ଝାରସୁଗୁଡ଼ା ବିଧାୟକ ତଥା ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ପରେ ଖାଲି ପଡ଼ିଥିବା ଝାରସୁଗୁଡ଼ା ଆସନରେ ଉପନିର୍ବାଚନ ସମାପ୍ତ ହୋଇଛି। ମେ’ ୯ ରେ ଉପନିର୍ବାଚନ ହୋଇଥିଲା ବେଳେ ମେ ୧୩ ରେ ଫଳ ପ୍ରକାଶ ପାଇଛି। ବିଜେପି ଏବଂ କଗ୍ରେସ ପ୍ରାର୍ଥିଙ୍କୁ ପଛରେ ପକାଇ ବିଜେଡ଼ି ପ୍ରାର୍ଥି ଦୀପାଳି ଦାସ ବିଜୟୀ ହୋଇଛନ୍ତି। କଂଗ୍ରେସ ପ୍ରାର୍ଥି ତରୁଣ ପାଣ୍ଡେଙ୍କୁ ୪,୪୭୩ ଭୋଟ୍ ମିଳିଥିଲା ବେଳେ ବିଜେପି ପ୍ରାର୍ଥି ଟଙ୍କଧର ତ୍ରିପାଠୀ ୫୮,୩୮୪ ଭୋଟ୍ ପାଇ ଦୀପାଳିଙ୍କ ପଛରେ ରହିଛନ୍ତି। ବିଜୟୀ ପ୍ରାର୍ଥି ଦୀପାଳି ଦାସଙ୍କୁ ୧,୦୭,୦୦୩ ଭୋଟ ମିଳିଛି।ତରୁଣଙ୍କୁ ୪୮,୬୧୯ ଭୋଟ୍ ବ୍ୟବଧାନରେ ହରେଇଛନ୍ତି ଦୀପାଳି ଦାସ। ନବଙ୍କ ମୃତ୍ୟୁ ପରେ ସେ ନେଇଥିବା ସ୍ୱାସ୍ଥ୍ୟ ବିଭାଗ ଦାୟିତ୍ୱ ତୁଲାଉଛନ୍ତି ନିରଞ୍ଜନ ପୁଜାରୀ। ଶୁକ୍ରବାର ବାଚସ୍ପତିଙ୍କ ସମେତ ଦୁଇ ମନ୍ତ୍ରୀ ମଧ୍ୟ ଇସ୍ତଫା ଦେଇଛନ୍ତି। ଝାରସୁଗୁଡ଼ାରେ ରେକର୍ଡ ସଂଖ୍ୟକ ବିଜୟ ପାଇଁ ଦୀପାଳିଙ୍କୁ ଆଉ ଏକ ଖୁସି ଖବର ମିଳିପାରେ ବୋଲି ଚର୍ଚ୍ଚା।
ପ୍ରଥମ ଥର ପାଇଁ ଲକ୍ଷେ ଡ଼େଇଁଲା ବିଜେଡ଼ି ଭୋଟ୍, ଭାଙ୍ଗିଲା ନବଙ୍କ ରେକର୍ଡ
ବିଗତ ଥର ଅପେକ୍ଷା ଚଳିତ ଥର ଲୋକମତ ବିଜେଡ଼ି ସପକ୍ଷରେ ରହିଛି। ଏପରିକି ପ୍ରଥମ ଥର ପାଇଁ ବିଜେଡ଼ି ଲକ୍ଷେ ଡ଼େଇଁଛି। ଦୀପାଳି ଦାସଙ୍କୁ ୧,୦୭,୦୦୩ ଭୋଟ ମିଳିଛି। ୨୦୧୯ ନିର୍ବାଚନରେ ଏହି ଆସନରୁ ବିଜେଡି ପ୍ରାର୍ଥି ନବ ଦାସଙ୍କୁ ୯୮,୬୨୦ ଭୋଟ୍ ମିଳିଥିଲା ବେଳେ ବିଜେପି ପ୍ରାର୍ଥି ଦୀନେଶ କୁମାର ଜୈନଙ୍କୁ ମିଳିଥିଲା ୫୨, ୯୨୧ ଭୋଟ୍। ଦିନେଶଙ୍କୁ ୪୫, ୪୯୯ ଖଣ୍ଡ ଭୋଟ ବ୍ୟବଧାନରେ ହରାଇଥିଲେ ନବ ଦାସ।ବାପାଙ୍କ ବିଜୟ ବ୍ୟବଧାନ ୪୫,୪୯୯ ଥିଲାବେଳେ ଝିଅଙ୍କ ବିଜୟ ବ୍ୟଧାନ ରହିଛି ୪୮,୬୧୯।
ବିଜେପିର ଭୋଟ ବଢୁଛି,ତଳମୁହାଁ କଂଗ୍ରେସ ଗ୍ରାଫ
ଫଳାଫଳ ରେ ବିଜେପି ଚଳିତ ଥର ସମର୍ଥକଙ୍କ ସଂଖ୍ୟା ବଢାଇଥିଲା ବେଳେ କଂଗ୍ରେସ ଗ୍ରାଫ୍ ତଳକୁ ଖସିଛି । ୨୦୧୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥି ମହେନ୍ଦ୍ର ନାୟକଙ୍କୁ ୧୮,୮୨୩ ଭୋଟ ମିଳିଥିଲା ବେଳେ ଏଥର ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥି ତରୁଣ ପାଣ୍ଡେଙ୍କୁ ମାତ୍ର ୪,୪୭୩ ଭୋଟ ମିଳିଛି। ଲୋକଙ୍କ ଆସ୍ଥା ଜିତିବାରେ ବିଜେଡି ଆଗୁଆ ଥିଲେ ବି ବିଜେପିର ଭୋଟ୍ ବଢିବା କୁହାଯାଇପାରେ। ମାତ୍ର କଂଗ୍ରେସ କ୍ଷେତ୍ରରେ ପ୍ରତିଟି ଉପନିର୍ବାଚନରେ ସମର୍ଥକଙ୍କ ସଂଖ୍ୟା କମୁଛି। ଯାହା କଂଗ୍ରେସ ପାଇଁ ଆଦୌ ଶୁଭଙ୍କର ନୁହେଁ ।
ଏ ଷ୍ଟୋରୀ ଲେଖିଛନ୍ତି -ରଶ୍ମିତା ବେହେରା