ଆସନ୍ତା ଜୁଲାଇ ମାସରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର୍ ଧରିଛି। ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆଦିଲ୍ଲୀ ଗସ୍ତ ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟି ସମ୍ପର୍କ ପରିପ୍ରେକ୍ଷୀରେ ଯଥେଷ୍ଟ ଗୁରୁତ୍ଵ ରହିଛି। ରାଷ୍ଟ୍ରପତି ନିର୍ବାଚନ ନ ସରିବା ପର୍ଯ୍ୟନ୍ତ ଉଭୟ ଦଳର ନେତାମାନଙ୍କ ରାଜନୈତିକ ସମ୍ପର୍କରେ ସନ୍ତୁଳନ ରକ୍ଷା କରାଯିବା ସହିତ ଆରୋପ ପ୍ରତ୍ୟାରୋପରୁ ନିବୃତ ରହିବେ ବୋଲି ସୁଚନା ମିଳିଛି।ନବୀନଙ୍କ ନିଷ୍ପତ୍ତି ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ନେବ ବୋଲି ଚର୍ଚ୍ଚା ହେଉଛି।
କାହାକୁ ସମର୍ଥନ କରିବେ ନବୀନ?
ଆସନ୍ତା ରାଷ୍ଟ୍ରପତି ନିର୍ବାଚନରେ ନବୀନଙ୍କ ଭୂମିକା ନିଶ୍ଚିତ ଭାବେ ଗୁରୁତ୍ୱପୂର୍ଣ୍ଣ ରହିବ। କାରଣ ବିପକ୍ଷ ଦଳ ପକ୍ଷରୁ ଜଣେ ରାଷ୍ଟ୍ରପତି ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇବା ନେଇ ପ୍ରସ୍ତୁତି ଚାଲିଛି। ଏହି ମହାମେଣ୍ଟରେ ମମତା ବାନାର୍ଜୀଙ୍କ ଟିଏମସି, ଏମକେ ଷ୍ଟାଲିନଙ୍କ ଡିଏମକେ, ଉଦ୍ଧବ ଠାକେରଙ୍କ ଶିବସେନା, କେ.ଚନ୍ଦ୍ରଶେଖର ରାଓଙ୍କ ଟିଆରଏସ ଭଳି ଦଳମାନେ ସାମିଲ ହେବାର ସମ୍ଭାବନା ରହିଛି। ଯଦି ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀମାନେ ଏକତ୍ରିତ ହେବେ, ତେବେ ୨୦୨୪ ମେଗା ଫାଇନାଲରେ ଏହା ବିଜେପିକୁ କଡ଼ା ଟକ୍କର ଦେବାର ସମ୍ଭାବନା ରହିଛି।
୨୦୨୨ ରାଷ୍ଟ୍ରପତି ନିର୍ବାଚନରେ ଏନ୍ଡିଏ ତାଙ୍କ ପ୍ରାର୍ଥୀକୁ ଜିତାଇବା ପାଇଁ ଆହୁରି ୧.୨ ପ୍ରତିଶତ ଭୋଟ ଆବଶ୍ୟକ କରୁଛି। କିନ୍ତୁ ବିଜୁ ଜନତା ଦଳ ହାତରେ ୩.୨୨ ପ୍ରତିଶତ ଭୋଟ ଅଛି। ବିଧାନସଭାରେ ୧୧୩ ଜଣ ବିଜେଡି ସଦସ୍ୟ ଥିବା ବେଳେ ଲୋକସଭାରେ ୧୨ ଓ ରାଜ୍ୟସଭାରେ ୯ ଜଣ ସଦସ୍ୟ ଅଛନ୍ତି। ଯଦି ନିରାପଦରେ ଓ ସଚ୍ଛନ୍ଦରେ ଭାଜପା ତା ପ୍ରାର୍ଥୀଙ୍କୁ ଜିତାଇବାକୁ ଚାହେଁ ତାହେଲେ ବିଜେଡିରେ ସମର୍ଥନ ଦରକାର। ପରୋକ୍ଷରେ ବିଜେଡି ମଧ୍ୟ ପ୍ରସ୍ତୁତ ଅଛି ବୋଲି ନବୀନ ପ୍ରକାଶ କରିଛନ୍ତି। ଆସନ୍ତା ଜୁଲାଇରେ ରାଷ୍ଟ୍ରପତି ନିର୍ବାଚିତ ହେବ। ବର୍ତ୍ତମାନ ଭାଜପା କିମ୍ବା ଅନ୍ୟ କୌଣସି ଦଳ ସମ୍ଭାବ୍ୟ ପ୍ରାର୍ଥୀଙ୍କ ନାମ ଘୋଷଣା କରି ନାହାନ୍ତି। ଜୁନ୍ରେ ରାଜ୍ୟସଭା ନିର୍ବାଚନ ହେବାକୁ ଯାଉଛି। ଏହି ନିର୍ବାଚନ ପରେ ରାଜ୍ୟସଭାରେ ଏନ୍ଡିଏର ଶକ୍ତି ଆହୁରି ବଢିବ। ତେବେ ପ୍ରଧାନମନ୍ତ୍ରୀ ମୋଦୀ ଚାହିଁବେ ଯେ, ତାଙ୍କ ମନୋନୀତ ପ୍ରାର୍ଥୀ ପୁଣି ରାଷ୍ଟ୍ରପତି ଭାବେ ନିର୍ବାଚିତ ହୁଅନ୍ତୁ। ବିରୋଧି ଫ୍ରଣ୍ଟରେ ଅଛନ୍ତି କଂଗ୍ରେସ, ଶିବସେନା, ତୃଣମୂଳ କଂଗ୍ରେସ, ଡିଏମ୍ ଓ ଟିଆରଏସ୍। ଏମାନଙ୍କ ସହିତ ବିଜେଡି ଭଳି ଆନ୍ଧ୍ରପ୍ରଦେଶର ୱାଇଏସ୍ଆର୍ କଂଗ୍ରେସ ଯାଇ ନପାରନ୍ତି। ଏଭଳି ବୀବାଦୀୟ ପରିସ୍ଥିତିରେ ନବୀନଙ୍କ ଗତି ମୋଡ ବଦଳାଇ ଦେଇ ପାରେ ବୋଲି ଚର୍ଚ୍ଚା ହେଉଛି।