ସଭା ଭଣ୍ଡୁର ଯୋଜନାର ଆଭାସ ପାଇ ଅଧାରୁ ଫେରିଗଲେ କି ବୈଜୟନ୍ତ?

ଭୁବନେଶ୍ୱର:ନବୀନ ପଟ୍ଟନାୟକଙ୍କ ବିରୋଧରେ ଦାମଦୋର ରାଉତ ଏବଂ ବୈଜୟନ୍ତ ପଣ୍ଡାଙ୍କ ମିଳିତ ଜନସଭା ହୋଇପାରିଲା ନାହିଁ। ବାରିପଦାର ଛଉ ପଡ଼ିଆର ସମାବେଶରେ ଯୋଗ ଦେଲେ ନାହିଁ ବୈଜୟନ୍ତ। ମୟୂରଭଞ୍ଜ ମିଳିତ କ୍ରିୟାନୁଷ୍ଠାନ କମିଟି ବ୍ୟାନରରେ ଆୟୋଜିତ ସଭାରୁ ଯଦିଓ ଦାମ ରାଉତ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ.ପାଣ୍ଡିଆନଙ୍କୁ ଦୁର୍ନୀତିଖୋର ବୋଲି କହିଲେ, କିନ୍ତୁ ଦୁର୍ନୀତି-ଭଷ୍ଟ୍ରାଚାର ବିରୁଦ୍ଧରେ ମହାସଂଗ୍ରାମରେ ସାମିଲ ନହୋଇ ଅଧାବାଟରୁ ଫେରି ଆସିଲେ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ଅନୁମାନ କରାଯାଉଥିଲା ଯେ ମାହଙ୍ଗାରୁ ଆରମ୍ଭ ହୋଇଥିବା ଦାମଙ୍କ ପରିବର୍ତ୍ତନ ଯାତ୍ରା, ବାରିପଦାରେ ପହଞ୍ଚିଲା ବେଳକୁ ବୈଜୟନ୍ତ ସାମିଲ ହୋଇଯିବେ। ହେଲେ ବାଲେଶ୍ୱରରୁ ବାହାରି ବାଟରେ ଏକ ଢ଼ାବାରେ ଖାଇବା ପରେ ବୈଜୟନ୍ତ ଆଉ ଆଗକୁ ଯାଇନଥିଲେ। ଶୁଣିବାକୁ ମିଳୁଛି ବାରିପଦାରେ ବୈଜୟନ୍ତଙ୍କୁ ଅପଦସ୍ତ କରିବାକୁ ବିଜେଡି ପକ୍ଷରୁ ଉଦ୍ୟମ ହୋଇଥିଲା। ସେହି ଖବର ଶୁଣିବା ପରେ ବୈଜୟନ୍ତ ବାରିପଦା ନଯାଇ ଫେରି ଆସିଲେ ବୋଲି ଚର୍ଚ୍ଚା ହେଉଛି।ସଭା ଭଣ୍ଡୁର ଉଦ୍ୟମ ପଛରେ କିଏ?
ଅପରପକ୍ଷରେ କୁଡୁମି ସେନାର ସମର୍ଥନରେ ଆୟୋଜିତ ହୋଇଥିବା ସେହି ଜନସଭାକୁ ବାନ୍ଧି ରଖିପାରିଲେ ବିଜେଡିରୁ ବହିଷ୍କୃତ ବିଧାୟକ ଦାମଦୋର ରାଉତ ଏବଂ ଯଜ୍ଞେଶ୍ୱର ବାବୁ। ଶହ ଶହ କୋଟି ଟଙ୍କାର ଚାରା ଦୁର୍ନୀତି, କିଭଳି ମୟୂରଭଞ୍ଜ ଜିଲ୍ଲାରେ ହୋଇଛି ସେ ସବୁର ତଥ୍ୟ ରଖିଲେ ପୂର୍ବତନ କୃଷିମନ୍ତ୍ରୀ ଦାମଦୋର ରାଉତ। ହେଲେ ଦାମଙ୍କ ଭାଷଣ ସମୟରେ ଦେଖିବାକୁ ମିଳିଥିଲା କିଛି ଅଘଟଣ। ବିଜେଡି ସମର୍ଥକ ବୋଲି କୁହାଯାଉଥିବା ଶୈଳେନ୍ଦ୍ର ହେମ୍ବ୍ରମ(ବଡ଼ା ଭାଇ) ନାମକ ଜଣେ ଯୁବକ ହଠାତ୍ ମଞ୍ଜ ଉପରକୁ ଉଠିଥିଲେ। ବୈଜୟନ୍ତ ପଣ୍ଡାଙ୍କ ପରିବାରର କମ୍ପାନୀ କାହିଁକି ୮ଶହ କୋଟି ଟଙ୍କାର ବିଦ୍ୟୁତ ବିଲ୍ ଦେଉନାହିଁ ବୋଲି ଶୈଳେନ୍ଦ୍ର ହେମ୍ବ୍ରମ ପ୍ରଶ୍ନ କରିଥିଲେ। ଫଳରେ କିଛି ସମୟ ପାଇଁ ସଭାସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା। ପରେ ଶୈଳେନ୍ଦ୍ର ହେମ୍ବ୍ରମଙ୍କୁ ପୋଲିସ କାବୁ କରିଥିଲା।
ମଞ୍ଚରେ ଯୁବକଙ୍କ ପ୍ରଶ୍ନତେବେ ଚର୍ଚ୍ଚା ହେଉଛି ସଭାସ୍ଥଳରୁ ସମର୍ଥନ ପାଇନଥିବା ଶୈଳେନ୍ଦ୍ର ହେମ୍ବ୍ରମଙ୍କୁ କିଏ ମଞ୍ଚ ଉପରକୁ ପଠାଇଥିଲା ? ଯଦି ସେ ବିଜେଡିର ସମର୍ଥକ ତାଙ୍କୁ ସଭାସ୍ଥଳକୁ ଯିବା ପାଇଁ କିଏ ପ୍ରବାର୍ତ୍ତାଇ ଥିଲା ? ମୟୂରଭଞ୍ଜ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ବିଧାୟକ ଅରୁଣ ସାହୁ ଏ ବାବଦରେ ଜାଣିଥିଲା ପରି ଲାଗୁନାହିଁ। ସେହିଭଳି ଜିଲ୍ଲା ବିଜେଡି ସହପ୍ରଭାରୀ ତଥା ରାଜ୍ୟସଭା ସାଂସଦ ଅଚ୍ୟୁତ ସାମନ୍ତ ମଧ୍ୟ ଏଭଳି ବିଶୃଙ୍ଖଳାକାରୀ ଯୁବକଙ୍କୁ ପ୍ରୋତ୍ସାହିତ କେବେ ବି କରିନଥିବେ! ତାହାଲେ ସଭା ଭଣ୍ଡୁର ଭଳି ଯୋଜନା ପଛରେ ଶାସକ ଦଳର ସତରେ ହାତ ଅଛି ନା ଏହା କେବଳ ଅପପ୍ରଚାର ?
ଦେବାଶିଷଙ୍କ ଘନିଷ୍ଠ ଶୈଳେନ୍ଦ୍ର!
ଅପରପକ୍ଷରେ ଗତ ରଥଯାତ୍ରା ସମୟରେ ନବୀନ ପଟ୍ଟନାୟକଙ୍କ ଫଟୋ ଥାଇ ଲାଗିଥିବା ଏକ ବ୍ୟାନରରୁ ବୁଝାପଡ଼ୁଛି ଶୈଳେନ୍ଦ୍ର ହେମ୍ବ୍ରମ, ବିଧାୟକ ସୁଦାମ ମାର୍ଣ୍ଡିଂ ଏବଂ ବ୍ୟମକେଶ ରାୟଙ୍କ ପରିଚିତ। ଏପରିକି ମୟୂରଭଞ୍ଜ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଅରୁଣ ସାହୁଙ୍କ ଫଟୋ ଶୈଳେନ୍ଦ୍ର ହେମ୍ବ୍ରମଙ୍କ ଶୁଭକାମନା ବ୍ୟାନରରେ ସ୍ଥାନ ପାଇଛି। ଯାହା ଶୁଣିବାକୁ ମିଳୁଛି ମୟୂରଭଞ୍ଜ ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ଦେବାଶିଷ ମାର୍ଣ୍ଡିଂଙ୍କ ଅତି ଘନିଷ୍ଠ ହେଉଛନ୍ତି ଶୈଳେନ୍ଦ୍ର ହେମ୍ବ୍ରମ। ଗତବର୍ଷ ଜେଏମଏମ ଛାଡି ବିଜେଡିରେ ମିଶିଥିବା ଦେବାଶିଷଙ୍କୁ ଶାସକ ଦଳରେ ଗୁରୁତ୍ୱ ମିଳୁଛି। ବିଜେଡିର ମୁଖପାତ୍ର ହେବା ସହ ଜିଲ୍ଲା ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି ଦେବାଶିଷ ମାର୍ଣ୍ଡିଂ। ଆଗାମୀ ସାଧାରଣ ନିର୍ବାଚନରେ ମୟୂରଭଞ୍ଜ ଲୋକସଭା ଆସନରୁ ଦେବାଶିଷଙ୍କୁ ବିଜେଡି ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ହେଉଛି।
ଅବଶ୍ୟ ବାରିପଦା ଛଉ ପଡ଼ିଆ ସମାବେଶ ଉପରେ ସମସ୍ତଙ୍କ ଆଖି ଥିଲା। ବିଜେଡି-ବିଜେପି ଠାରୁ ଗୁଇନ୍ଦା ବିଭାଗ ସମସ୍ତେ ଅପେକ୍ଷା କରିଥିଲେ ସେହି ଦୁର୍ନୀତି ବିରୋଧ ସଭାରୁ ବୈଜୟନ୍ତ କଣ କହିବେ। ହେଲେ ବିଚକ୍ଷଣ ବୈଜୟନ୍ତ ନିଜସ୍ୱ ଏଜେନ୍ସି ରିପୋର୍ଟକୁ ବିଶ୍ୱାସ କରି ଅଧାରୁ ଫେରି ଆସି ସମସ୍ତଙ୍କୁ ଚକମା ଦେଲେ। ଆଉ ଦାମଙ୍କ ସହ ନିଜର ପରବର୍ତ୍ତି ମିଳିତ ଜନସଭାକୁ ଅପେକ୍ଷା କରିବାକୁ ସମସ୍ତଙ୍କୁ ବାଧ୍ୟ କରିଦେଲେ।
ଏଥିସହ ପଢ଼ନ୍ତୁ–ଟିମ୍ ଇଣ୍ଡିଆକୁ ବାଜପେୟୀ ହସିକି କହିଲେ “ତାହାଲେ ପାକିସ୍ତାନରେ ବି ଆମେ ନିର୍ବାଚନ ଜିତିବୁ”
Connect With Us