ଝାରସୁଗୁଡ଼ା ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଦ୍ୱିପହରରେ କରାଗଲା ଗୁଳି ମାଡ଼। ବ୍ରଜରାଜ ନଗର ଗାନ୍ଧି ଛକରେ କାର୍ ଡ଼ୋର ଖୋଲିଲା ମାତ୍ରେ ଛାତିରେ ତାଙ୍କର ବାଜିଥିଲା ଗୁଳି। ପୁଲିସ ASI ଗୋପାଳ ଦାସଙ୍କ ଗୁଳିମାଡ଼ରେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲା ପରେ ଆଖି ବୁଜିଲେ ମନ୍ତ୍ରୀ ନବ ଦାସ। କେବଳ ନବ ଦାସ ନୁହଁନ୍ତି, ଓଡ଼ିଶାର ଏକ ନମ୍ବର ଲୋକସଭା ଆସନ,ବରଗଡ଼ ନିର୍ବାଚନ ମଣ୍ଡଳୀର ବହୁ ତୁଙ୍ଗ ନେତା ପଦରେ ଥାଇ ହରେଇଲେଣି ପ୍ରାଣ। ଗତ ୫ ବର୍ଷରେ ସୁବଳ ସାହୁ, ସୁବାସ ଚୌହାନ,ବିଜୟ ରଞ୍ଜନ ସିଂ ବରିହା ଏବଂ କିଶୋର ମହାନ୍ତିଙ୍କ ଦେହାନ୍ତ ହୋଇଛି।
ବରଗଡ଼ର ଟାଣୁଆ ନେତା ଥିଲେ ନବ ଦାସ
ତେବେ ଜଣେ ପ୍ରଭାବୀ ଛାତ୍ରନେତାରୁ ସଫଳ ରାଜନେତା ହୋଇ ପାରିଥିବା ନବ ଦାସ, କଲେଜ ଇଲେକ୍ସନରୁ ଦବଦବା ଦେଖାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲବ ପଟ୍ଟନାୟକଙ୍କ ଗୁଡବୁକକୁ ଆସିଥିଲେ। ସମ୍ବଲପୁର ଗଙ୍ଗାଧର ମେହେର କଲେଜ ଛାତ୍ର ରାଜନୀତିରେ ହାରିଥିଲେ ବି କଲେଜ ପଲିଟିକ୍ସକୁ ହାତମୁଠାରେ ରଖି ପାରିଥିବା ନବ ଦାସ,ଝାରସୁଗୁଡ଼ାର ଭଡ଼ା ଘରେ ରହି, ତିଆରି କରିଥିଲେ ସଙ୍ଗଠନ। ୨୦୦୪ରେ ଝାରସୁଗୁଡ଼ାରୁ କଂଗ୍ରେସ ଟିକେଟରେ କିଶୋର ମହାନ୍ତିଙ୍କ ଠାରୁ ପରାସ୍ତ ହୋଇଥିଲେ ନବ ଦାସ। ମାତ୍ର ୨୦୦୯ ଓ ୨୦୧୪ରେ ବିଜେଡିର ହାୱାକୁ ଅଟକାଇ ବିଧାୟକ ହେଲେ। ୨୦୧୯ରେ ବିଜେଡିରେ ଯୋଗ ଦେଇ ବିଧାୟକ ହେବା ସହ ହାତେଇ ଥିଲେ ମନ୍ତ୍ରୀ ପଦ। ନବ ଦାସଙ୍କ ଦେହାନ୍ତ ପରେ ସଫଳତାର ସିଡ଼ିକୁ ଚଢ଼ିବାର ସମ୍ଭାବନା ଚର୍ଚ୍ଚାର ଅନ୍ତ ଘଟିଛି।
ସୁବଳ ସାହୁ
୨୦୧୭ ଅଗଷ୍ଟ ୨୨ ରେ ମାତ୍ର ୫୭ବର୍ଷ ବୟସରେ ଆରପାରିକୁ ଯାତ୍ରା କରିଥିଲେ ବିଜେପୁର ବିଧାୟକ ସୁବଳ ସାହୁ। ବିଜେଡ଼ିର ପଲିଟିକାଲ୍ ଷ୍ଟ୍ରାଟେଜିକୁ ଧୂଆଁବାଣ କରି ତିନି ଥର କଂଗ୍ରେସ ଟିକେଟରେ ବିଧାୟକ ଆସନ ହାତେଇ ଥିଲେ ସୁବଳ ସାହୁ। ବିଜୁ ଜନତା ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବି ମାତ୍ ଦେଇଥିଲେ। ଯଦିଓ ତାଙ୍କର ମୃତ୍ୟୁ ପରେ ପତ୍ନୀ ରୀତା ସାହୁ, ବିଜେଡିରେ ମିଶି ମନ୍ତ୍ରୀ ପଦ ହାତେଇଛନ୍ତି, କିନ୍ତୁ ସୁବଳ ସାହୁ ବଞ୍ଚିଥିଲେ ହୁଏତ ଆହୁରି ଆଗକୁ ଯାଇ ଥାଆନ୍ତେ।
ସୁବାସ ଚୌହାନ
୨୦୨୦ ମେ ୧୦ରେ ୫୪ ବର୍ଷ ବୟସରେ ଆଖି ବୁଜିଥିବା ସୁବାସ ଚୌହାନଙ୍କ ପଲିଟିକାଲ୍ ପସିବିଲିଟି ମଧ୍ୟ ଖୁବ୍ ଭଲ ଥିଲା। ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ପଦରେ ରହିବା ସହ ବିଜେପି ଟିକେଟରେ ୨୦୧୪ ଲୋକସଭା ଆସନରେ ପ୍ରତିଦ୍ୱନ୍ଦିତା କରିଥିଲେ ସୁବାସ। ପ୍ରଭାସ ସିଂ ଯଦିଓ ବରଗଡ଼ ଆସନ ହାତେଇଥିଲେ, କିନ୍ତୁ ଭୋଟ ବ୍ୟବଧାନ ଥିଲା ମାତ୍ର ୧୧,୧୭୮।
କିଶୋର ମହାନ୍ତି
ସୁବାସ ଚୌହାନଙ୍କ ମୃତ୍ୟୁ ପରେ ୨୦୨୧ ଡିସେମ୍ବର ୩୦ରେ ଆଖି ବୁଜିଥିଲେ ପଶ୍ଚିମ ଓଡ଼ିଶାର ଟାଣୁଆ ନେତା କିଶୋର ମହାନ୍ତି। ଝାରସୁଗୁଡ଼ା ପୌର ପରିଷଦର କାଉନସିଲର ଭାବେ କ୍ୟାରିୟର ଆରମ୍ଭ କରି ଓଡ଼ିଶା ବିଧାନସଭାର ବାଚସ୍ପତି ଆସନରେ ବସିଥିଲେ କିଶୋର ବାବୁ। ୩ଥର ଝାରସୁଗୁଡ଼ା ବିଧାନସଭା କ୍ଷେତ୍ରକୁ ପ୍ରତିନିଧିତ୍ୱ ସହ ରାଜ୍ୟସଭା ସାଂସଦ ଓ ବ୍ରଜରାଜ ନଗରରୁ ବିଧାୟକ ଭାବେ ନିର୍ବାଚତ ହୋଇଥିଲେ। ଏହାସହ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ହୋଇ ନିଜର ମ୍ୟାନେଜରିଆଲ୍ ସ୍କିଲକୁ ପ୍ରତିପାଦନ କରିଥିବା କିଶୋର ମହାନ୍ତି, ବିଧାୟକ ପଦରେ ଥାଇ ମାତ୍ର ୬୩ ବର୍ଷ ବୟସରେ ପ୍ରାଣ ହରାଇଲେ।
ବିଜୟ ରଞ୍ଜନ ସିଂ ବରିହା
୨୦୨୨ ଅକ୍ଟୋବର ୩ରେ ସମାନ ଦଶା ଭୋଗିଲେ ଡେୟାରିଙ୍ଗ ଲିଡ଼ର ବିଜୟ ରଞ୍ଜନ ସିଂ ବରିହା। ମାତ୍ର ୬୪ ବର୍ଷ ବୟସରେ ଆରପାରରିକୁ ଯାତ୍ରା କଲେ ପଦ୍ମପୁରର ୫ ଥରର ବିଧାୟକ ବରିହା ବାବୁ। ଜିଲ୍ଲା ବିଜେଡି ସଭାପତି ସହ ଆଦିବାସୀ ଓ ହରିଜନ ଉନ୍ନୟନ ମନ୍ତ୍ରୀ ହୋଇଥିଲେ। ଆଗକୁ ଯିବାର ସମ୍ଭାବନା ଥିଲେ ସୁଦ୍ଧା ମୃତ୍ୟୁ ଆଗରେ ତାଙ୍କୁ ହାର ମାନିବାକୁ ପଡ଼ିଥିଲା।
ଏସବୁ ଦୃଷ୍ଟିରୁ ବିଚାର କଲେ ଓଡ଼ିଶାର ୨୧ଟି ଲୋକସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ଏକ ନମ୍ବର ଲୋକସଭା ନିର୍ବାଚନ ମଣ୍ଡଳୀ-ବରଗଡ଼ ଚର୍ଚ୍ଚାକୁ ଆସିବା ସ୍ୱଭାବିକ। କାରଣ ଗତ ୫ ବର୍ଷରେ ଏଠି ୫ ତୁଙ୍ଗ ନେତାଙ୍କ ଅକାଳ ମୃତ୍ୟୁ ହୋଇଛି। ପଦରେ ଥାଇ ପ୍ରାଣ ହରେଇଥିବା ନେତାଙ୍କ କ୍ଷେତ୍ର ପାଲଟିଛି ବରଗଡ଼ ଲୋକସଭା। ବରଗଡ଼ର ସୀମା ଡେଇଁ ଓଡ଼ିଶା ରାଜନୀତିରେ ପ୍ରଭାବ ରଖିଥିବା ଏହି ନେତା ଜୀବିତ ଥିଲେ ହୁଏତ ଢେର୍ ଆଗକୁ ଯାଇ ପାରି ଥାଆନ୍ତେ। ମାତ୍ର ମରଣ ଆଗରେ ସମସ୍ତଙ୍କ ପଲିଟିକାଲ ପ୍ରୋଫାଇଲ ହାର ମାନିଛି।
ଏ ଷ୍ଟୋରୀ ଲେଖିଛନ୍ତି ରଶ୍ମିତା ବେହେରା