ଦମନ ଫିଲ୍ମକୁ ନେଇ ଏବେ ସାରା ରାଜ୍ୟରେ ଉତ୍ସାହ ବଢୁଛି। ବିଭିନ୍ନ ସିନେମା ହଲରେ ଏ ଚଳଚ୍ଚିତ୍ର ଦେଖିବାକୁ ଭିଡ଼ ଜମୁଛି। ଓଡ଼ିଆ ସିନେମାରେ ଦର୍ଶକ ସଂଖ୍ୟା କମିବା ଏକ ପ୍ରମୁଖ ସମସ୍ୟା ହୋଇଥିଲା ବେଳେ ଦମନ କ୍ଷେତ୍ରରେ କିନ୍ତୁ ଦର୍ଶକଙ୍କ ଭିଡ଼ ଏ କଥାକୁ ଭୁଲ ସାବ୍ୟସ୍ତ କରିଛି। ଓଡ଼ିଆ ଫିଲ୍ମକୁ ହଲ ମିଳୁ ନଥିବା ଅଭିଯୋଗ ହେଉଥିଲା ବେଳେ ଏ ଫିଲ୍ମ ଦେଖିବାକୁ ଅନେକଙ୍କର ଉତ୍ସାହ ରହିଛି।ରିଲିଜ୍ ହେବା ପରଠୁ ହିଁ ହଲ ହାଉସଫୁଲ ହେଉଛି। ପ୍ରଶ୍ନଘେରରେ ଥିବା ଓଡ଼ିଆ ସିନେମା ପାଇଁ ଦମନ ଏକ ଶୁଭ ସଙ୍କେତ ଦେଇଛି।ଏହା ସିନେମା ପାଇଁ ଏକ ନୂଆ ଯୁଗର ଆରମ୍ଭ ବୋଲି ମଧ୍ୟ ଅନେକ ମତ ରଖିଛନ୍ତି। ଏହି ଫିଲ୍ମରେ ବାବୁସାନ୍ ମହାନ୍ତୀ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି।
‘ଦମନ’ ଏକ ସଂଘର୍ଷର କାହାଣୀ
ଦମନ ଏକ ସତ୍ୟ କାହାଣୀକୁ ନେଇ ତିଆରି ହୋଇଛି। ଉପାନ୍ତ ଅଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ନେଇ କାହାଣିଟି ପ୍ରସ୍ତୁତ ହୋଇଛି। ଡାକ୍ତର ଓମକାର ହୋତାଙ୍କ ସଂଘର୍ଷମୟ କାହାଣୀରୁ ପ୍ରେରିତ ହୋଇ ଏହି ଫିଲ୍ମ ନିର୍ମାଣ କରାଯାଇଛି। ଯୁବ ଡାକ୍ତରଙ୍କ କର୍ତବ୍ୟନିଷ୍ଠ କାହାଣୀ ଏଥିରେ ପ୍ରତିଫଳିତ ହୋଇଛି। ଡାକ୍ତରୀ ପାଠ ଶେଷ ପରେ ଓମକାରଙ୍କ ମାଲକାନଗିରି ଜିଲ୍ଲାର ଉପାନ୍ତ ଅଞ୍ଚଳରେ ପୋଷ୍ଟିଂ ହୋଇଥିଲା। ସବୁ ସୁବିଧାରୁ ବଞ୍ଚିତ ଥିବା ଅଞ୍ଚଳରେ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ସେ ତାଙ୍କର କର୍ତ୍ତବ୍ୟ ସମ୍ପାଦନ କରିଥିଲେ। ଜଣେ ଗର୍ଭବତୀ ମହିଳାଙ୍କୁ ଖଟିଆାରେ ୧୨ କିଲୋମିଟର ଯାଏଁ ବୋହିକି ନେଇ ସ୍ୱାସ୍ଥ୍ୟସେବା କରି ସେ ଚର୍ଚ୍ଚାକୁ ଆସିଥିଲେ। ନକ୍ସଲ ଉପଦ୍ରବ ଅଂଚଳରେ ଯୁବ ଡାକ୍ତର କିଭଳି କର୍ତ୍ତବ୍ୟ ସମ୍ପାଦନ କରିଛନ୍ତି ଓ ଏଥିପାଇଁ ତାଙ୍କୁ କ’ଣ ସବୁ ଚ୍ୟାଲେଂଜର ସାମ୍ନା କରିବାକୁ ପଡୁଛି ତାହା ଚଳଚିତ୍ରରେ ଦେଖିବାକୁ ମିଳିଛି। ଏଭଳି ଏକ ସତ କାହାଣୀକୁ ଦେଖିବା ପାଇଁ ଲୋକଙ୍କ ମନରେ ବେଶ ଉତ୍ସାହ ରହିଛି।