କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଲୋକସଭା ନିର୍ବାଚନ ଲଢ଼ିବାକୁ ନେଇ ଚର୍ଚ୍ଚା। ଧର୍ମେନ୍ଦ୍ର ପ୍ରଧାନ ଯେ, ପୂର୍ବରୁ କେବେ ନିର୍ବାଚନ ଲଢ଼ି ନାହାଁନ୍ତି, ତା’ ନୁହେଁ। ମୁକୁ ଭାଇ ନାଁରେ ପରିଚିତ ଧର୍ମେନ୍ଦ୍ର ପ୍ରଧାନ,ପୂର୍ବରୁ ବିଧାନସଭା ଏବଂ ଲୋକସଭା ନିର୍ବାଚନ ଲଢ଼ି ବିଜୟୀ ଏବଂ ପରାଜିତ ମଧ୍ୟ ହୋଇଛନ୍ତି। କିନ୍ତୁ ଲଗାତର ୨ ଥର ରାଜ୍ୟସଭାକୁ ଯିବା ପରେ ଏବେ ପ୍ରତ୍ୟକ୍ଷ ନିର୍ବାଚନ ଲଢ଼ିବାକୁ ବାଧ୍ୟ ହେଉଛନ୍ତି ମୁକୁ ଭାଇ। ଅବଶ୍ୟ ବିହାର ଏବଂ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ପଠାଇ ଧର୍ମେନ୍ଦ୍ର ପ୍ରଧାନଙ୍କୁ କେନ୍ଦ୍ରରେ ମନ୍ତ୍ରୀ କରାଇଛି ବିଜେପି। କିନ୍ତୁ ରାଜ୍ୟସଭାକୁ ହ୍ୟାଟ୍ରିକ୍ ଏଣ୍ଟ୍ରି ନଦେଇ,ଆଗାମୀ ନିର୍ବାଚନରେ ମୁକୁଙ୍କୁ ଲଢ଼ାଇବାକୁ ଚାହୁଁଛି ବିଜେପି।
ତେବେ ମୁକୁ, ଲଢ଼ିବେ କେଉଁଠୁ? କାରଣ ୨୦୦୯ରେ ସୀମା ପୁନଃ ନିର୍ଦ୍ଧାରଣ ହେବା ଯୋଗୁ ମୁକୁଙ୍କ ଲୋକସଭା କ୍ଷେତ୍ର ଦେବଗଡ଼ ଆସନର ବିଲୟ ଘଟିଛି। ସେଥିପାଇଁ ୨୦୦୪ରେ ଦେବଗଡ଼ ସଂସଦୀୟ କ୍ଷେତ୍ରକୁ ପ୍ରତିନିଧିତ୍ୱ କରୁଥିବା ଧର୍ମେନ୍ଦ୍ର ପ୍ରଧାନ, ନିଜ ପାଇଁ ସୁରକ୍ଷିତ ଆସନ ଖୋଜୁଛନ୍ତି। କାରଣ ଦେବଗଡ଼ ସଂସଦୀୟ କ୍ଷେତ୍ର ଅଧିନରେ ଥିବା ୭ଟି ବିଧାନସଭା ଆସନ, ଏବେ ବରଗଡ଼ ଏବଂ ସମ୍ବଲପୁର ଲୋକସଭା ଅଧିନକୁ ଚାଲି ଯାଇଛି। ବରଗଡ଼ ଏବଂ ସମ୍ବଲପୁରକୁ ପ୍ରତିନିଧିତ୍ୱ କରୁଛନ୍ତି ବିଜେପିର ହାଇପ୍ରୋଫାଇଲ୍ ଲିଡର। ବିଜେପି ସାଂସଦ ସୁରେଶ ପୂଜାରୀ କିମ୍ବା ନିତେଶ ଗଙ୍ଗଦେବଙ୍କୁ ହଟାଇବା ମୁକୁଙ୍କ ପାଇଁ ସହଜ ହେବ ନାହିଁ। ସେଥିପାଇଁ ମୁକୁଙ୍କ ପାଇଁ ଏକମାତ୍ର ବିକଳ୍ପ, ଢ଼େଙ୍କାନାଳ।
ଫୋକସରେ ଢ଼େଙ୍କାନାଳ ଲୋକସଭା ଆସନକୁ ରଖି,ଧର୍ମେନ୍ଦ୍ର ପ୍ରଧାନ ଆରମ୍ଭ କରି ଦେଇଛନ୍ତି ପ୍ରଚାର। ୨୦୧୯ରେ ମୁଖ୍ୟମନ୍ତ୍ରୀ ଭାବେ ପ୍ରୋଜେକ୍ଟ ହେଉଥିବା ମୁକୁ ବାବୁଙ୍କର ଏବେ ସମସ୍ତ ସାମର୍ଥ୍ୟ ଲାଗିଛି ଢ଼େଙ୍କାନାଳରେ। ପ୍ରତି ମାସରେ କେନ୍ଦ୍ରମନ୍ତ୍ରୀ ମାନେ ଆସୁଛନ୍ତି ଢ଼େଙ୍କାନାଳକୁ। ରେଲୱେ ମିନିଷ୍ଟର ଅଶ୍ୱିନୀ ବୈଷ୍ଣବ, ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ, କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ସାଙ୍ଗକୁ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଓପନର ତଥା ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କ ଭଳି ଫେମସ ଷ୍ଟାରଙ୍କୁ ଢ଼େଙ୍କାନାଳ ମୁହାଁ କରାଇଛନ୍ତି ମୁକୁ ବାବୁ। ଚଳିତ ମାସରେ ଗୃହ ମନ୍ତ୍ରୀ ଅମିତ ଶାହ ମଧ୍ୟ ଢ଼େଙ୍କାନାଳ ଆସିପାରନ୍ତି। ସେପଟେ ମୁକୁଙ୍କ ସ୍ତ୍ରୀ ମୃଦୁଳା ଠାକୁର, ତାଳଚେରରେ ରହି ବିଜେପି ସଂଗଠନ ସଜାଡୁଛନ୍ତି।
ତେବେ ଓଡ଼ିଶାର ହାଇ-ପ୍ରୋଫାଇଲ୍ ଲୋକସଭା ଆସନ ହେଉଛି ଢ଼େଙ୍କାନାଳ। ସାହିତ୍ୟ ଓ ସାମ୍ବାଦିକତା ଜଗତର ଧୃବତାରା ସୁରେନ୍ଦ୍ର ମହାନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥିଙ୍କ ସ୍ୱାମୀ ଓ ପୁଅ ଏବଂ ରାଜା କାମାକ୍ଷା ପ୍ରସାଦ ସିଂହ ଦେଓଙ୍କ ଭଳି ତୁଙ୍ଗ ନେତା ଏଠୁ ସାଂସଦ ହୋଇଛନ୍ତି। ଢେଙ୍କାନାଳ, ହିନ୍ଦୋଳ, କାମାକ୍ଷା ନଗର, ପରଜଙ୍ଗ, ଅନୁଗୋଳ, ତାଳଚେର, ଏବଂ ପାଲଲହଡ଼ା ବିଧାନସଭା କ୍ଷେତ୍ରକୁ ନେଇ ଢେଙ୍କାନାଳ ଲୋକସଭା ଆସନ,ରାଜା ପରିବାର ଏବଂ ଶତପଥି ଫ୍ୟାମିଲିର କଣ୍ଟ୍ରୋଲରେ ରହିଛି।
୧୯୫୨ ଠାରୁ ଆଜି ଯାଏଁ ୧୭ଟି ନିର୍ବାଚନ ଦେଖିଛନ୍ତି ଢ଼େଙ୍କାନାଳ ଲୋକସଭା ଭୋଟର। ୬ ଥର ଲେଖାଏଁ ରାଜା ପରିବାର ଏବଂ ଶଥପଥି ଫ୍ୟାମିଲି ଉପରେ ଆସ୍ଥା ପ୍ରକଟ କରିଛନ୍ତି ଢ଼େଙ୍କାନାଳର ମତଦାତା। ମାତ୍ର ୨ଥର ଅନୁଗୋଳ ଜିଲ୍ଲାର ମୂଳନିବାସୀ, ଢ଼େଙ୍କାନାଳ ଲୋକସଭା ଆସନକୁ ପ୍ରିତିନିଧିତ୍ୱ କରିଛନ୍ତି। ଅନୁଗୋଳ ଜିଲ୍ଲାର ଭଜମନ ବେହେରା ୧୯୮୯ରେ ଏବଂ ୨୦୧୯ରେ ମହେଶ ସାହୁ ଢ଼େଙ୍କାନାଳକୁ ପ୍ରତିନିଧିତ୍ୱ କରିଛନ୍ତି। ଯଦିଓ ଭଜମନ ବେହେରା ଏବଂ ମହେଶ ସାହୁ ଅନୁଗୋଳ ଜିଲାର, କିନ୍ତୁ ଉଭୟ ଅଟନ୍ତି ସଂରକ୍ଷିତ ବର୍ଗର। ଅନ୍ୟପଟେ ଅନୁଗୋଳ ଜିଲ୍ଲାର ମୂଳ ନିବାସୀ ଧର୍ମେନ୍ଦ୍ର ପ୍ରଧାନ ଅଟନ୍ତି, ସାଧାରଣ ବର୍ଗର। ଯାହାକି ମୁକୁଙ୍କ ଜିତିବା ରେକର୍ଡରେ ଲଗାଇ ପାରେ ବ୍ରେକ୍!
ଏମିତି ବି ୨୦୦୦ରେ ପାଲଲହଡ଼ାରୁ ବିଧାୟକ ଏବଂ ୨୦୦୪ରେ ଦେବଗଡ଼ରୁ ସାଂସଦ ହେବା ପାଇଁ ଧର୍ମେନ୍ଦ୍ରଙ୍କୁ ବିଜେଡି-ବିଜେପିର ମେଣ୍ଟ ଉପରେ ଭରସା କରିବାକୁ ପଡିଥିଲା। ମେଣ୍ଟ ଭାଙ୍ଗିବା ପରେ ୨୦୦୯ରେ ପାଲଲହଡ଼ାରେ ଧର୍ମେନ୍ଦ୍ର ହେଲେ ପରାଜିତ। ମେଣ୍ଟ ବିନା ନିର୍ବାଚନ ଲଢ଼ିବାକୁ ସାହସ କରି ପାରୁନଥିବା ଧର୍ମେନ୍ଦ୍ର, ନିଜର ସଂପର୍କୀୟ ଭାଇ ବିଭୁତି ପ୍ରଧାନଙ୍କ ପାଇଁ ପରଜଙ୍ଗ ବିଧାନସଭା କ୍ଷେତ୍ରରେ ଟ୍ରମ୍ପ କାର୍ଡ ହୋଇ ପାରୁନାହାଁନ୍ତି। ନିଜର ପୂର୍ବତନ ପିଏ କାଳନ୍ଦୀ ସାମଲଙ୍କୁ, ତାଳଚେରରେ ବିଜୟୀ ଟ୍ରାକକୁ ଆଣିବାରେ ବିଫଳ ହେଉଛନ୍ତି ମୁକୁ ବାବୁ। ସେପଟେ ଧର୍ମେନ୍ଦ୍ରଙ୍କ ବିଶ୍ୱସ୍ଥ ତଥା ପାଲଲହଡ଼ା ବ୍ଲକର ପୂର୍ବତନ ଅଧକ୍ଷ ମୁକେଶ ପାଲ, ବିଜେଡି ଟିକେଟରୁ ଲଢ଼ି ବିଧାୟକ ହୋଇ ସାରିଲେଣି।
ଅନ୍ୟପଟେ ଢ଼େଙ୍କାନାଳ ଲୋକସଭା ଅଧିନରେ ଥିବା ସମସ୍ତ ୭ଟି ବିଧାନସଭା ଆସନ, ବିଜୁ ଜନତା ଦଳ ନିୟନ୍ତ୍ରଣରେ ରହିଛି। ଗତ ପଞ୍ଚାୟତ ଏବଂ ପୌର ନିର୍ବାଚନରେ ବିଜେଡି ସଫଳତା ହାର ଆଗରେ ବିଜେପି ଫିକା ପଡୁଛି । ପୌର ଏବଂ ପଞ୍ଚାୟତ ନିର୍ବାଚନରୁ ନିଜକୁ ଦୂରେଇ ରଖି ଧର୍ମେନ୍ଦ୍ର ପ୍ରଧାନ, ବିଜୁ ଜନତା ଦଳର ବିଜୟ ପାଇଁ ବାଟ ଛାଡିଲେ। କେବଳ ପ୍ରଚାର ନୁହେଁ, ପୌର ନିର୍ବାଚନରେ ଭୋଟ ଦେବାକୁ ଆସିଲେ ନାହିଁ ମୁକୁ ବାବୁ। ଯାହାକୁ ନେଇ ବିଜେପିର କର୍ମକର୍ତ୍ତାମାନେ ଧର୍ମେନ୍ଦ୍ରଙ୍କୁ ଆଡ ନଜରରେ ଦେଖୁଛନ୍ତି। ସେ ସମୟରେ ଢ଼େଙ୍କାନାଳ ଲୋକସଭା ଆସନ ମୁକୁଙ୍କ ପାଇଁ ସେଫ୍ ସିଟ୍ ହେବ ତ ! ନା କେନ୍ଦ୍ର ରାଜନୀତି ପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁଣି ଥରେ ରାଜ୍ୟସଭାର ସଭ୍ୟ ହେବାକୁ ପଡିବ?