ବାଘଙ୍କ ସୁରକ୍ଷା ଏବଂ ବଂଶ ବୃଦ୍ଧି ପାଇଁ ପ୍ରଚୁର ଅର୍ଥ ଖର୍ଚ୍ଚ ହେଉଛି।ଗତ ସେପ୍ଟମ୍ବର୧୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ନାମିବିଆରୁ ୮ଟି ଚିତାବାଘ ଅଣାଯାଇ ବ୍ୟାଘ୍ର ସଂରକ୍ଷଣ ଯୋଜନାର ସଫଳତା କାମନା କରାଗଲା। ଏସବୁ ସତ୍ତ୍ୱେ ଭାରତରେ ବାଘ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। National Tiger Conservation Authorityର ରିପୋର୍ଟ କହୁଛି, ଓଡ଼ିଶାର ବ୍ୟାଘ୍ର ଅଭିବୃଦ୍ଧି ହାର ସର୍ବନିମ୍ନ। ବିଶ୍ୱର ୭୦% ବାଘ ଭାରତରେ ରହିଛନ୍ତି। କିନ୍ତୁ ଓଡ଼ିଶାରେ ମାତ୍ର ୧% ବାଘ ଅଛନ୍ତି।ବ୍ୟାଘ୍ର ସଂରକ୍ଷଣ ପାଇଁ ଦିନେ ବିଶ୍ୱରେ ଉଦାହରଣ ପାଲଟିଥିବା ଓଡ଼ିଶାରେ ଆଶ୍ଚର୍ଯ୍ୟ ଜନକ ଭାବେ ବାଘଙ୍କ ସଂଖ୍ୟା କମୁଛି। ଶିମିଳିପାଳ, ସାତକୋଶିଆ,ନନ୍ଦନ କାନନ ଆଦି ସ୍ଥାନରେ ବାଘର ମରୁଡ଼ି ଦେଖା ଦେଇଛି। ବାଘ ଛାଲ ଜବତ ଏବଂ ବାଘର ମୃତଦେହ ଉଦ୍ଧାର ହେବା ଘଟଣା, ବାଘ ସଂଖ୍ୟା ହ୍ରାସ ଖବରକୁ ସ୍ପଷ୍ଟ କରୁଛି।
ଆଉ ନାହାନ୍ତି ମହାବଳ
୨୦୦୭ରେ ବ୍ୟାଘ୍ର ପ୍ରକଳ୍ପର ସ୍ୱୀକୃତି ମିଳିବା ସମୟରେ ଅନୁଗୋଳ ଜିଲ୍ଲାର ସାତକୋଶିଆରେ ୧୮ଟି ମହାବଳ ଏବଂ ୩୨ଟି କଲରା ପତରିଆ ବାଘ ଥିଲେ। ପ୍ରକଳ୍ପ ଘୋଷଣା ପରେ ଦେଶ-ବିଦେଶରୁ ସାତକୋଶିଆ ପ୍ରକଳ୍ପ ଲାଗି ଅନୁଦାନର ସୁଅ ଛୁଟିଲା। ମାତ୍ର ବାଘ ସଂଖ୍ୟା ବଢ଼ିବ କ’ଣ ? ବର୍ଷକୁ ବର୍ଷ ବାଘ ସଂଖ୍ୟା କମିବାରେ ଲାଗିଲା !୨୦୧୮ରେ ବାଘ ସଂଖ୍ୟା ବୃଦ୍ଧି କରିବାକୁ ୬ଟି ମାଇ ଏବଂ ଅଣ୍ଡିରା ବାଘ ଆଣିବାର ଯୋଜନା ଥିଲା। ପ୍ରଥମେ ମହାବଳ ବାଘୁଣୀ ଏବଂ ଗୋଟିଏ ଅଣ୍ଡିରା ବାଘ ଆଣି ସାତକୋଶିଆ ଜଙ୍ଗଲରେ ଛଡ଼ାଗଲା। କିନ୍ତୁ ଦୁର୍ଭାଗ୍ୟ! ପ୍ରଥମେ ଅଣ୍ଡିରା ମହାବାଳ ବାଘ ଶୀକାର ଜାଲରେ ଛନ୍ଦି ହୋଇ ପ୍ରାଣ ହରାଇଲା।ଆଉ ସୁନ୍ଦରୀ ନାଁରେ ପରିଚୟ ପାଇଥିବା ମହାବଳ ବାଘୁଣୀ, ନିଜ ଜନ୍ମମାଟି ମଧ୍ୟପ୍ରଦେଶକୁ ଫେରି ଯାଇଥିଲା।୨୦୨୧ରେ ଶେଷ ବୁଢ଼ୀ ବାଘୁଣୀଟି ଶିକାର ହୋଇଗଲା। ନୂଆକ୍ଷେତାରୁ ତାର ମୃତଦେହ ମିଳିଥିଲା। ଏବେ ସାତକୋଶିଆରେ ମହାବଳର ବଂଶ ଶେଷ ହେବା ଭଳି ଲାଗୁଛି।ମହାବଳର ବଂଶ ବୁଡ଼ିବା ପରେ ଏବେ କଲରା ପତରିଆଙ୍କୁ ଟାର୍ଗେଟ କରିଛନ୍ତି ଶିକାରୀ। ନିକଟରେ ପମ୍ପାସର ରେଞ୍ଜର କୁଲାଙ୍ଗୀ ଗ୍ରାମରୁ ୨ଟି କଲରା ପତରିଆ ବାଘର ମୃତଦେହ ଉଦ୍ଧାର ହୋଇଛି।
ବନ ବିଭାଗରେ କର୍ମଚାରୀ ମରୁଡ଼ି
ବାଘଙ୍କ ସଂଖ୍ୟା ହ୍ରାସର ଏକ ପ୍ରମୁଖ କାରଣ ହେଉଛି କର୍ମଚାରୀଙ୍କ ଅଭାବ। ସାତକୋଶିଆରେ ୫୯ ଜଣ ଫରେଷ୍ଟ ଗାର୍ଡଙ୍କୁ ମଞ୍ଜୁରୀ ହୋଇଥିଲା ବେଳେ ନିଯୁକ୍ତି ମିଳିଛି ମାତ୍ର ୨୦ ଜଣଙ୍କୁ। ସେହିପରି ୨୫ଜଣ ଫରେଷ୍ଟରଙ୍କ ବଦଳରେ ଫିଲ୍ଡରେ କାମ କରୁଛନ୍ତି ମାତ୍ର ୧୫ ଜଣ କର୍ମଚାରୀ। ମାଫିଆଙ୍କ ପାର୍ଦୁଭାବ ଏବଂ ସରକାରୀ ଅଧିକାରୀଙ୍କର ଦାୟିତ୍ୱହୀନତା ହିଁ ବାଘସଂଖ୍ୟା ହ୍ରାସର ପ୍ରମୁଖ କାରଣ।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା