ବିବାଦରେ ଭାରତର ଜାତୀୟ ପ୍ରତୀକ। ଜୁଲାଇ ୧୧ ରେ ନୂଆ ସଂସଦ ଭବନର ଛାତ ଉପରେ ଅଶୋକସ୍ତମ୍ଭ ଉନ୍ମୋଚିତ ହୋଇଛି। ନୂଆ ଅଶୋକ ସ୍ତମ୍ଭକୁ ନେଇ ରାଜନୀତି ଜୋର ଧରିଛି। ପୁରୁଣା ଅଶୋକ ସ୍ତମ୍ଭ ଏବଂ ନୂଆ ଅଶୋକ ସ୍ତମ୍ଭ ମଧ୍ୟରେ ଅନେକ ଫରକ ରହିଥିବା ବିରୋଧୀ ଅଭିଯୋଗ କରିଛନ୍ତି। ନୂଆ ଅଶୋକ ସ୍ତମ୍ଭରେ ଥିବା ସିଂହଗୁଡ଼ିକ ହିଂସ୍ର ଦେଖାଯାଉଥିବା ବିରୋଧୀ ଦଳର ନେତା ଅଭିଯୋଗ କରିଛନ୍ତି।
ପୁରୁଣା ଅପେକ୍ଷା ନୂଆ ପ୍ରତୀକଟି ଅଧିକ ଉଗ୍ର:ବିରୋଧି
ନୂଆ ସଂସଦ ଭବନରେ ଉନ୍ମୋଚିତ ହୋଇଥିବା ଜାତୀୟ ଚିହ୍ନ ଅଶୋକସ୍ତମ୍ଭକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ଏହା ଅନାବରଣ ହେବା ପରେ ଏହାର ରୂପକୁ ବଦଳାଇ ଦିଆଯାଇଥିବା ବିରୋଧୀ ଅଭିଯୋଗ କରିଛନ୍ତି। ପୂର୍ବରୁ ସମ୍ରାଟ ଅଶୋକଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ଜାତୀୟ ପ୍ରତୀକର ୪ ସିଂହ ଓ ବର୍ତ୍ତମାନ ମୋଦିଙ୍କ ହାତରେ ଉଦଘାଟିତ ହୋଇଥିବା ୪ ସିଂହ ମଧ୍ୟରେ ବହୁତ ପାର୍ଥକ୍ୟ ରହିଥିବା ସେମାନେ ଦାବୀ କରୁଛନ୍ତି ସିଂହର ଆକଅତିକୁ ନେଇ ବିରୋଧି ପ୍ରଶ୍ନ ଉଠାଇଛନ୍ତି। ଟିଏମସି ସାଂସଦ ଜୱାହର ସିରକାର କହିଛନ୍ତି ଯେ,ନୂଆ ଅଶୋକ ସ୍ତମ୍ଭଟି ଆମ ଜାତୀୟ ପ୍ରତୀକ ପ୍ରତି ଅପମାନ। ପୁରୁଣା ଅଶୋକସ୍ତମ୍ଭରେ ଥିବା ସିଂହମାନେ ଅନୁଶାସନପ୍ରିୟ ଓ ଆତ୍ମବିଶ୍ୱାସ ଭରା ଦେଖାଯାଉଥିବାବେଳେ ମୋଦୀଙ୍କ ଦ୍ୱାରା ସଂସଦଭବନ ଉପରେ ନିର୍ମିତ ନୂଆ ଅଶୋକ ସ୍ତମ୍ଭର ସିଂହମାନେ ହିଂସ୍ର, ଅନାବଶ୍ୟକ ଭାବେ ଆକ୍ରାମକ ଓ ଅସଂଗତ ଦେଖାଯାଉଛନ୍ତି। ଏହାକୁ ତୁରନ୍ତ ବଦଳାଯାଉ ବୋଲି ଦାବି କରିଛନ୍ତି। ସେହିପରି କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଅଶୋକ ସ୍ତମ୍ଭର ଏଭଳି ପରିବର୍ତନ ଜାତୀୟ ପ୍ରତୀକ ପ୍ରତି ଅପମାନ। ତେବେ ଐତିହାସିକ ମାନେ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଏହା ଏକ କଳାକୃତି ଓ କଳାକାରଙ୍କ ଦ୍ୱାରା ସମୟୋଚିତ ପ୍ରତିଫଳନ ବୋଲି ରବି ଭଟ୍ଟ ମତ ରଖିଛନ୍ତି।
ଅନ୍ୟପକ୍ଷରେ ମୋଦି ସରକାର ଜାତୀୟ ପ୍ରତୀକର ପରିବର୍ତ୍ତନକୁ ଯର୍ଥାର୍ଥ କହିଛନ୍ତି। ସରକାରୀ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଭାରତର ଜାତୀୟ ପ୍ରତୀକକୁ ସାରନାଥ ‘ଲାୟନ କ୍ୟାପିଟାଲ ଅଫ ଅଶୋକରୁ ଗ୍ରହଣ କରାଯାଇଛି। ଅଶୋକଙ୍କ ସିଂହ ସାରନାଥ ସଂଗ୍ରହାଳୟରେ ରହିଛି। ଏହି ଆଧାରରେ ନୂଆ ଜାତୀୟ ପ୍ରତୀକ ତିଆରି ହୋଇଛି। ଦେଶର ଗର୍ବକୁ ସଂସଦର ବିଲଡିଂ ଉପରେ ରଖାଯାଇଛି।ଏହାର ଉଚ୍ଚତା ୬.୫ ମିଟର ହୋଇଥିବା ବେଳେ ଓଜନ ୧୬ ହଜାର କେଜି ରହିଛି।