ଜର୍ସି ନମ୍ବର-12କୁ ମିସ୍ କରିବ ଓ୍ୱାର୍ଲଡ କ୍ରିକେଟ୍

କ୍ରିକେଟରେ ଯୁବରାଜ ଯୁଗରେ ଯବନିକା ପଡ଼ିଛି। ଆଉ ମୈଦାନରେ ଟିମ୍ ଇଣ୍ଡିଆ ଜର୍ସିରେ ନଜର ଆସିବେନି ହାର୍ଡ ହିଟର୍ ଅଲରାଉଣ୍ଡର ଯୁବରାଜ ସିଂ। କ୍ରିକେଟର ତିନିଟି ଯାକ ଫର୍ମାଟ ଦିନିକିଆ, ଟେଷ୍ଟ ଓ ଟି-ଟ୍ୱେଣ୍ଟିରୁ ଅବସର ଘୋଷଣା କରିଛନ୍ତି ସିକ୍ସର କିଙ୍ଗ । ଆଇପିଏଲ୍ ବି ଖେଳିବେ ନାହିଁ ଯୁବି। କେବଳ ଆଇସିସିର କାଉଣ୍ଟିଂ କ୍ରିକେଟ ଖେଳିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। କ୍ରିକେଟକୁ ବାଏ ବାଏ କହି ଯୁବରାଜ ୧୭ ବର୍ଷର ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରରେ ଦି ଏଣ୍ଡ କରିଛନ୍ତି। ଯୁବରାଜଙ୍କ ନାଁ ମନକୁ ଆସିଲେ ମନେପଡିଯାଏ ୨୦୦୭ ଟି-ଟ୍ୱେଣ୍ଟି ବିଶ୍ୱକପ୍ କଥା। ଇଂଲଣ୍ଡ ବିପକ୍ଷ ମ୍ୟାଚରେ ସେ ଗୋଟିଏ ଓଭରରେ ଲଗାତାର ୬ଟି ବିଶାଳ ଛକା ମାରି ବିଶ୍ୱ କ୍ରିକେଟରେ ସିକ୍ସର କିଙ୍ଗ ହୋଇଥିଲେ ଯୁବି। ଷ୍ଟୁଆର୍ଟ ବ୍ରଡଙ୍କ ଓଭରରେ ତାଙ୍କର ସେହି ଇନିଂସ ଓ ଧୂଆଁଧାର ବ୍ୟାଟିଂକୁ ଏବେ କ‘ଣ, କେବେ ବି ଭୁଲି ପାରିବେ ନାହିଁ କ୍ରିକେଟ ଫ୍ୟାନ୍। ୧୨ ବଲରେ ଅର୍ଦ୍ଧଶତକ ଆଜି ବି ବିଶ୍ୱରେକର୍ଡ ହୋଇ ରହିଛି।
#OnThisDay in 2007…@YUVSTRONG12 v @StuartBroad8.
6️⃣,6️⃣,6️⃣,6️⃣,6️⃣,6️⃣ 😲
Six sixes in an over, and the fastest ever T20I fifty, off just 12 balls! 🔥 pic.twitter.com/xYylxlJ1b6
— ICC (@ICC) September 19, 2018
୨୦୦୭ ଟି-ଟ୍ୱେଣ୍ଟି ଓ ୨୦୧୧ ବିଶ୍ୱକପ୍ରେ ଟିମ୍ ଇଣ୍ଡିଆକୁ ବିଶ୍ୱବିଜେତା କରାଇବାରେ କିଙ୍ଗ ମେକର୍ ଥିଲେ ଯୁବରାଜ। ଅବସର ଘୋଷଣା ବେଳେ କ୍ୟାରିୟରର ସ୍ୱର୍ଣ୍ଣିମ ସଫଳତାକୁ ମନେ ପକାଇଥିଲେ। ଭାବବିହ୍ୱଳ ବି ହୋଇ ପଡ଼ିଥିଲେ। ଯୁବି କହିଥିଲେ, ‘୧୭ବର୍ଷ ଦେଶ ପାଇଁ ଖେଳିବା ପରେ ଅନ୍ତର୍ଜତାୟୀ କ୍ରିକେଟ ସହ ସମ୍ପର୍କ ଛିନ୍ନ କରିବାକୁ ନିଷ୍ପତ୍ତି ନେଇଥିଲି। କ୍ରିକେଟ ମୋତେ କେମିତି ସଂଘର୍ଷ କରିବାକୁ ପଡ଼େ, କେମିତି ପଡ଼ି ପୁଣି ଥରେ ଉଠି ଆଗକୁ ବଢ଼ିବାକୁ ହୁଏ ଶିଖାଇଛି। ଯୁବରାଜ କହିଥିଲେ, ‘ବିଶ୍ୱକପ୍ ଜିତିବା ସ୍ୱପ୍ନ ଥିଲା। ୨୦୧୧ ବିଶ୍ୱକପ୍ ଜିତିବା ସ୍ମରଣୀୟ ମୁହୂର୍ତ୍ତ ଥିଲା ଓ ବାପାଙ୍କ ସ୍ୱପ୍ନ ସାକାର କରିଛି। କ୍ୟାନସର ବେଳେ ସମସ୍ତେ ସାଥ୍ ଦେଇଥିଲେ। ଆଗକୁ କ୍ୟାନସର ପୀଡ଼ିତଙ୍କୁ ସାହାଯ୍ୟ କରିବି।‘୨୦୦୦ ମସିହାରେ ଅନ୍ତର୍ଜାତୀୟ କ୍ରିକେଟ ଦୁନିଆରେ ଏଣ୍ଟ୍ରି ମାରିଥିଲେ ଯୁବରାଜ। ୧୯ ବର୍ଷ ହେବ କ୍ରିକେଟ ମୈଦାନ, ବ୍ୟାଟ୍ ଓ ବଲ୍ ଥିଲେ ତାଙ୍କ ସାଥି। ତିନିଟିଯାକ ଫର୍ମାଟରେ ଖେଳିଛନ୍ତି ମୋଟ୍ ୪୦୨ଟି ମ୍ୟାଚ୍। ଦିନିକିଆରେ ୩୦୪ଟି ମ୍ୟାଚ୍ ଖେଳିଛନ୍ତି । ହାସଲ କରିଛନ୍ତି ୮ ହଜାର ୭୦୧ ରନ୍। ଏହା ଭିତରେ ରହିଛି ୧୪ ଶତକ ଓ ୫୨ ଅର୍ଦ୍ଧଶତକ। ୪୦ ଟେଷ୍ଟରୁ ୧ହଜାର ୯ଶହ ଓ ୫୮ଟି ଟି-ଟେ୍ଵଣ୍ଟି ଖେଳି ୧ହଜାର ୧୭୭ ରନ୍ ସଂଗ୍ରହ କରିଛନ୍ତି। ୨୦୧୧ ବିଶ୍ୱକପ୍ରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ ଯୁବରାଜ ସିଂ। ତାଙ୍କ ବ୍ୟାଟରୁ ବାହାରିଥିଲା ୩୬୨ ରନ୍ ଓ ହାତେଇଥିଲେ ୧୫ ଓ୍ଵିକେଟ। ଟିମ୍ ଇଣ୍ଡିଆ ହାତରେ ଧରାଇଥିଲେ ବିଶ୍ୱକପ୍।
୩୭ ବର୍ଷୀୟ ଯୁବରାଜ ୨୦୧୭ ଜୁନ୍ ୩୦ରେ ଖେଳିଥିଲେ କ୍ୟାରିୟରର ଶେଷ ଦିନିକିଆ। ସେହିବର୍ଷ ଫେବ୍ରୁଆରୀରେ ଶେଷ ଟି-ଟ୍ୱେଣ୍ଟି ଓ ୨୦୧୨ ମସିହା ଡିସେମ୍ବରରେ ଧଳା ଜର୍ସିରେ ଶେଷ ଟେଷ୍ଟ ଖେଳିଥିଲେ ୟୁବି। କ୍ରିକେଟର ଫାଇଟର ଓ ରିଅଲ୍ ମ୍ୟାଚ୍ ଓ୍ୱିନରଙ୍କୁ ମିସ୍ କରିବ ଓ୍ୱାର୍ଲଡ କ୍ରିକେଟ।
Connect With Us