ବିପଦରେ ଶ୍ରୀମନ୍ଦିର:ଖସୁଛି ପଥର,ବୋହୁଛି ପାଣି

‘ବଡ଼ ଦେଉଳୁ ପଥର, ଖସୁଥିବ ଥରକୁ ଥର’ ମାଳିକାର ଏହି ଭବିଷ୍ୟବାଣୀ ସତ ହେଉଛି। ଶ୍ରୀମନ୍ଦିର ମୁଦୁଲି ଦ୍ୱାର ପାର୍ଶ୍ୱ ନାଟମଣ୍ଡପରୁ ପଥର ଖସିଛି। ଯାହାର ଓଜନ ପ୍ରାୟ 3 କିଲୋ ହେବ ଏବଂ ଆକାର ହେବ ଦେଢ଼ ଫୁଟର। କେବଳ ବଡ଼ଦେଉଳ ନୁହେଁ, ଶ୍ରୀଗୁଣ୍ଡିଚା ମନ୍ଦିରରେ ଫାଟ ହେଲାଣି। ଅବଶ୍ୟ ବଡ଼ଦେଉଳରୁ ପଥର ଖସିବା ନୂଆ କଥା ନୁହେଁ। ଆଗରୁ ଅନେକ ଥର ଏପରି ଅଶୁଭ କଥା ଘଟିଛି। ନବେ ଦଶକରେ ଶ୍ରୀମନ୍ଦିରରୁ ପଥର ଖସିଥିଲା। ସେହି ପଥରଟି କେଉଁଠୁ ଖସିଥିଲା, ଏଡେ ବଡ଼ ପଥରଟି କିପରି କାହାର କିଛି କ୍ଷତି କଲାନି, ତାହା ଆଜି ଯାଏଁ ରହସ୍ୟ ହୋଇ ରହିଗଲା।

୧୯୯୦ ମସିହା ଜୁନ ୧୪ ତାରିଖର କଥା। ଅଁଳା ବେଢ଼ାରୁ ଖସିଲା ଏକ ବିରାଟ ପଥର। ଯାହାର ଓଜନ ଥିଲା ପ୍ରାୟ ୫ ଟନ୍। ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଦ୍ୱିତୀୟ ଥର ୧୯୯୨ ମସିହା ଅଗଷ୍ଟ ୧୩ରେ ଶ୍ରୀମନ୍ଦିରରୁ ୨ଟି ପଥର ପଡିଲା। ପ୍ରାୟ 6ବର୍ଷ ପରେ ୧୯୯୮ ମସିହା ଅକ୍ଟୋବର ୨୬ରେ ଶ୍ରୀମନ୍ଦିରରୁ ଏକ ବିଶାଳ ପଥର ଖସିବା ଖବର ସାମ୍ନାକୁ ଆସିଥିଲା। ଜାନକୀ ବଲ୍ଲଭ ପଟ୍ଟନାୟକ ଥାଆନ୍ତି ମୁଖ୍ୟମନ୍ତ୍ରୀ। ସେ ସମୟରେ ଜଗନ୍ନାଥଙ୍କ ମନ୍ଦିରର ମରାମତି କାର୍ଯ୍ୟ କରାଯାଇ ପରିସ୍ଥିତିରେ ସୁଧାର ଅଣାଗଲା।

କିନ୍ତୁ ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଶ୍ରୀମନ୍ଦିରକୁ ନେଇ ଅନେକ ବିବାଦ ଦେଖା ଦେଉଛି। ୨୦୧୧ ମସିହା ନଭେମ୍ବର 2ରେ ବିମଳା ମନ୍ଦିର ପରିସରରୁ ପଥର ଖସିଥିଲା। ଚଳଚଞ୍ଚଳ ହୋଇ ଉଠିଥିଲା, ଶ୍ରୀମନ୍ଦିର ପ୍ରଶାସନ। ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗ ବା ASIର ତତ୍ତ୍ୱାବଧାନରେ ୨୦୧୫ ମସିହାର ନବକଳେବର ସମୟରେ ଶ୍ରୀମନ୍ଦିରର ମରାମତି ହେଲା। ଖର୍ଚ୍ଚ ହେଲା ୧ କୋଟି ୭୯ ଲକ୍ଷ ଟଙ୍କା। ମାତ୍ର୨୦୧୬ ଫେବୃୟାରୀ ୨ରେ ଜଳକ୍ରୀଡ଼ା ମଣ୍ଡପରୁ ୪୦ କିଲୋଗ୍ରାମ ଓଜନର ପଥର ପୁଣି ଖସିଲା।୨୦୨୧ରେ ନୃସିଂହ ମନ୍ଦିର ପରିସରରୁ ପଥର ଖସି ଜଣେ ସେବାୟତ ଆହତ ମଧ୍ୟ ହେଲେ।

ପଥର ଖସିବା ଯେମିତି ନିୟମିତ ଘଟଣା ହୋଇଗଲା। ଚଳିତବର୍ଷ ଅଗଷ୍ଟ ୩ରେ ରତ୍ନବେଦୀ ପଛପଟୁ ବଳଦେବଙ୍କ ପଛଭାଗରୁ ଦେଡ଼ କିଲୋଗ୍ରାମ ଓଜନର ଚୂନପଥର ଖସିଥିଲା।ମାତ୍ର 2ମାସ ବ୍ୟବଧାନରେ 24 ଅକ୍ଟୋବରରେ ପଥର ଖସିବା ଘଟଣା ASIର ଭୂମିକା ସାଙ୍ଗକୁ ଶ୍ରୀମନ୍ଦିର ପ୍ରଶାସନ, ପରିଚାଳନା କମିଟି ଏବଂ ଓଡ଼ିଶା ସରକାରଙ୍କ ଭୂମିକାକୁ ଚ୍ୟାଲେଞ୍ଜ କରୁଛି।

ଶ୍ରୀମନ୍ଦିର ଐତିହ୍ୟର ସୁରକ୍ଷା ଦାୟିତ୍ୱ ASIର। ମାତ୍ର ବାରମ୍ବାର ଶ୍ରୀମନ୍ଦିରରୁ ପଥର ଖସିବା ଏବଂ ପାଣି ବୋହିବା ଘଟଣା ASIର ରକ୍ଷଣା ବେକ୍ଷଣ କାର୍ଯ୍ୟ ପ୍ରତି ବିରାଟ ପ୍ରଶ୍ନ ସୃଷ୍ଟି କରିଛି। ସୁରକ୍ଷା ପାଇଁ ପୂର୍ବତନ ଗଜପତି ଶ୍ରୀମନ୍ଦିରରେ ଚୂନର ଲେପ ଦେଇଥିଲେ। କିନ୍ତୁ ବାସ୍ତବ ସ୍ଥାପତ୍ୟକୁ ଦେଖାଇବାକୁ ଯାଇ ASI ମାଧ୍ୟମରେ ଚୂନର ଆବରଣକୁ ଛଡ଼ାଗଲା। କିନ୍ତୁ ହେଲା କଣ ? ଏବେ ବଡ଼ଦେଉଳରୁ ପଥର ଖସୁଛି, ପାଣି ମଧ୍ୟ ବୋହୁଛି।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା
Connect With Us