା। ସେଠାରେ କୋଚ୍ ନାମ୍ବିୟାରଙ୍କ ସହ ଭେଟ। ପୁରା କ୍ୟାରିୟରରେ ତାଙ୍କଠାରୁ କୋଚିଂ ନେଲେ। ଓଡ଼ିଆରେ ଗୋଟିଏ କଥା ଅଛି, ଗୁଣ ଚିହ୍ନେ ଗୁଣିଆ ଓ ସୁନା ଚିହ୍ନେ ବଣିଆ। ସେମିତି ପ୍ରଥମରୁ ପି.ଟି. ଉଷାଙ୍କୁ ଦେଖି ତାଙ୍କ ଦକ୍ଷତା ଓ ପ୍ରତିଭାକୁ ମାପିଥିଲେ ନାମ୍ବିୟାର।
୧୬ବର୍ଷ ବୟସରେ ଅଲିମ୍ପିକ୍ସ ଟିକେଟ୍୧୯୭୮ରେ ଜୁନିଅର ଇଣ୍ଟର ଷ୍ଟେଟ୍ ମିଟରେ ଭାଗ ନେଇ ସ୍ୱର୍ଣ୍ଣିମ ସଫଳତା ପାଇଥିଲେ ପି.ଟି. ଉଷା। ଶହେ ମିଟର, ୬୦ ମିଟର ହର୍ଡଲ୍ସ, ଲଙ୍ଗ ଜମ୍ପ ଓ ଦୁଇ ଶହ ମିଟରରେ ମିଳିଥିଲା ସ୍ୱର୍ଣ୍ଣ ପଦକ। ଏହାସହ ଲଙ୍କ ଜମ୍ପ ଓ ୪ ଗୁଣା ୪ ଶହ ମିଟର ରିଲେରେ ବ୍ରୋଞ୍ଜ ପଦକର ଅଧିକାରିଣୀ ହୋଇଥିଲେ ପି. ଟି. ଉଷା। ସେତେବେଳେ ବୟସ ଥିଲା ମାତ୍ର ୧୪ ବର୍ଷ। ସେହିବର୍ଷ କେରଳର କଲେଜ ମିଟରେ ପି.ଟି. ଉଷାଙ୍କ ଖାତାରେ ପଡ଼ିଥିଲା ୧୪ଟି ମେଡାଲ୍। ୧୯୭୯ ମସିହାରେ ଜାତୀୟସ୍ତରରେ ଅନେକ ମେଡାଲ ପାଇଲେ। ୧୯୮୦ରେ ନ୍ୟାସନାଲ୍ ମିଟରେ ନିଜ ନାଁରେ ଅନେକ ରେକର୍ଡ ଲେଖାଇଥିଲେ ଦୌଡରାଣୀ। ଏହାସହ ମସ୍କୋ ଅଲିମ୍ପିକ୍ସରେ ପାଦ ଥାପିଥିଲେ ପି.ଟି. ଉଷା।
୧୦୧ ମେଡାଲର ଉଡନ୍ ପରୀମାତ୍ର ୧୬ ବର୍ଷ ବସୟରେ ଅଲିମ୍ପିକ୍ସ ଟ୍ରାକରେ ଦୌଡ଼ିଥିଲେ ପି.ଟି. ଉଷା।  ଦେଶର ସବୁଠୁ କନିଷ୍ଠ ଆଥଲେଟ୍ ହେବାର ଗୌରବ ପାଇଥିଲେ। ୧୯୮୨ ଏସିଆନ୍ ଗେମ୍ସରେ ଦୁଇଟି ରୌପ୍ୟ ଓ ୧୯୮୩ ନ୍ୟାସନାଲ୍ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ହାତେଇଥିଲେ। ପ୍ରଥମ ଭାରତୀୟ ମହିଳା ଆଥଲେଟ ଭାବରେ ୧୯୮୪ ଅଲିମ୍ପିକ୍ସ ଫାଇନାଲରେ ପ୍ରବେଶ କରିଥିଲେ ପି.ଟି. ଉଷା। କିନ୍ତୁ ଚତୁର୍ଥ ସ୍ଥାନରେ ରହିଥିଲେ। ୧୯୮୫ ଜାକର୍ତ୍ତା ଏସିଆନ୍ ଆଥଲେଟିକ୍ସ ମିଟରେ ପି.ଟି. ଉଷା ୫ଟି ସ୍ୱର୍ଣ୍ଣ ଓ ଗୋଟିଏ ବ୍ରୋଞ୍ଜ ମେଡାଲ ନିଜ ନାଁରେ କରିଥିଲେ। ୧୯୮୬ ଆସିଆନ୍ ଗେମ୍ସରେ ହାତେଇଥିଲେ ୪ଟି ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ। ମହିଳା ଆଥଲେଟ୍ ଭାବରେ ସିଙ୍ଗଲ୍ ଟ୍ରାକ୍ ମିଟରେ ବିଶ୍ୱରେ ସର୍ବାଧିକ ସ୍ୱର୍ଣ୍ଣ ପଦକ ହାସଲ କରିବା ରେକର୍ଡ ରହିଛି ପି.ଟି. ଉଷାଙ୍କ ନାଁରେ। ପୁରା କ୍ୟାରିୟରରେ ୧୦୧ ମେଡାଲ୍ ଜିତିଛନ୍ତି ଭାରତର ଏହି ଉଡନପରୀ।

ପି.ଟି. ଉଷା ବର୍ତ୍ତମାନ କେରଳର ଯୁବ ମହିଳା ଆଥଲେଟମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। ଉଷା ସ୍କୁଲ ନାଁରେ ଖୋଲିଛନ୍ତି ଗୋଟିଏ ସ୍ପୋର୍ଟସ୍ ସ୍କୁଲ। ଏହା ମାଧ୍ୟରେ ନିଜ ଅଧୂରା ସ୍ୱପ୍ନକୁ ପୂରା କରିବାକୁ ଚାହାନ୍ତି ଦୌଡ଼ରାଣୀ। ଅଲିମ୍ପିକ୍ସରେ ଭାରତକୁ ସ୍ୱର୍ଣ୍ଣ ପଦକ ଭେଟି ଦେବାର ସ୍ୱପ୍ନ ସାକାର କରିବା ଦିଗରେ ଲାଗିଛନ୍ତି ପି. ଟି. ଉଷା।୧୯୮୪- ଅର୍ଜୁନ ପୁରସ୍କାର ଓ ପଦ୍ମ ସମ୍ମାନ
୧୯୮୪-୧୯୮୯- ବେଷ୍ଟ ଥଲେଟ୍ ଇନ୍ ଏସିଆ ଆଓ୍ୱାର୍ଡ
୧୯୮୫-୧୯୮୬- ଓ୍ୱାର୍ଲଡ ଟ୍ରଫି ଫର୍ ବେଷ୍ଟ ଆଥଲେଟ୍
୧୯୮୫- ଜାକର୍ତ୍ତା ଏସିଆନ୍ ଗେମ୍ସରେ ‘ଗ୍ରେଟେଷ୍ଟ ଓ୍ୱିମେନ୍ ଆଥଲେଟ୍ ଉପାଧି’
୧୯୮୬- ଆଡିଦାସ୍ ଗୋଲ୍ଡେନ୍ ସୁ ଆଓ୍ୱାର୍ଡ (ସିଓଲ୍ ଏସିଆନ୍ ଗେମ୍ସ, ଶ୍ରେଷ୍ଠ ଆଥଲେଟ୍)
୧୯୯୯- ସ୍ପୋର୍ଟସ୍ ପର୍ସନ ଅଫ୍ ଦି ସେଞ୍ଚୁରୀ (ଇଣ୍ଡିଆନ୍ ଅଲିମ୍ପିକ୍ ଆସୋସିଏସନ୍ ଦ୍ୱାରା ସମ୍ମାନିତ)