ରେସରୁ ହଟୁଛି କଂଗ୍ରେସ

କଂଗ୍ରେସର ସ୍ଥିତି ମଜବୁତ୍ ପାଇଁ ଚାଲିଛି ଭାରତ ଯୋଡୋ କାର୍ଯ୍ୟକ୍ରମ। ଯୋଡି ହେଉଛନ୍ତି କଂଗ୍ରେସର ନେତା ସମର୍ଥକ ଓ ଦଳୀୟକର୍ମୀ। ସଂଗଠନ ସଜାଡିବାକୁ ଅଣ୍ଟା ଭିଡୁଛି କଂଗ୍ରେସ। ମଲ୍ଲିକାର୍ଜୁନ ଖଡ଼ଗେ କଂଗ୍ରେସର ମଙ୍ଗ ଧରିଛନ୍ତି। ଓଡ଼ିଶାରେ କିନ୍ତୁ ଏସବୁ ପ୍ରହସନ ପାଲଟିଛି। ରାଜ୍ୟ ନେତୃତ୍ୱର ଅଭାବ ଓ ଦଳୀୟ କନ୍ଦଳ ଓଡ଼ିଶାରେ କଂଗ୍ରେସର ସ୍ଥିତିକୁ ଦୋହଲାଇ ଦେଉଛି। PCC ସଭାପତିରେ ପରିବର୍ତ୍ତନ ପରେ ଆଶା କରାଯାଉଥିବା ଆସ୍ଥା ତଥା କଂଗ୍ରେସ ପ୍ରତି ଭୋଟରଙ୍କୁ ଆକୃଷ୍ଟ କରିବାର ପ୍ନାନିଂ ଫେଲ୍ ହୋଇଛି। ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇ ଶରତ ପଟ୍ଟନାୟକ କଂଗ୍ରେସର ମଙ୍ଗ ଧରିଲା ପରେ ବି କଂଗ୍ରେସରେ ସୁଧାର ଆସିନି। ଶରତଙ୍କ ଦାୟିତ୍ୱ ଗ୍ରହଣ ପରେ ହୋଇଥିବା ୨ ଟି ଉପନିର୍ବାଚନରେ ମାଟି କାମୁଡିଛି କଂଗ୍ରେସ। ଏପରିକି ପୂର୍ବ ନିର୍ବାଚନରେ କଂଗ୍ରେସକୁ ମିଳିଥିବା ଭୋଟର ଧାରାକୁ କଂଗ୍ରେସ କ୍ୟାପ୍ଚର କରିପାରିନି। ଧିରେଧିରେ କଂଗ୍ରେସ ପ୍ରତି ଲୋକଙ୍କ ଆସ୍ଥା କମିବାରେ ଲାଗିଛି।

ବାଟ ମାରଣା କଂଗ୍ରେସର ଭୋଟ୍
ଦୁଇ ଦଶନ୍ଧିର ଭୋଟ ହିଷ୍ଟ୍ରି ଚେକ୍ କଲେ କଂଗ୍ରେସର ଭୋଟ ହାର ଧିରେଧିରେ କମୁଥିବା ସ୍ପଷ୍ଟ ହେଉଛି। ୨୦୦୯ ନିର୍ବାଚନରେ ୨୭ଟି ବିଧାନସଭା ଆସନ ହାତେଇଥିବା କଂଗ୍ରେସ ୨୦୧୯ରେ ଏହାର ଅଧା ସିଟ୍ ହାତେଇବାକୁ ବି ସଫଳ ହୋଇନି। ୨୦୧୪ରେ ୧୬ଟି ଆସନ ହାତେଇଥିଲା ବେଳେ ୨୦୧୯ରେ ମାତ୍ର ୯ ଟି ସିଟ୍ ହାତେଇ ବିରୋଧିଦଳର ମାନ୍ୟତା ହରାଇଛି କଂଗ୍ରେସ। ଗୋଷ୍ଠୀ କନ୍ଦଳ ଓ ରାଜ୍ୟସ୍ତରୀୟ ନେତାଙ୍କ ସମନ୍ୱୟର ଅଭାବ କଂଗ୍ରେସକୁ ପଛକୁ ଠେଲିଦେଇଛି। PCC ସଭାପତି ପରିବର୍ତ୍ତନ ପରେ ବି ସେତେଟା ସୁଫଳ ମିଳିନି। ଧାମନଗର ଓ ପଦ୍ମପୁର ଉପନିର୍ବାଚନରେ ବଳ କଶିବାରେ ଫେଲ୍ ହୋଇଛନ୍ତି ଶରତ ପଟ୍ଟନାୟକ। ଧାମନଗର ଉପନିର୍ବାଚନରେ ୮୦,୦୦୦ ରୁ ଉର୍ଦ୍ଧ୍ୱ ଭୋଟ୍ ପାଇ ବିଜେପି ପ୍ରାର୍ଥୀ ବିଜୟୀ ହୋଇଥିଲା ବେଳେ କଂଗ୍ରେସ ପ୍ରାର୍ଥି ୩୫୩୩ ଭୋଟ୍ ପାଇ ୪ ନମ୍ବରରେ ରହିଛନ୍ତି।ଏପରିକି ୨୦୧୯ ଇଲେକ୍ସନରେ କଂଗ୍ରେସ ପ୍ରାର୍ଥି ବିଦ୍ୟାଧର ଜେନା ପାଇଥିବା ୭୫୦୩ ଭୋଟରୁ ଅଧା ଭୋଟ୍ ବି କଂଗ୍ରେସ ଖାତାକୁ ଆସିନି। ଧାମନଗରରେ କଂଗ୍ରେସ ପ୍ରାର୍ଥି ନେତ୍ରାନନ୍ଦ ମଲ୍ଲିକଙ୍କୁ ୨୦୦୯ ନିର୍ବାଚନରେ ୨୯,୮୪୪ ଭୋଟ୍ ମିଳିଥିଲା ବେଳେ ୨୦୧୪ରେ କଂଗ୍ରେସ ପ୍ରାର୍ଥି ଜଗନ୍ନାଥ ରାଉତଙ୍କୁ ୩୪,୬୧୫ ଭୋଟ୍ ମିଳିଥିଲା। ମାତ୍ର ଉପନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ ଏତେଟା ସନ୍ତୋଷଜନକ ହୋଇ ପାରିନି।କଂଗ୍ରେସ ପ୍ରାର୍ଥି ବାବା ହରେକୃଷ୍ଣ ସେଠୀ ମାତ୍ର ୩୫୩୩ ଭୋଟ୍ ପାଇଛନ୍ତି।

କୁଆଡେ ଗଲା କଂଗ୍ରେସର ଭୋଟ୍ ?
ପଦ୍ମପୁରରେ ଅନ୍ୟ ଜିଲ୍ଲା ଅପେକ୍ଷା କଂଗ୍ରେସର ସମର୍ଥନ ହାର ଅଧିକ ରହିବାର ଆକଳନ ବି ଫେଲ୍ ମାରିଛି। ୩ ଥର ବିଧାୟକ ହୋଇଥିବା କଂଗ୍ରେସ ପ୍ରାର୍ଥି ସତ୍ୟଭୂଷଣ ସାହୁଙ୍କ ବିପୁଳ ପରାଜୟ କଂଗ୍ରେସର ସ୍ଥିତି ବୟାନ କରୁଛି। ପ୍ରତିଟି ନିର୍ବାଚନରେ ପାଖାପାଖି ୪୦,୦୦୦ ଭୋଟ୍ ହାତେଇଥିବା କଂଗ୍ରେସ ୪,୦୦୦ ଭୋଟ ହାତେଇବାରେ ବି ବିଫଳ ହୋଇଛି। ୧୯୮୫ରେ ୨୮,୭୫୩ ଭୋଟ୍ ପାଇ ନିକଟତମ ପ୍ରତିଦ୍ୱନ୍ଦୀ ଦୁଃଖିଶ୍ୟାମ ପ୍ରଧାନଙ୍କୁ ୧୯,୬୭୨ ଭୋଟରେ ହରାଇ ବିଧାୟକ ହୋଇଥିଲେ ସତ୍ୟଭୂଷଣ। ୧୯୯୦ ରେ ସେ ୧୭,୮୦୭ ଭୋଟ ପାଇ ବିଜୟ ରଞ୍ଜନ ସିଂ ବରିହଙ୍କଠାରୁ ପରାସ୍ତ ହୋଇଥିଲେ।୧୯୯୫ରେ ପରାଜିତ ହୋଇଥିଲେ ମଧ୍ୟ ସତ୍ୟଭୂଷଣଙ୍କୁ ୪୨,୦୧୯ ଖଣ୍ଡ ଭୋଟ ମିଳିଥିଲା।୨୦୦୦ର ସାଧାରଣ ନିର୍ବାଚନରେ କଂଗ୍ରେସ ପ୍ରାର୍ଥି ଭାବେ ୪୧,୦୦୧ ଭୋଟ ଓ ୨୦୦୪ ରେ ୬୩, ୩୩୦ ଭୋଟ୍ ହାତେଇଥିଲେ ସତ୍ୟ ଭୂଷଣ ସାହୁ।

ଚ୍ୟାଲେଞ୍ଜକୁ କେମିତି ମୁକାବିଲା କରିବ କଂଗ୍ରସ?
୨୦୦୯ ସାଧାରଣ ନିର୍ବାଚନରେ କଂଗ୍ରେସ ପ୍ରାର୍ଥି ସତ୍ୟଭୂଷଣ ସାହୁଙ୍କୁ ୪୯,୮୪୭ ୨୦୧୪ରେ ପ୍ରକାଶ ନାରାୟଣ ତ୍ରିପାଠୀଙ୍କୁ ୩୧,୧୭୯ ଓ ୨୦୧୯ରେ ସତ୍ୟଭୁଷଣଙ୍କୁ ୩୨,୭୮୭ ଭୋଟ୍ ମିଳିଥିଲା।ଆଶା କରାଯାଉଥିଲା ଭୋଟ ସଂଖ୍ୟାରେ ମାତ୍ରାଧିକ ବୃଦ୍ଧି ନ ହେଲେ ମଧ୍ୟ ସେଇ ସମର୍ଥକଙ୍କୁ କଂଗ୍ରେସ ହାତେଇ ପାରିବ। ସ୍ଥିତି କିନ୍ତୁ ସେଭଳି ହୋଇନି। ପୂର୍ବ ଭୋଟର ଏକ ଅଷ୍ଟମାଂଶ ଭୋଟ୍ ହାତେଇବାରେ ବିଫଳ ହୋଇଛି କଂଗ୍ରେସ।କଂଗ୍ରେସ ପ୍ରାର୍ଥି ସତ୍ୟ ଭୂଷଣ ସାହୁ ମାତ୍ର ୩,୫୪୮ ଖଣ୍ଡ ଭୋଟ ପାଇଛନ୍ତି । କଂଗ୍ରେସର ଭୋଟ୍ ବିଜେଡି ଓ ବିଜେପି ମୁହାଁ ହେଉଥିଲା ବେଳେ ନବନିର୍ବାଚିତ ଚଉଉ ସଭାପତି ଓ ରାଜ୍ୟ କଂଗ୍ରେସ ଆଗାମୀ ନିର୍ବାଚନରେ କେମିତି ଫାଇଟ୍ କରିବେ ତାହା ଏକ ବଡ ଚ୍ୟାଲେଞ୍ଜ।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା
Connect With Us