ମନଗଢ଼ା କାହାଣୀ ନୁହେଁ; ସତ କଥାର ସିନେମା-ଦମନ, ଓଡ଼ିଆ ଦର୍ଶକଙ୍କ ଫେଭରାଇଟ୍

ଓଡ଼ିଆ ସିନେମ। ପାଇଁ ସଞ୍ଜିବନୀ ସାଜିଛି ଦମନ। ଓଡ଼ିଆ ସିନେମାକୁ ହଲ୍ ମିଳୁନଥିଲା ବେଳେ ଦମନ ଫିଲ୍ମକୁ ନେଇ ଦର୍ଶକ ବେଶ୍ ଉତ୍ସାହୀ। ସତ ଘଟଣା ଉପରେ ଆଧାରିତ ଏହି ଫିଲ୍ମରେ ବାବୁସାନ ଓ ଦ୍ୱୀପାନିତଙ୍କ ଜୀବନ୍ତ ଅଭିନୟ ଦର୍ଶକଙ୍କୁ ଛୁଇଁଛି। ରିଲ୍ ଲାଇଫର ଚରିତ୍ରକୁ ଭେଟିଲା ପରେ ରିୟଲ୍ ଲାଇଫ୍ ହିରୋଙ୍କୁ ନେଇ ଏବେ ଚର୍ଚ୍ଚା।
କାହାଣୀର ଅନସିନ୍ ହିରୋ ହେଉଛନ୍ତି ଜଣେ ଡାକ୍ତର। ଭୁବନେଶ୍ୱରରୁ ଡାକ୍ତରୀ ପାଠପଢ଼ା ସାରିବା ପରେ ତାଙ୍କର ପୋଷ୍ଟିଂ ହୁଏ ମାଲକାନାଗିରି ଜିଲ୍ଲାର ଚିତ୍ରକୋଣ୍ଡାରେ। ରାଜଧାନୀରେ ଚକାଚକ୍ ଜୀବନଶୈଳୀ ପାଉଥିବା ଡାକ୍ତରବାବୁ ପହଞ୍ଚନ୍ତି ଉପାନ୍ତ ଅଞ୍ଚଳରେ। ଯେଉଁଠି ପିଇବା ପାଣି, ଲାଇଟ୍ ଏବଂ ମୋବାଇଲ୍ ନେଟୱାର୍କରେ ରହିଛି ସମସ୍ୟା।କିନ୍ତୁ ଦୁର୍ବଳ ହୋଇ ଯାଇନଥିଲେ ଯୁବ ଡାକ୍ତର, ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବାକୁ ନିଅନ୍ତି ପ୍ରତିଜ୍ଞା।
ପଥ ଏତେଟା ସହଜ ନଥିଲା। ଅନ୍ଧବିଶ୍ୱାସକୁ ନେଇ ବଞ୍ଚୁଥିବା ଆଦିବାସୀ, ଦେହ ଖରାପ ହେଲେ ଦିଶାରୀ ବା ଗୁଣିଆଙ୍କ ପାଖକୁ ଯାଅନ୍ତି। ଏସବୁକୁ ନୀରବରେ ନୀରୀକ୍ଷଣ କରୁଥାଆନ୍ତି ଡାକ୍ତରବାବୁ। ଅନ୍ଧବିଶ୍ୱାସକୁ ଦୂରେଇବାକୁ ଦିଶାରୀଙ୍କ ସହ ବନ୍ଧୁତା ସ୍ଥାପନ କଲେ। ଧିରେ ଧିରେ ଲୋକଙ୍କ ମନ ଜିଣିଲେ। ମ୍ୟାଲେରିଆ, ସାପକାମୁଡ଼ା, ଜ୍ୱର ହେଲେ ଚିକିତ୍ସା ପାଇଁ ସମସ୍ତଙ୍କୁ ମେଡିକାଲ ମୁହାଁ କରାଇଲେ। ମାତ୍ର ଏତିକିରେ ଅଟକି ନାହିଁ ସଂଘର୍ଷ। ଅର୍ଦ୍ଧରାତ୍ରିରେ ରୋଗୀ ସେବା କରିବାକୁ ଯାଇ ମାଓବାଦୀଙ୍କୁ ସେ ଭେଟିନ୍ତି। ଆଉ ସନ୍ଦେହର ପରଣତି ଥିଲା ରକ୍ତାକ୍ତ ଶରୀର। ତେବେ ଡାକ୍ତର ବାବୁଙ୍କର ପରିଚୟ ଜାଣିଲା ପରେ ମାଓବାଦୀ ସଲାମ୍ କରିବା ସହ ସହଯୋଗର ହାତ ବଢ଼ାନ୍ତି।

୨୦୧୭ ଅକ୍ଟୋବର ୩୧ ତାରିଖରେ ସେହି ଡାକ୍ତର ଜଣକ ପାଲଟନ୍ତି ନ୍ୟାସନାଲ୍ ମିଡିଆର ହେଡ୍ ଲାଇନ୍। ଜଣେ ପ୍ରସୂତିଙ୍କୁ ଖଟିଆରେ ବୋହି ମେଡିକାଲକୁ ନେଇ ଚିକିତ୍ସା କରିବାର ନ୍ୟୁଜ୍ ଚାରିଆଡ଼େ ବ୍ୟାପିଯାଏ। ଅଙ୍କା ବଙ୍କା ରାସ୍ତାରେ ରୋଗୀଙ୍କୁ କାନ୍ଧରେ ଧରି ଆଗେଇ ଚାଲନ୍ତି ଡାକ୍ତର ବାବୁ। କୁରୁମାନ ଗାଁର ପ୍ରସୂତିର ସେବା କରି ଡକ୍ଟର ଓମକାର ହୋତା ପାଲଟି ଯାଅନ୍ତି ଆଦିବାସୀଙ୍କର ଭଗବାନ। ଓମକାର ହୋତାଙ୍କୁ ବଲିଉଡ୍ ପ୍ରଶଂସା କରିବା ସହ UNICEF ଦ୍ୱାରା ହୁଅନ୍ତି ସମ୍ମାନିତ। ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ପ୍ରଶଂସା କରନ୍ତି।
ପ୍ରଥମ ଥର ପାଇଁ ଡ୍ୟୁଟିରେ ଜଏନ୍ କଲାବେଳେ ଜିପର ଇଞ୍ଜିନରେ ବସି ଯାଇଥିବା ଡାକ୍ତର ବାବୁ, ଧିରେ ଧିରେ ଆଦୀବାସୀଙ୍କ ଜୀବନ ଗାଡ଼ି ଚଲାଇବାକୁ ସମର୍ଥ ହୁଅନ୍ତି। ଏଭଳି ଏକ ସତ୍ୟ ଘଟଣା, ଜାତୀୟ ଗଣମାଧ୍ୟମରେ ଚହଳ ପକାଇବା ପରେ ସେହି ସଙ୍ଘର୍ଷର କାହାଣୀ ଲୋକଙ୍କ ସାମ୍ନାକୁ ଆଣିବାକୁ ସିନେ ପ୍ରଯୋଜକ ନିଷ୍ପତ୍ତି ନେଇଥିଲା ବେଳେ ଦର୍ଶକ ମଧ୍ୟ ଏହାକୁ ଖୁବ୍ ଭଲ ପାଇବା ଦେଇଛନ୍ତି। ସିନେମା ଜଗତ ପାଇଁ ଦମନ ମୁଭି ମାଇଲଖୁଣ୍ଟ ସାଜିବ ବୋଲି ଅନୁମାନ କରିବା କିଛି ଭୁଲ ଆକଳନ ନୁହେଁ ତ!
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା
Connect With Us