ଓଡିଶାରେ କମୁଥିବା ବାଘର ସଂଖ୍ୟା ବର୍ତ୍ତମାନ ଏକ ପ୍ରମୁଖ ସମସ୍ୟା ପାଲଟିଛି। ବ୍ୟାଘ୍ର ସଂରକ୍ଷଣ ପାଇଁ ଦିନେ ସାରା ବିଶ୍ୱରେ ଉଦାହରଣ ପାଲଟିଥିବା ଓଡ଼ିଶାରେ ଆଶ୍ଚର୍ଯ୍ୟଜନକ ଭାବେ ବାଘ ସଂଖ୍ୟା କମୁଛି। ଓଡ଼ିଶାର ଶିମିଳିପାଳ, ଶାତକୋଶିଆ,ନନ୍ଦନକାନନ ଆଦି ସ୍ଥାନରେ ବାଘର ମରୁଡ଼ି ଦେଖାଦେଇଛି। ବାଘଛାଲ,ବାଘର ମୃତ ଦେହ,ଆଦି ଜବତ ହେବା ଘଟଣା ଦୃତ ସଂଖ୍ୟାରେ ବାଘସଂଖ୍ୟା ହ୍ରାସ ପାଉଥିବା ସ୍ପଷ୍ଟ କରୁଛି। ଭାରତର ପ୍ରମୁଖ ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ର ଶିମିଳିପାଳରେ ବାଘ ମରୁଡ଼ି ହେବା ସହ ଏବେ ସାତକୋଶିଆରେ ବାଘଙ୍କ ସଂଖ୍ୟା କମିବା ମୁଣ୍ଡବିନ୍ଧାର ପାଲଟିଛି। ବ୍ୟାଘ୍ର ପ୍ରକଳ୍ପ ନାଁରେ ରାଜକୋଶରୁ ପର୍ଯ୍ୟାପ୍ତ ଟଙ୍କା ଖର୍ଚ୍ଚ ହେଉଥିଲେ ସୁଦ୍ଧା ଆାଶାନୁରୁପକ ସଫଳତା ମିଳୁନାହିଁ। ସାତକୋଶିଆରେ ବାଘ ସଂଖ୍ୟା କମୁଥିବାରୁ ପ୍ରଶାସନ,ସରକାର ଓ ବନବିଭାଗର ଭୂମିକାକୁ ନେଇ ପ୍ରଶ୍ନ ଉଠୁଛି।
ସାତକୋଶିଆରେ ଆଉ ନାହାନ୍ତି ମହାବଳ:ଟାର୍ଗେଟରେ କଲରାପତରିଆ
ଭାରତର ପ୍ରମୁଖ ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ର ସାତକୋଶିଆରେ ବାଘଙ୍କ ସଂଖ୍ୟା ଦୃତ ଗତିରେ ହ୍ରାସ ପାଉଛି। ୨୦୦୭ ରେ ଏହା ପ୍ରକଳ୍ପର ସ୍ୱୀକୃତି ପାଇଥିଲା। ସେତେବେଳେ ୧୮ ଟି ମହାବଳ ଓ ୩୨ଟି କଲରାପତରିଆ ବାଘ ଥିଲେ। ପ୍ରକଳ୍ପ ଘୋଷଣା ପରେ ଜାତୀୟ ଓ ଆନ୍ତର୍ଯାତୀୟ ସ୍ତରରେ ସ୍ୱତନ୍ତ୍ର ପରିଚୟ ମିଳିବା ସହ ଅନୁଦାନ ବି ବଢିଲା। ମାତ୍ର ଏସବୁ ପରେ ସଂଖ୍ୟା ବଢିବା ପରିବର୍ତ୍ତେ କମିବାରେ ଲାଗିଛି।୨୦୧୮ ରେ ବାଘସଂଖ୍ୟା ବୃଦ୍ଧି କରିବାକୁ ୬ ଟି ମାଇ ଓ ଅଣ୍ଡିରା ବାଘ ଆଣିବାର ଯୋଜନା ଥିଲା। ମାତ୍ର ପ୍ରଥମ ପର୍ଯ୍ୟାୟରେ ଗୋଟାଏ ବାଘ ଆଣି ପରିଚାଳନାରେ ଫେଲ ମାରିଥିଲେ ବନବିଭାଗ। ଅଣ୍ଡିରା ମହାବାଳ ବାଘ ଶୀକାର ଜାଲରେ ଛନ୍ଦି ହୋଇ ପ୍ରାଣ ହରାଇଥିଲା। ୨୦୨୧ ରେ ଶେଷ ମାଇ ବାଘୁଣି ମଧ୍ୟ ଶିକାର ହୋଇଗଲା। ନୂଆକ୍ଷେତାରୁ ତା ମୃତଦେହ ମିଳିଥିଲା। ଏବେ ସାତକୋଶିଆରେ ମହାବଳର ବଂଶ ଶେଷ ହୋଇଯାଇଛି। ମହାବଳର ବଂଶ ବୁଡ଼ିବା ପରେ ଏବେ କଲରାପତରିଆଙ୍କୁ ଟାର୍ଗେଟ କରିଛନ୍ତି ଶିକାରୀ। ମହାବଳ ବାଘ ପରେ ଏବେ ଶିକାରୀଙ୍କ ଟାର୍ଗେଟରେ କଲରାପତରିଆ ବାଘ। ନିକଟରେ ପମ୍ପାସର ରେଞ୍ଜର କୁଲାଙ୍ଗୀ ଗ୍ରାମରୁ ୨ ଟି କଲରାପତରିଆ ବାଘର ମୃତଦେହ ଠାବ ହୋଇଛି। ଏ ସବୁ ଘଟଣା ବିଭାଗୀୟ ଅଧିକାରୀ ତଥା ସରକାରଙ୍କୁ ସନ୍ଦେହ ପରିସରକୁ ଟାଣୁଛି। ସାରା ବିଶ୍ୱରେ ରେକର୍ଡ କରିଥିବା ବ୍ୟାଘ୍ର ସଂରକ୍ଷର କେନ୍ଦ୍ରର ଏହି ବିପର୍ଯ୍ୟସ୍ତ ସ୍ଥିତି ପଶୁପ୍ରେମୀଙ୍କୁ ଚିନ୍ତାରେ ପକାଇଛି।
ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଫେଲ୍
ଚିନ୍ତା ବଢ଼ାଉଛି କର୍ମଚାରୀ ମରୁଡ଼ି ବାଘଙ୍କ ସଂଖ୍ୟା ହ୍ରାସର ଏକ ପ୍ରମୁଖ କାରଣ ହେଉଛି କର୍ମଚାରୀଙ୍କ ଅଭାବ। ଆବଶ୍ୟକ ପରିମାଣରେ ଟିଆରଏସ କର୍ମଚାରୀ ନାହାନ୍ତି। ଶାତକୋଶିଆରେ ୫୯ ଜଣ ଫରେଷ୍ଟ ଗାର୍ଡଙ୍କୁ ମଞ୍ଜୁରୀ ହୋଇଥିଲା ବେଳେ ମାତ୍ର ୨୦ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ସେହିପରି ସରକାରୀ କାଗଜପତ୍ରରେ୨୫ ଜଣ ଫରେଷ୍ଟରଙ୍କ କଥା କୁହାଯାଉଥିଲା ବେଳେ ଫିଲ୍ଡରେ କାମ କରୁଛନ୍ତି ମାତ୍ର ୧୫ଜଣ କର୍ମଚାରୀ। ଶିମିଳିପାଳରେ ମଧ୍ୟ ସମାନ ଅବସ୍ଥା। ୨୪ ଜଣ ରେଞ୍ଜ ଅଫିସର ସ୍ୟାଙ୍କସନ୍ ହୋଇଥିଲା ବେଳେ କାମ କରୁଛନ୍ତି ୧୩ ଜଣ ଅଫିସର। ୮୮ ଟି ଫରେଷ୍ଟର ପଦବୀରୁ ୫୫ ଜଣ କାମ କରୁଛନ୍ତି। ୨୭୧ ଟି ଫରେଷ୍ଟର ଗାର୍ଡ ପଦବୀ ଥିଲାବେଳେ ନିଯୁକ୍ତି ପାଇଛନ୍ତି ୧୦୩ଜଣ। ତେଣୁ କର୍ମଚାରୀଙ୍କ ଦାୟିତ୍ୱହୀନତା ଆଳରେ ଖସିଯାଉଥିବା ସରକାର ,ବିଭାଗ ତଥା ପରିବେଷ ମନ୍ତ୍ରୀଙ୍କ ପାଇଁ କର୍ମଚାରୀ ମରୁଡ଼ିର ସମାଧାନ କରିବା ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି।
ବ୍ୟାଘ୍ର ସଂରକ୍ଷଣ ନାଁରେ ଉଭୟ ଓ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତିବର୍ଷ ୫ ରୁ ୬ କୋଟି ଖର୍ଚ୍ଚ କରୁଛନ୍ତି।ବ୍ୟାଘ୍ର ସଂରକ୍ଷଣକୁ ଆଉ ପାଦେ ଆଗକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଜନ୍ମଦିନ ଉପଲକ୍ଷେ ନାମିବିଆରୁ ୮ ଟି ଚିତାବାଘ ଆଣି ଏ ଦିଗରେ ତାଙ୍କର ଉତ୍ସାହ ପ୍ରଦର୍ଶନ କରିଚନ୍ତି। ଏତେସବୁ ସତ୍ତ୍ୱେ ମଧ୍ୟ ଦୃତ ଗତିରେ ବାଘସଂଖ୍ୟା ହ୍ରାସ ପାଉଛି। NTCA (National Tiger Conservation Authority)ର ରିପୋର୍ଟ ଅନୁଯାୟୀ ଓଡିଶାରେ ବ୍ୟାଘ୍ର ସଂଖ୍ୟାର ଅଭିବୃଦ୍ଧି ହାର ସର୍ବନିମ୍ନ ହୋଇ ରହିଛି। ବିଶ୍ୱ ତୁଳନାରେ ଭାରତରେ ୭୦ ପ୍ରତିଶତ ବାଘ ଥିଲାବେଳେ ଓଡିଶାରେ ମାତ୍ର ୧ ପ୍ରତିଶତ ରହିଛି। ମାଫିଆଙ୍କ ପାଦୁର୍ଭାବ,ସରକାରୀ ଉଦାସୀନତା,ସରକାରୀ ଅଧିକାରୀଙ୍କ ଦାୟିତ୍ତ୍ୱ ହୀନତା ଓ ଇଛାଶକ୍ତିର ଅଭାବ ହିଁ ବାଘସଂଖ୍ୟା ହ୍ରାସର ପ୍ରମୁଖ କାରଣ ପାଲଟିଛି। କମ୍ୟୁନିଟି ପାର୍ଟିସିପେସନକୁ ଗୁରୁତ୍ତ୍ୱ ଦିଆଯାଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ସମ୍ପୃକ୍ତ ଅପରାଧିଙ୍କ ପ୍ରତି କଡା ଆଭିମୁଖ୍ୟ ଗ୍ରହଣ କରାଗଲେ ଏ ସମସ୍ୟାର ସମାଧାନ ହୋଇପାରିବ।