ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏବଂ ଉପ ମୁଖ୍ୟମନ୍ତ୍ରୀ ବସନ୍ତ ବିଶ୍ୱାଳଙ୍କ  ଯୋଡ଼ି ବେଳେ ରାଜ୍ୟ କଂଗ୍ରେସ ଢେର୍ ଆଗକୁ ଉଠିଥିଲା।  ଏବେ କଂଗ୍ରେସରେ ଯୋଉ ଭଳିଆ ପରିସ୍ଥିତି ସୃଷ୍ଟି ହେଉଛି ଏପରି ଯୋଡ଼ି ତିଆରି ହୁଏତ ସମ୍ଭବ ନୁହେଁ। ସାଧାରଣ ନିର୍ବାଚନକୁ ଲକ୍ଷ କରି ବିଜେଡି  ବିଜେପି ସଙ୍ଗଠନ ସଜାଡ଼ୁଥିଲା ବେଳେ ଦଳୀୟ କନ୍ଦଳରୁ ବାହାରି ପାରୁନି କଂଗ୍ରେସ। ଏପରିକି ପିସିସି ସଭାପତି ପରିବର୍ତ୍ତନ ପରେ ମଧ୍ୟ ଆସିନି ସନ୍ତୋଷଜନକ ସୁଧାର। ଜାନକୀ ବଲ୍ଲଭ ପଟ୍ଟନାୟକ ଏବଂ ବସନ୍ତ ବିଶ୍ୱାଳଙ୍କ ଯୋଡ଼ିକୁ ନେଇ ଆୟୋଜିତ ଆଲୋଚନା ଚକ୍ରରେ ଅସନ୍ତୋଷ ଝାଡ଼ିଛନ୍ତି କଂଗ୍ରେସ ନେତା ଚିରଞ୍ଜିବ ବିଶ୍ୱାଳ ଏବଂ ମହମ୍ମଦ ମୋକିମ୍।ଜାନକୀ ଏବଂ ବସନ୍ତଙ୍କ ଭଳି ଯୋଡ଼ି ଆଉ ନାହିଁ ବୋଲି ମତ ରଖିଛନ୍ତି ଉଭୟ ନେତା।

କଂଗ୍ରେସ ପାଇଁ ରୋଲ ମଡ଼େଲ ହେବ କି ଜାନକୀ-ବସନ୍ତଙ୍କ ଯୋଡ଼ି
କଂଗ୍ରେସ ଏବେ ଯୋଉ ପରିସ୍ଥିତି ଦେଇ ଗତି କରୁଛି ସୋନିଆ ଗାନ୍ଧି ରାହୁଲ ଗାନ୍ଧିଙ୍କ ନାଁ ରେ ଆଉ ଭୋଟ ନାହିଁ। ଏଥିପାଇଁ ରାଜ୍ୟରେ ବିକଳ୍ପ ବ୍ୟବସ୍ଥା କରୁଛି କଂଗ୍ରେସ। ଭରସା କରିଛନ୍ତି ଜାନକୀ ବାବୁ ଓ ବସନ୍ତ ବାବୁଙ୍କ ଯୋଡ଼ି ଉପରେ। ଅସନ୍ତୁଷ୍ଟ କଂଗ୍ରେସ ପାଇଁ ନୂଆ ରାସ୍ତା ସାଜିବ ଜାନକୀ-ବସନ୍ତଙ୍କ ଯୋଡ଼ି। ୮୦ ଦଶକରେ ଏବଂ ବିଶେଷତଃ ୯୫ରୁ ୨୦୦୦ ମଧ୍ୟରେ ଏ ଯୋଡ଼ି ଦଳକୁ ବଳ ଯୋଗାଉଥିଲା। ‘‘ଜାନକୀ ବାବୁ ଓ ବସନ୍ତ ବାବୁଙ୍କ ଯୋଡ଼ି ଓଡ଼ିଶା ରାଜନୀତିର ସୁବର୍ଣ୍ଣ ଯୁଗ’’ ନାମରେ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା।

ପିସିସି ସଭାପତିଙ୍କୁ ଚିରଞ୍ଜିବ, ମୋକିମଙ୍କ ଟାର୍ଗେଟ
‘ଜାନକୀ ବାବୁ ଓ ବସନ୍ତ ବାବୁଙ୍କ ଯୋଡ଼ି ଓଡ଼ିଶା ରାଜନୀତିର ସୁବର୍ଣ୍ଣ ଯୁଗ’’ ଆଲୋଚନାଚକ୍ରରେ ଯୋଗ ଦେଇ ଅସନ୍ତୋଷ ଝାଡ଼ିଛନ୍ତି ଚିରଞ୍ଜିବ ବିଶ୍ୱାଳ ଏବଂ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ୍। ଉଭୟ ନେତା ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି। ଦଳରେ ଯିଏ ସଭାପତି ହବ ସେ କାହାକୁ ପଚାରିବନି ବୋଲି କହିଛନ୍ତି ଚିରଞ୍ଜିବ। ଆମ ଦଳରେ ୯ ଜଣ ବିଧାୟକ କିନ୍ତୁ ୨୦ଜଣ ମୁଖ୍ୟମନ୍ତ୍ରୀ ପ୍ରାର୍ଥି ଅଛନ୍ତି ବୋଲି କହିବା ସହ ୨୦୨୪ ନିର୍ବାଚନରେ ୧୪୭ ଆସନ ପାଇଁ ପ୍ରାର୍ଥି ମିଳିବେ କି ନାହିଁ ବୋଲି କଟାକ୍ଷ କରିଛନ୍ତି ଚିରଞ୍ଜିବ।

ମୋକିମଙ୍କ ତେରେଛା ବାଣ,କାନକୁହା କଥା ନ ଶୁଣୁ କଂଗ୍ରେସ
ମହମ୍ମଦ ମୋକିମ୍ ସିଧାସଳଖ ଟାର୍ଗେଟ ନ କଲେ ମଧ୍ୟ ତେରେଛା ବାଣ ମାରିଛନ୍ତି। ପିସିସି ସଭାପତିଙ୍କ ଆଦର୍ଶ କିପରି ହେବା ଉଚିତ ବୋଲି ସେ ମତ ରଖିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏବଂ ଉପ ମୁଖ୍ୟମନ୍ତ୍ରୀ ବସନ୍ତ ବିଶ୍ୱାଳଙ୍କ ଆଦର୍ଶରୁ କିଛି ଶିଖିବା ଉଚିତ। କାନକୁହା କଥାରେ ବିଶ୍ୱାସ ନ କରି,କାହାକୁ ଉପେକ୍ଷା ନ କରି ସାଥିରେ ନେଇ ଆଗକୁ ଉଠିଲେ ଦଳ ଉପରକୁ ଉଠି ପାରିବ ବୋଲି ସେ କହିଛନ୍ତି।

ଅନ୍ୟ ପାର୍ଶ୍ୱରେ ଏହା ଆମ ପରିବାରର କଥା ଏବଂ ପରିବାର ଭିତରେ ହିଁ ଏହାର ସମାଧାନ କରିବୁ  ବୋଲି ମତ ରଖିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା