‘ଉତ୍କଳେ ନେତାର ନାହିଁ ପ୍ରୟୋଜନ,ଉତ୍କଳର ନେତା ନିଜେ ନାରାୟଣ’ ଏ ଉକ୍ତି ସହିତ ପ୍ରାୟତଃ ସବୁ ଓଡ଼ିଆ ପରିଚିତ। ମାତ୍ର ଏ ଉକ୍ତିକୁ ଚ୍ୟାଲେଞ୍ଜ କରି ଏବେ କିଛି ପଲିଟିକାଲ ଓପିନିୟନ୍ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ରାଜନୀତିର ମହାନାଟକରେ ଏବେ ମହାପ୍ରଭୂ ଶ୍ରୀଜଗନ୍ନାଥ। ଦୁଇଦିନ ଧରି ଓଡ଼ିଶାରେ ହୋଇଥିବା ବିଜେଡ଼ି ଓ ବିଜେପିର ସମ୍ମୀଳନିରେ ଜଗନ୍ନାଥଙ୍କୁ ନେଇ ବୟାନବାଜୀ ହୋଇଛି। ବିଜେପି- ବିଜେଡି ବୟାନବାଜିରେ ମହାପ୍ରଭୁଙ୍କୁ ଶୀର୍ଷକ କରି ରାଜନୈତୀକ ଫାଇଦା ହାସଲ କରିବାକୁ ଚାହୁଛନ୍ତି ପଲିଟିକାଲ ପାର୍ଟୀ। ଓଡିଶା ଗସ୍ତରେ ଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦ୍ଵିତୀୟ ଦିନରେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରି ଫେରିବା ପରେ କୋଟି କୋଟି ଓଡ଼ିଆଙ୍କ ମଉଡମଣି ଶ୍ରୀ ଜଗନ୍ନାଥଙ୍କ ନାଁରୁ ଅଭିଭାଷଣ ଆରମ୍ଭ କରିଥିଲେ। ଛାମୁଆ ସଂଗଠନର ନେତାମାନଙ୍କୁ ସମ୍ବର୍ଦ୍ଧନା କରିବା ଅବସରରେ ବିଜେଡିର ଆକ୍ଷେପକୁ କଟାକ୍ଷ କରିଥିଲେ। ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଭଳି ଓଡିଶାରେ ଧର୍ମକୁ ନେଇ ରାଜନୀତି ଚାଲେନି। ଠାକୁରଙ୍କୁ ନେଇ ପ୍ରାୟ ରାଜନୀତି କମ ହୋଇଥାଏ। ହେଲେ ଓଡ଼ିଶାରେ ଏବେ ନୂଆ ଟ୍ରେଣ୍ଡ ଦେଖିବାକୁ ମିଳିଛି। ଆରାଧ୍ୟ ଦେବତା ଜଗନ୍ନାଥଙ୍କୁ ନେଇ ଆରମ୍ଭ ହୋଇଛି ରାଜନୀତି। କିଛିଦିନ ପୁର୍ବରୁ ରାଜ୍ୟସଭା ସାଂସଦ ସସ୍ମିତ୍ ପାତ୍ର ବିଜେପିର ଓଡ଼ିଶା ବସକୁ ନେଇ କଟାକ୍ଷ କରିଥିଲା ବେଳେ ନଡ୍ଡା ତାଙ୍କର କଟାକ୍ଷର ଜବାବ ଦେଇ କହିଥିଲେ ସମସ୍ତ ଭାରତୀୟଙ୍କ ବସ ହେଉଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ। ତାଙ୍କର ଏହି ଦର୍ଶନକୁ କାଉଣ୍ଟର କରି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏକ ଟ୍ୱିଟ୍ ଜରିଆରେ କଟାକ୍ଷ କରି ଜଗନ୍ନାଥଙ୍କୁ ମଧ୍ୟ ପ୍ରସଙ୍ଗ କରିଛନ୍ତି। ମହାପ୍ରଭୁଙ୍କୁ ନେଇ ଏ ମହାନାଟକ ଭକ୍ତଙ୍କୁ ବ୍ୟଥିତ କରିଥିଲା ବେଳେ ପ୍ରତାବ ଦେବଙ୍କ ବିବାଦୀୟ ଉକ୍ତି ରାଜନୈତିକ ଝଡ ସୃଷ୍ଟି କରିଛି।
ଲେଖାଶ୍ରୀଙ୍କ ପରେ ପ୍ରତାପ:ଦଳୀୟ ଚାଟୁକାରିତାରେ ମହାପ୍ରଭୁଙ୍କୁ ଛୋଟ କରିବାରେ ପ୍ରୟାସ
ଜଗନ୍ନାଥଙ୍କୁ ନେଇ ରାଜନୀତି କରିବା ଏକ ନୂଆ ପ୍ରଙ୍ଗ ନୁହେଁ। ବହୁ ପୂର୍ବରୁ ମଧ୍ୟ ରାଜନୀତିର ଗୋଟିଚାଳନାରେ ନେତାମାନେ ଜଗନ୍ନାଥଙ୍କୁ ପ୍ରସଙ୍ଗ କରିଛନ୍ତି। 2019 ସାଧାରଣ ନିର୍ବାଚନରେ ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ଜଗନ୍ନାଥଙ୍କ ପ୍ରତିମା ଧରି ପ୍ରଚାରକୁ ଓହ୍ଲାଇଥିଲେ। ଏପରିକି ଜଗନ୍ନାଥ ଡ଼ାକିଛନ୍ତି ଓ ମୋଦି ପଠାଇଛନ୍ତିର ନାରା ଦେଉଥିଲେ ସମ୍ବିତ। ଗୋଟାଏ ରାଜନୈତୀକ ସଭାରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତରାୟ ମଧ୍ୟ ବିବାଦିୟ କଥା କହି ସମାଲୋଚନାର ଶରବ୍ୟ ହୋଇଥିଲେ। ସେ କହିଥିଲେ ବିଜେପି ନେତା ସମ୍ବିତ ପାତ୍ର ପୁରୀ ଲୋକସଭା ଆସନରୁ ନିର୍ବାଚନ ଲଢ଼ିବାପରେ ଦେଶବାସୀ ଜାଣିଲେ ଯେ ପୁରୀ ଓଡ଼ିଶାରେ। ବିଜେଡ଼ି ନେତା ପ୍ରତାପ ଦେବ ମଧ୍ୟ ଜଗନ୍ନାଥଙ୍କ ବଦଳରେ ନବୀନହିଁ ଓଡ଼ିଶାର ପରିଚୟ ବୋଲି କହିଛନ୍ତି। ଯାହାକୁ ନେଇ ଆଲୋଚନା ସମାଲୋଚନା ଜାରୀ ରହିଛି।
ଜଗନ୍ନାଥ ନୁହେଁ ବରଂ ନବୀନ ଓଡ଼ିଶାର ପରିଚୟ:ପ୍ରତାପ ଦେବ
ବିଜେଡି ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଜେପି ନଡ୍ଡା ଜଗନ୍ନାଥ ଦର୍ଶନରେ ଯିବାକୁ ନେଇ ଏକ ଟ୍ୱିଟ କରି ଚର୍ଚ୍ଚାରେ ଥିଲାବେଳେ ବୀବାଦିୟ ମନ୍ତବ୍ୟ ଦେଇ ଅଡ଼ୁଆରେ ଛନ୍ଦି ହୋଇଛନ୍ତି ମନ୍ତ୍ରୀ ପ୍ରତାବ ଦେବ। ତାଙ୍କର ବୟାନ ଭକ୍ତମଣ୍ଡଳୀଙ୍କୁ ଅସନ୍ତୁଷ୍ଟ କରିଛି। ବିଜେଡ଼ିର ସମ୍ମୀଳନିରେ ପ୍ରତାପ ଦେବ ତାଙ୍କ ଭାଷଣରେ କହିଛନ୍ତି ଯେ ଆଗରୁ ବାହାରେ ଜଗନ୍ନାଥଙ୍କ ନାଁରେ ଓଡ଼ିଶାକୁ ଜାଣୁଥିଲେ ମାତ୍ର ଏବେ କେହି ଓଡ଼ିଶାରୁ ଆସିଛି ବୋଲି କହିଲେ ଲୋକେ ନବୀନଙ୍କ ରାଜ୍ୟ ବୋଲି ବୁଝୁଛନ୍ତି। ଅର୍ଥାତ୍ ଜଗନ୍ନାଥ ନୁହେଁ ବରଂ ନବୀନ ହିଁ ଓଡ଼ିଶାର ପରିଚୟ ବୋଲି କହିଛନ୍ତି। ଜଗନ୍ନାଥଙ୍କୁ ଛୋଟ କରି ନବୀନ ପଟ୍ଟନାୟକଙ୍କୁ ମହାନ ଦର୍ଶାଇବାର ଅପଚେଷ୍ଟାକୁ ବୁଦ୍ଧୀଜୀବି ବିରୋଧ କରିବା ସହ ଏହା ପ୍ରତାପଙ୍କ ଅତି ଆନୁଗତ୍ୟ ବୋଲି ସମାଲୋଚନା ମଧ୍ୟ କରିଛନ୍ତି। ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହାକୁ ଅଂହକାରର ଶେଷ ସୀମା ବୋଲି କହିଥିଲା ବେଳେ ପିସିସି ସଭାପତି ଶରତ ପଟ୍ଟନାୟକ ମଧ୍ୟ ଏ ମତକୁ ବିରୋଧ କରିଛନ୍ତି।ତେବେ ରାଜନୀତିର ଏହି ଟ୍ରେଣ୍ଡକୁ ଲୋକେ କେତେ ଗ୍ରହଣ କରୁଛନ୍ତି ଓ କିପରି ତାର ଜବାବ ରଖୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା