ହିନ୍ଦୀ ସହିତ ଏକାଧିକ ଭାଷାରେ ରିଲିଜ ହୋଇଛି ଆଦିପୁରୁଷ। ରିଲିଜର ପ୍ରଥମ ଦିନରେ ହିଁ ଏହାକୁ ନେଇ ଅଡ଼ୁଆ ବଢୁଛି। ଓମ ରାଉତଙ୍କ ନିର୍ଦ୍ଦେଶିତ ଫିଲ୍ମ ଆଦିପୁରୁଷ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଆବେଦନ ଦାଖଲ କରାଯାଇଛି। ଫିଲ୍ମ ଆଦିପୁରୁଷ ହିନ୍ଦୁ ସଂପ୍ରଦାୟର ଭାବାବେଗକୁ ଆଘାତ ପହଞ୍ଚାଇଛି ବୋଲି କିଛି ଦର୍ଶକ ଅଭିଯୋଗ କରିଛନ୍ତି। ଏହା ଭଗବାନ ରାମ ଓ ରାମାୟଣକୁ ତାତ୍ସଲ୍ୟ କରିଛି ବୋଲି ଆବେଦନରେ କୁହାଯାଇଛି।
ହିନ୍ଦୁ ସେନାର ଜାତୀୟ ସଭାପତି ବିଷ୍ଣୁ ଗୁପ୍ତା ଦିଲ୍ଲୀ ହାଇକୋର୍ଟରେ ଏପରି ଆବେଦନ କରିଛନ୍ତି। ଏହି ଫିଲ୍ମ ରାମାୟଣ, ଭଗବାନ ରାମ ଓ ଆମ ସଂସ୍କୃତିକୁ ତାଚ୍ଛଲ୍ୟ କରି ହିନ୍ଦୁ ସଂପ୍ରଦାୟର ଆଘାତ ପହଞ୍ଚାଇ ଥିବା ସେ ଆବେଦନରେ କହିଛନ୍ତି।
ହିନ୍ଦୁ ଭଗବାନ ରାମ,ରାବଣ, ସୀତା ଓ ହନୁମାନଙ୍କୁ ନେଇ ସିନେମାରେ ଦେଖାଯାଇଥିବା ଆପତ୍ତିଜନକ ଦୃଶ୍ୟକୁ ହଟାଯାଉ କିମ୍ବା ଏଥିରେ ସଂଶୋଧନ କରାଯାଉ ବୋଲି ଆବେଦନରେ କୁହା ଯାଇଛି। ମହର୍ଷୀ ବାଲ୍ମିକୀଙ୍କ ରାମାୟଣ ଓ ତୁଳସୀଦାସଙ୍କ ରାମଚରିତମାନସରେ ହିନ୍ଦୁ ଧର୍ମର ଦେବାଦେବୀଙ୍କୁ ଯେମିତି ପ୍ରଦର୍ଶନ କରାଯାଇଛି, ତା’ଠାରୁ ସଂପୂର୍ଣ୍ଣ ଭିନ୍ନ ଭାବେ ସିନେମାରେ ସମସ୍ତଙ୍କୁ ଚିତ୍ରଣ କରାଯାଇଥିବା ଆବେଦନରେ ଉଲ୍ଲେଖ କରାଯାଇଛି।
ଟାର୍ଗେଟରେ ରାବଣଙ୍କ ଦାଢି
ସୈଫ ଅଲ୍ଲୀ ଖାନ୍ ରାବଣ ଚରିତ୍ରରେ ଦେଖିବାକୁ ମିଳିଛନ୍ତି। କିନ୍ତୁ ତାଙ୍କର ଦାଢ଼ି ଥିବା ଦୃଶ୍ୟ ଉପରେ ଆପତ୍ତି ଉଠାଯାଇଛି। ତାଙ୍କ ମୁଖମଣ୍ଡଳ ଅତ୍ୟନ୍ତ ଖରାପ ଦେଖାଯାଉଛି। ହିନ୍ଦୁ ବ୍ରାହ୍ମଣ ରାବଣଙ୍କ ଏଭଳି ଚିତ୍ରଣ ହିନ୍ଦୁ ସଭ୍ୟତା ପ୍ରତି ଅପମାନ। ରାବଣଙ୍କୁ ନେଇ ପ୍ରସ୍ତୁତ ଦୃଶ୍ୟଗୁଡ଼ିକରେ ତଥ୍ୟକୁ ବିକୃତ କରାଯାଇଛି ବୋଲି ଏହାକୁ ବିରୋଧ କରିଛନ୍ତି ଅନେକ ଦର୍ଶକ।