ବଜରଙ୍ଗ ପୁନିଆଁ ୬୫କିଲୋ ବର୍ଗରେ ବିଶ୍ୱର ଏକ ନମ୍ବର କୁସ୍ତି ଯୋଦ୍ଧା।୨୪ବର୍ଷୀୟ ବଜରଙ୍ଗ ଚଳିତ ସିଜିନରେ ୫ଟି ମେଡାଲ ଜତିଛନ୍ତି। ରାଜ୍ୟଗୋଷ୍ଠୀ ଓ ଏସିଆନ୍ ଗେମ୍ସରେ ଗୋଲ୍ଡ, ଓ୍ୱାର୍ଲଡ ଚାମ୍ପିଅନସିପରେ ରୌପ୍ୟ ପଦକ ବିଜେତା। ୟୁନାଇଟେଡ୍ ଓ୍ୱାର୍ଲଡ ରେସଲିଂ ସର୍ବାଧିକ ୯୬ ପଏଣ୍ଟ ସହ ତାଙ୍କୁ ଏକ ନମ୍ବର ମାନ୍ୟତା ଦେଇଛି। ପଢ଼ନ୍ତୁ, ସଘର୍ଷରୁ ସଫଳତା ସାଉଁଟିଥିବା ଯୁବ କୁସ୍ତି ଦ୍ଧା ବଜରଙ୍ଗ ପୁନିଆଙ୍କ ଜୀବନ କାହାଣୀ।
ଦଙ୍ଗଲ ବଏ ବଜରଙ୍ଗ
୨୦୦୭ ମସିହାର ଘଟଣା। ହରିଆଣା ଝଜ୍ଜର ଜିଲ୍ଲାର ମାଛରୋଲି ଗାଁରେ ଆୟୋଜିତ ହୋଇଥିଲା ଦଙ୍ଗଲ। ବହୁ ବଡ଼ ବଡ଼ କୁସ୍ତି ଯୋଦ୍ଧା ଆସିଥିଲେ । ସେଠାରେ ପହଞ୍ଚିଥିଲେ ଜଣେ ୧୪ ବର୍ଷର ପିଲା। କୁସ୍ତି ଲଢ଼ିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଆୟୋଜକଙ୍କୁ ଜଣାଇଥିଲେ ବି ସେହି କୁନି ପିଲାର କଥାକୁ କେହି ଶୁଣି ନଥିଲେ। କିନ୍ତୁ ସେହି ପିଲାଟି ହାର ମାନିନଥିଲା। ଶେଷରେ ଦଙ୍ଗଲ ପାଇଁ ଏଣ୍ଟ୍ରି ମିଳିଥିଲା। ଆଶ୍ଚର୍ୟ୍ୟର କଥା, କୁସ୍ତି ଲଢ଼େଇ ପାଇଁ ସେ ବାଛିଥିଲା ନିଜଠାରୁ ବୟସରେ ଦେ ଗୁଣା ବଡ଼ ଏବଂ ଜଣେ ଶକ୍ତିଶାଳୀ ଯୋଦ୍ଧାକୁ। ଏକଥା ଦେଖି ସମସ୍ତେ କୁହାକୁହି ହେଲେ, ଦୁଇ ମିନିଟରେ ଏହି ପିଲାକୁ କଚାଡି ଦେବ ପ୍ରତିପକ୍ଷ କୁସ୍ତି ଯୋଦ୍ଧା। କିନ୍ତୁ ପାଞ୍ଚ ମିନିଟ ଖେଳ ହୋଇଛି କି ନାହିଁ, ଦର୍ଶକ କୁନି ପିଲାର ନାଁରେ ନାରା ଲଗାଇଥିଲେ। ଶେଷରେ ନିଜଠାରୁ ଦେଢ଼ଗୁଣା ବଡ଼ କୁସ୍ତି ଯୋଦ୍ଧାଙ୍କୁ ଧୂଳି ଚଟେଇଦେଲା ୧୪ ବର୍ଷର ରେସଲର୍। ଦଙ୍ଗଲ ଦେଖିବାକୁ ଆସିଥିବା ଲୋକ ସେହି ପିଲା ଉପରେ ଅଧିକ ବାଜି ଲଗାଇଥିଲେ। ସମସ୍ତେ ଗୋଟିଏ ନାଁ ଜପିବା ଆରମ୍ଭ କରି ଦେଇଥିଲେ ବଜରଙ୍ଗ ବଜରଙ୍ଗ. ବଜରଙ୍ଗ
ସୁନା ପୁଅ ବଜରଙ୍ଗ
୧୯ ଅଗଷ୍ଟ ୨୦୧୮, ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ ଆରମ୍ଭ ହୋଇଥିଲା ୧୮ତମ ଏସିଆନ୍ ଗେମ୍ସ। ପ୍ରଥମ ଦିନରେ ସୁଟିଂ, ଭଲିବଲ୍, ବ୍ୟାଡମିଣ୍ଟନ, ସୁଇମିଂ ଭଳି ଇଭେଣ୍ଟରେ ଭାରତର ଅଭିଯାନ ଥିଲା। ୬୫ ଲୋ ବର୍ଗ ପୁରୁଷ ଫ୍ରି ଷ୍ଟାଇଲ କୁସ୍ତିକୁ ଓହ୍ଲାଇଥିଲେ ଭାରତର ବଜରଙ୍ଗ ପୁନିଆଁ। ପ୍ରତିଟି ରାଉଣ୍ଡରେ ଜବରଦସ୍ତ ପ୍ରଦର୍ଶନ ସହ ପହଞ୍ଚିଥିଲେ ସେମିଫାଇନାଲରେ। ଫାଇନାଲରେ ଜାପାନ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇ ଏସିଆନ୍ ଗେମ୍ସରେ ଦେଶ ପାଇଁ ପ୍ରଥମ ସ୍ୱର୍ଣ୍ଣ ଆଣିଥିଲେ ବଜରଙ୍ଗ ପୁନିଆଁ।୨୦୧୩ ହଙ୍ଗେରୀରେ ଓ୍ୱାର୍ଲଡ ଚାମ୍ପିଅନସିପରେ ବ୍ରୋଞ୍ଜ, ୨୦୧୪ରେ ଉତ୍ତର କୋରିଆ ଏସିଆନ୍ ଗେମ୍ସରେ ରୌପ୍ୟ ଓ ଗ୍ଲାସକୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ବିଜେତା ଥିଲେ ବଜରଙ୍ଗ ପୁନିଆଁ।୨୦୧୮ ଗୋଲ୍ଟକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସ୍ୱର୍ଣ୍ଣିମ ସଫଳତାକୁ ଜାକର୍ତ୍ତା ଏସିଆନ୍ ଗେମ୍ସରେ ଦୋହରାଇଥିଲେ ୨୪ବର୍ଷୀୟ ହରିଆଣା କୁସ୍ତି ଯୋଦ୍ଧା।
ଏଥିସହ ପଢ଼ନ୍ତୁ:ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍
ସଂଘର୍ଷରୁ ସଫଳତା
ହରିଆଣା ଝଜ୍ଜର ଜିଲ୍ଲାର ଖୁଦ୍ଦନ ଗାଁରେ ବଜରଙ୍ଗଙ୍କ ଘର। ଚାଷୀ ପରିବାରରେ ଜନ୍ମ ହୋଇଥିଲେ। ଛୋଟ ବେଳେ ଭାରି ଅଭାବ ଅନଟନରେ ଚଳିଛନ୍ତି। ଏମିତି ବି ସମୟ ଥିଲା ତାଙ୍କୁ ପେଟପୁରା ଖାଇବାକୁ ମିଳୁ ନଥିଲା। କେବଳ କ୍ଷୀର-ରୁଟି ଖାଉଥିଲେ। ଜଣେ କୁସ୍ତି ଯୋଦ୍ଧାଙ୍କୁ ଯେଉଁ ଖାଦ୍ୟ ଦରକରା, ଦେଇ ପାରୁନଥିଲେ ବାପା ମାଆ। କୁସ୍ତିରେ କିଛି କରି ଦେଖାଇବାର ସ୍ୱପ୍ନ ସବୁବେଳେ ଆଖି ଆଗରେ ନାଚୁଥିଲା। ୮ ବର୍ଷରୁ ଆରମ୍ଭ କରିଥିଲେ କୁସ୍ତି ଯୋଦ୍ଧା ତାଲିମ୍। ସବୁବେଳେ ନିଜଠାରୁ ବଡ଼ ଓ ଶକ୍ତିଶାଳୀ କୁସ୍ତି ଯୋଦ୍ଧାଙ୍କ ସହ ବଜରଙ୍ଗ ଲଢ଼େଇ କରୁଥିଲେ ଏବଂ ଜିତୁଥିଲେ। ଏପରିକି କୁସ୍ତି ଲଢ଼ି ରୋଜଗାର ଟଙ୍କା ଘରକୁ ଦେଇଛନ୍ତି। ବାପା ବଲବାନ ସିଂହ ପୁନିଆ ଓ ବଡ଼ ଭାଇ ହରେନ୍ଦ୍ର ବି ଜଣେ ଜଣେ କୁସ୍ତି ଯୋଦ୍ଧା। ବଜରଙ୍ଗଙ୍କ ସଫଳତା ପଛରେ ସେମାନଙ୍କର ଯଥେଷ୍ଟ ଅବଦାନ ରହିଛି।
ଖୁଦ୍ଦନରୁ ଦିଲ୍ଲୀ, ବଦଳିଗଲା ଭାଗ୍ୟ
୨୦୦୮ ମସିହାରେ ୧୪ ବର୍ଷ ବୟସରେ ଦିଲ୍ଲୀ ଛତ୍ରସାଲ ଷ୍ଟାଡିୟମ୍ ଆସିଥିଲେ ବଜରଙ୍ଗ ପୁନିଆଁ। ସେଠାରେ ତାଲିମ ନେବା ପରେ ତାଙ୍କ ଭାଗ୍ୟ ଉଦୟ ହୋଇଥିଲା। ଦେଖା ହୋଇଥିଲା ଯୋଗେଶ୍ୱର ଦତ୍ତଙ୍କ ସହ। ପ୍ରଥମରୁ ବଜରଙ୍ଗଙ୍କ ପ୍ରତିଭାକୁ ଚିହ୍ନି ପାରିବା ସହ ତାଙ୍କୁ ନିଜ ଅଧିନକୁ ନେଇଥିଲେ ଯୋଗେଶ୍ୱର।ଶିଖାଇଥିଲେ କୁସ୍ତିର କୌଶଳ । ଆର୍ଥିକ ସହାୟତା ବି କରିଥିଲେ ଯୋଗେଶ୍ୱର। ବଜରଙ୍ଗଙ୍କୁ ଅନ୍ତର୍ଜାତୀୟ କୁସ୍ତି ଯୋଦ୍ଧା ଭାବରେ ଠିଆ କରାଇବାରେ ଯୋଗେଶ୍ୱରଙ୍କ ଭୂମିକା ବି ରହିଛି।
୨୦୧୦ମସିହା ପରେ ତାଙ୍କୁ ମିଳିଥିଲା ସରକାରୀ ସହାୟତା। ପୂର୍ବରୁ ସବୁ ଖର୍ଚ୍ଚ ସମ୍ପର୍କୀୟ ଭାଇ ନରେନ୍ଦ୍ର, ବଡ଼ଭାଇ ହରେନ୍ଦ୍ର ଓ ଯୋଗେଶ୍ୱର ଦତ୍ତ ବହନ କରୁଥିଲେ। କୁସ୍ତିକୁ ନେଇ ବଜରଙ୍ଗଙ୍କ ସ୍ୱପ୍ନ ଏବେ ସାକାର ହୋଇଛି। ସୁଧୁରିଯାଇଛି ପରିବାରର ଆର୍ଥିକ ସ୍ଥିତି।ସୁନା ପୁଅର ସଫଳତାରେ ହରିଆଣା ମାଟି ଗର୍ବିତ । କୁସ୍ତିରେ ଭାରତର ନାଁକୁ ବିଶ୍ୱସ୍ତରୀୟ କରାଇଛନ୍ତି, ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ବି ସୃଷ୍ଟି କରିପାରିଛନ୍ତି ବଜରଙ୍ଗ ପୁନିଆଁ।
ଖେଳ ଖବର ପଢ଼ନ୍ତୁ: ଇଂଲଣ୍ଡ-ଅଷ୍ଟ୍ରେଲିଆକୁ ହରାଉଥିବା ଜିମ୍ବୋଓ୍ୱେ ପରି ୫ଟି ଦଳର ପ୍ରଦର୍ଶନ, ୨୦୧୯ ବିଶ୍ୱକପରେ ଦେଖିବାକୁ ମିଳିବନି