ବିଜେଡିରୁ ବିଦା ହୋଇଥିବା ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ପଲିଟିକାଲ୍ କ୍ୟାରିୟରକୁ ସମାପ୍ତ କରିବାକୁ ଲାଗିଛନ୍ତି ଅନେକ ନେତା। ସେହି ନେତାମାନେ ବିରୋଧୀ ଶିବିରର ନୁହନ୍ତି, ସେମାନେ ସମସ୍ତେ ପ୍ରଶାନ୍ତଙ୍କ ପୁରୁଣା ବନ୍ଧୁ, ବିଜୁ ଜନତା ଦଳର। ୨୦୧୪ରେ ବୋଲଗଡ଼-ବେଗୁନିଆ ଏବଂ ୨୦୧୯ରେ ଚିଲିକାରୁ ଶଙ୍ଖ ଚିହ୍ନରେ ବିଜୟୀ ହୋଇଥିବା ପ୍ରଶାନ୍ତଙ୍କ ବରୋଧରେ, ବିଜେଡି ନେତାଏ କାହିଁକି କରୁଛନ୍ତି ମେଳି? ଏ ବିରୋଧର କାରଣ ହେଉଛି ପ୍ରଶାନ୍ତଙ୍କର ସାଂଗଠନିକ ଦକ୍ଷତା। ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ପ୍ରଶାନ୍ତଙ୍କ ସଂଗଠନ ଥିବାରୁ,ଜିଲ୍ଲାର ଆଗ ଧାଡ଼ିର ନେତା ଛାନିଆ। ସେଥିପାଇଁ ପ୍ରଶାନ୍ତଙ୍କ ଅନ୍ତ ଲାଗି, ମଞ୍ଚ କରୁଛନ୍ତି ସଜ୍ଜବାଜ।
ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ବଡ଼ପୋଖରୀର ମୂଳନିବାସୀ ପ୍ରଶାନ୍ତ, ନିରାକାରପୁର କ୍ଷେତ୍ରବାସୀ ଡିଏଭି କଲେଜର ଛାତ୍ରସଂସଦର ଥିଲେ ସଭାପତି। ଖୋର୍ଦ୍ଧା ଜିଲ୍ଲା ପରିଷଦର ଅଧ୍ୟକ୍ଷ ବି ଥିଲେ। ଖୋର୍ଦ୍ଧା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଦାୟିତ୍ୱ ତୁଲାଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ବରୋଧରେ ଲଢି, ଅଳ୍ପ ବ୍ୟବଧାନରେ ପରାସ୍ତ ହୋଇଥିବା, ଫାୟରାବ୍ରାଣ୍ଡ ପ୍ରଶାନ୍ତଙ୍କ ସହ ୨୦୨୪ରେ ହୁଏତ ବିଜେଡି ନଥିବ। ପ୍ରଶାନ୍ତଙ୍କ ନିର୍ବାଚନ ମଣ୍ଡଳୀ ଚିଲିକାରେ,ବିଜେଡି ନେତାଙ୍କ ଗୋପନ ବୈଠକ ହେବାର କାରଣ କିଛି ଅଲଗା। ଫୋକସରେ ଚିଲିକା ନୁହେଁ, ଅଛି ଖୋର୍ଦ୍ଧା। ପ୍ରଶାନ୍ତଙ୍କ ପସନ୍ଦ ଖୋର୍ଦ୍ଧା ବିଧାନସଭା। କିନ୍ତୁ ଖୋର୍ଦ୍ଧା ପାଇଁ ଦାବିଦାର ଅନେକ। ବିଧାୟକ ଜିତୁ ମିତ୍ର ସୁସ୍ଥ ହେଲେଣି। ବିଜେଡି ଟିକେଟରୁ ସେ ଲଢିବା ପାଇଁ ଅଣ୍ଟା ଭିଡ଼ିଲେଣି। ପୂର୍ବତନ ଖୋର୍ଦ୍ଧା ତଥା ବର୍ତ୍ତମାନର ବୋଲଗଡ଼-ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ ବି ଖୋର୍ଦ୍ଧା ଫେରିବାକୁ ସଜ୍ଜବାଜ। ବିଜେଡି କେତେବେଳେ ବିଜେପିର କାଳୁ ଖଣ୍ଡାୟତ ରାୟଙ୍କୁ ଟିକେଟ ଦେଇ ଦେବ, ସେ କଥାକୁ ବି ଏଡ଼ାଇ ହେଉନି। ଏଭଳି ସ୍ଥିତିରେ ପ୍ରଶାନ୍ତଙ୍କର ମଧ୍ୟ ଆଖି ଖୋର୍ଦ୍ଧା ଉପରେ।
ପ୍ରଶାନ୍ତ ବୁଝିଗଲେଣି ଯେ ଖୋର୍ଦ୍ଧା ବିଜେଡି ନେତା ଚିଲିକାରେ ଯେଉଁ ବୈଠକ କଲେ, ତାହା ତାଙ୍କୁ ରାସ୍ତାରୁ ହଟାଇବା ପ୍ରୋଜେକ୍ଟ ଥିଲା। କାରଣ ଚିଲିକା ମିଟିଂକୁ ଗଲେ ବିଭୂତି ବଳବନ୍ତରାୟ, ଏବଂ ରାଜେନ୍ଦ୍ର ସାହୁଙ୍କ ପରି ନେତା। ହେଲେ ପ୍ରଶାନ୍ତଙ୍କ ସ୍ତ୍ରୀ ସ୍ୱାଗତିକା ଜଗଦ୍ଦେବଙ୍କୁ ଡ଼କାଗଲାନି ଚିଲିକା ବୈଠକକୁ। ପ୍ରଶାନ୍ତ ସିନା ଦଳରେ ନାହାନ୍ତି, କିନ୍ତୁ ତାଙ୍କ ସ୍ତ୍ରୀ ସ୍ୱାଗତିକା ତ ବିଜୁ ଜନତା ଦଳରେ ସକ୍ରିୟ। ସେପଟେ ହଠାତ୍ ରାଗୁଥିବା ନେତା ପ୍ରଶାନ୍ତ ଜଗଦେବଙ୍କୁ ଚେକ୍ ଦେବାକୁ ଅଫିସର ତୟାର। ଚିଲିକାରେ ବିଜେପି ନେତାଙ୍କୁ ପିଟି, ଲୋକଙ୍କ ଉପରେ ଗାଡ଼ି ଚଢାଇଥିବା ପ୍ରଶାନ୍ତ, ମହିଳା ତହସିଲଦାରଙ୍କୁ କରିଥିଲେ ଆକ୍ରମଣ। ୨୦୧୫ରଥଯାତ୍ରା ସମୟରେ ତତ୍କାଳୀନ ପୁରୀ ଏସପିଙ୍କ ସହ ହାତାହାତି ହୋଇଥିଲେ ପ୍ରଶାନ୍ତ। ଅଫିସର ରାଜକୁ ଖାତିର କରନ୍ତି ନାହିଁ ପ୍ରଶାନ୍ତ। ପ୍ରଶାସନର ଇଗୋ ହର୍ଟ ହେଉଛି। ସେଥିପାଇଁ ଅଫିସରମାନେ ମଧ୍ୟ ପ୍ରଶାନ୍ତଙ୍କ ବିପକ୍ଷରେ। କିନ୍ତୁ ବିଜେଡି ଟିକେଟ ନପାଇଲେ ଧାମନଗରର ରାଜୁ ଦାସଙ୍କ ଠାରୁ ବଡ଼ ବିଦ୍ରୋହୀ ପାଲଟିବେ ପ୍ରଶାନ୍ତ।
ଶୁଣିବାକୁ ମିଳୁଛି ପ୍ରଶାନ୍ତଙ୍କ ସାହସ, ସଂଜୟ ଦାସବର୍ମାଙ୍କର ବିଜେଡି ସହ ସଂପର୍କ ତୁଟିବାରେ ଲାଗୁଛି। ସେଥିପାଇଁ ବିଜେପି ସହ ପ୍ରଶାନ୍ତଙ୍କ ସଂପର୍କ ମଧୁର ହେଉଛି। ପ୍ଲାନ୍ ଅନୁସାରେ ପଦ୍ମ ଚିହ୍ନରେ ବୋଲଗଡ଼-ବେଗୁନିଆ ଆସନରୁ ଲଢି ପାରନ୍ତି ପ୍ରଶାନ୍ତ। ଯଦି ବିଜେପି ଗେମ୍ -ପ୍ଲାନ ଫେଲ୍ ମାରିଲା, ତେବେ ବଡ଼ ସଟ୍ ଖେଳିପାରନ୍ତି ପ୍ରଶାନ୍ତ। ଚିଲିକା, ଖୋର୍ଦ୍ଧା ଓ ବୋଲଗଡ଼-ବେଗୁନିଆରୁ ସ୍ୱାଧୀନ ଭାବେ ଲଢ଼ିବା ମୁଡରେ ପ୍ରଶାନ୍ତ। ସବୁ ନିର୍ବାଚନ ମଣ୍ଡଳୀରୁ ୧୦ରୁ ୧୫ହଜାର ବିଜେଡି ଭୋଟ କାଟିବାର ଦାବି କରୁଛନ୍ତି ପ୍ରଶାନ୍ତ। ଏପରି ହେଲେ ଖୋର୍ଦ୍ଧା ଜିଲ୍ଲାର ତିନି ବିଧାନସଭା ବିଜେଡି ହାତରୁ ଯିବ ଖସି।