ଭାରତୀୟ କ୍ରିକେଟର ‘ମେରୁଦଣ୍ଡ’ ରଣଜୀ ଟ୍ରଫି ଅନୁଷ୍ଠିତ ହୋଇଛି। ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ(ବି)ରେ ଓଡ଼ିଶା ଓ ଗୋଆ ମଧ୍ୟରେ ମୁକାବିଲା ହେବ।। ଓଡ଼ିଶା ଚଳିତ ସିଜନରେ ଗ୍ରୁପ୍-ଡିରେ ସ୍ଥାନ ପାଇଛି। ଓଡ଼ିଶାର ଖେଳାଳୀମାନେ ବେଶ ଉତ୍ସାହିତ ଅଛନ୍ତି। ଦଳର ମୁଖ୍ୟ କୋଚ୍ ୱାସିମ୍ ଜାଫରଙ୍କ ଉପସ୍ଥିତିରେ ଖେଳାଳୀ ମାନେ ଅଭ୍ୟାସ କରିଛନ୍ତି।
ଗୋଆ ଓଡ଼ିଶା ମୁହାଁମୁହିଁ
ଦୁଇ ବର୍ଷ ବ୍ୟବଧାନ ପରେ ଦେଶରେ ବହୁ ପ୍ରତୀକ୍ଷିତ ରଣଜୀ ଟ୍ରଫି ପ୍ରତ୍ୟାବର୍ତ୍ତନ କରିଛି।ଭୁବନେଶ୍ବରର ବିକାଶ ଗ୍ରାଉଣ୍ଡରେ ଏଲିଟ ଗ୍ରୁପ୍ – ବି’ର ହାଇଦ୍ରାବାଦ– ଚଣ୍ଡିଗଡ଼ ଏବଂ କଟକର ବାରବାଟୀ ଷ୍ଟାଡିୟମରେ ବରୋଦା –ବେଙ୍ଗଲ ମ୍ୟାଚ ଅନୁଷ୍ଠିତ ହେବ। କୋଭିଡ– ୧୯ର ତୃତୀୟ ଲହର ଯୋଗୁ କ୍ରମାଗତ ଦ୍ବିତୀୟ ବର୍ଷ ପାଇଁ ରଣଜୀ ଟ୍ରଫି ଆରମ୍ଭ ହେବା ନେଇ ସନ୍ଦେହ ଦେଖାଦେଇଥିଲା। ମାତ୍ର ସଂକ୍ରମଣ ହାର କମିବା ଯୋଗୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବିସିସିଆଇ ଏହି ପ୍ରତିଯୋଗିତାକୁ ଦଳ ବିଶିଷ୍ଟ କରିବାକୁ ନିଷ୍ପତ୍ତି ନେଇଥିଲା।ଆଜି ଗୋଆ ସହିତ ଓଡ଼ିଶା ଟିମର ମ୍ୟାଚ୍ ଦେଖିବାକୁ ମିଳିବ ।
ବାୟୋ – ବବୁଲ ପରିବେଶ ମଧ୍ୟରେ ରହି ଖେଳାଳିମାନେ ମ୍ୟାଚ ଖେଳିବ। ୩୮ ଏଲିଟ ଗ୍ରୁପ୍ ‘ ଡି’ର ଅନ୍ୟ ଏକ ମ୍ୟାଚ ଗତଥରର ଚାମ୍ପିୟନ ସୌରାଷ୍ଟ୍ର ଓ ୪୧ଥର ଟାଇଟଲ ବିଜୟୀ ମୁମ୍ବାଇ ମଧ୍ୟରେ ଅହମଦାବାଦଠାରେ ଆରମ୍ଭ ହେବ। ଏହି ମ୍ୟାଚ ଉପରେ ସମସ୍ତଙ୍କ ନଜର ରହିବ। କାରଣ ମୁମ୍ବାଇ ଦଳରେ ରାହାନେ ଏବଂ ସୌରାଷ୍ଟ୍ର ଦଳରୁ ପୂଜାରା ଖେଳିବେ। ନିକଟ ଅତୀତରେ ଖରାପ ପ୍ରଦର୍ଶନ ଯୋଗୁ ଉଭୟଙ୍କ ଟେଷ୍ଟ କ୍ୟାରିୟର ସଙ୍କଟରେ ପଡ଼ିଛି । ତେଣୁ ରଣଜୀ ଟ୍ରଫିରେ ଉଭୟ ଖେଳାଳି ବଡ଼ ସ୍କୋର କରିପାରୁଛନ୍ତି କି ନାହିଁ ତାହା ଦେଖିବାକୁ ଉତ୍ସୁକତା ବଢ଼ିଛି । ରାହାନେ ଓ ପୂଜାରା ନେଟ୍ରେ ନିଜ ନିଜ ଦଳର କୋଚ୍ଙ୍କ ସହ ଦୀର୍ଘ ସମୟ ବିତାଇଥିବା ଦେଖିବାକୁ ମିଳିଛି । ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଖୁବ୍ଶୀଘ୍ର ଘୋଷଣା କରାଯିବ।ରଣଜୀକୁ ନେଇ କ୍ରିକେଟ ପ୍ରେମୀ ବେଶ୍ ଉତ୍ସାହିତ ଅଛନ୍ତି।