ଟିମ୍ ଇଣ୍ଡିଆକୁ ଏକ ବଡ ସଫଳତା ମିଳିଛି। ଜୁନ ୨୮ରେ ଆୟରଲାଣ୍ଡକୁ ତା’ର ମାଟିରେ ପରାସ୍ତ କରିଛି ଇଣ୍ଡିଆ ଟିମ୍। ଦମଦାର ମ୍ୟାଚରେ ଅନ୍ତିମ ପର୍ଯ୍ୟାୟରେ ଟିମ୍ ଇଣ୍ଡିଆ ଜୟଲାଭ କରିଛି। ଭାରତୀୟ ଟିମ୍ ୨ ମ୍ୟାଚର ଶୃଙ୍ଖଳାକୁ ୨-୦ରେ ଜିତିଛି। ଉଭୟ ମ୍ୟାଚ ରାଜଧାନୀ ଡବଲିନସ୍ଥିତ ଦ ଭିଲେଜ ଷ୍ଟାଡିୟମ୍ରେ ଖେଳାଯାଇଥିଲା। ପୂର୍ବରୁ ଗତ ୨୬ ତାରିଖରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଭାରତ ୭ ୱିକେଟ୍ରେ ଜିତିଥିଲା।
କେମିତି ଥିଲା ମ୍ୟାଚ୍
ମ୍ୟାଚରେ ଟିମ୍ ଇଣ୍ଡିଆ ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଏହା ପରେ ଦୀପକ ହୁଡ୍ଡା ୫୫ଟି ବଲ୍ରେ ଶତକ ମାରିଥିଲେ। ସେ ମୋଟ ୫୭ଟି ବଲ୍ ଖେଳି ୧୦୪ ରନ୍ କରିଥିଲେ। ଏଥିରେ ୬ଟି ଛକା ଓ ୯ଟି ଚୌକା ସାମିଲ ଥିଲା । ଏହା ବ୍ୟତୀତ ସଂଜୁ ସାମସନ ୪୨ଟି ବଲ୍ ଖେଳି ୭୭ ରନ୍ କରିଥିଲେ। ଏଥିରେ ୪ଟି ଛକା ଓ ୯ଟି ଚୌକା ସାମିଲ ଥିଲା। ଫଳରେ ଭାରତ ୭ ୱିକେଟ ହରାଇ ୨୨୫ ରନ୍ ସଂଗ୍ରହ କରିଥିଲା। ଆୟରଲ୍ୟାଣ୍ଡ ଟିମ୍ ଭଲ ଖେଳିଥିଲେ ସୁଦ୍ଧା ବିଜୟ ହାସଲ କରି ପାରିନଥିଲେ। ଭାରତ ଆୟରଲ୍ୟାଣ୍ଡକୁ ୪ ରନ୍ରେ ପରାସ୍ତ କରିଛି।