ଆରମ୍ଭ ହେଲାଣି କାଉଣ୍ଟଡାଉନ୍:ଏଥର ଗୁଜୁରାଟ କାହାର

ଗୁଜୁରାଟ ପଲିଟିକ୍ସ ଉପରେ ଏବେ ସାରା ଦେଶର ନଜର। ଗୁଜୁରାଟକୁ ନେଇ ଆରମ୍ଭ ହୋଇ ସାରିଛି କାଉଣ୍ଟଡ଼ାଉନ୍। ଗୁଜୁରାଟ ବିଧାନସଭା ନିର୍ବାଚନର ପାଇଁ ତାରିଖ ଘୋଷଣା ହେଲାପରେ ମାନସମନ୍ଥନ ଆରମ୍ଭ ହୋଇ ଯାଇଛି। ଗୁଜୁରାଟରେ ଡିସେମ୍ବର ୧ ଓ ୫ ଦୁଇଟି ପର୍ଯ୍ୟାୟରେ ମତଦାନ ହେବ ଓ ଡିସେମ୍ବର ୮ରେ ଫଳ ପ୍ରକାଶ ପାଇବ।

ଗୁଜୁରାଟରେ ତ୍ରିକୋଣୀୟ ଲଢେଇ
ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ବିଜେପି ଏବଂ କଂଗ୍ରେସ ନିଜର ନିର୍ବାଚନ ରଣକୌଶଳ କଡାକଡି କରିବାରେ ଲାଗିଛନ୍ତି। ଗୁଜୁରାଟ ନିର୍ବାଚନରେ ଆମ୍ ଆଦମୀ ପାର୍ଟିର ପ୍ରବେଶ ଏଥର ପ୍ରତିଯୋଗିତାକୁ ଆହୁରି ଆକର୍ଷଣୀୟ କରିଛି। ଗୁଜରାଟରେ ୧୮୨ ଟି ବିଧାନସଭା ଆସନ ଅଛି। ଗୁଜରାଟ ବିଧାନସଭା ନିର୍ବାଚନ ୨୦୧୭ ରେ ସମସ୍ତ ୧୮୨ ଟି ଆସନର ଫଳାଫଳ ଘୋଷଣା ହେବା ପରେ ବିଜେପି ୯୯ ଟି ଆସନ ସହିତ ବହୁମତ ଅତିକ୍ରମ କରିଥିଲା। କଂଗ୍ରେସ ୭୭ ଟି ଆସନ ପାଇଥିଲା। ଗୁଜୁରାଟରେ ସଂଖ୍ୟାଗରିଷ୍ଠତା ହେଉଛି ୯୨। ବିଭିନ୍ନ ପ୍ରସଙ୍ଗରେ ଆପ୍ ସରକାର ବିଜେପିଙ୍କୁ ଟାର୍ଗେଟ କରୁଥିବା ବେଳେ ଗୁଜୁରାଟର ମୋର୍ବି ଝୁଲାପୋଲ ଭଙ୍ଗା ଘଟଣା ବିଜେପିକୁ ଅଡ଼ୁଆରେ ପକାଇପାରେ।

ଦିଲ୍ଲୀ ଓ ପଞ୍ଜାବ ପରେ ଏବେ ଗୁଜୁରାଟ ଉପରେ ଟାର୍ଗେଟ୍
ଆମ୍ ଆଦମୀ ପାର୍ଟୀ ଦୀଲ୍ଲିରେ ସରକାର କରିଛି। ପଞ୍ଜାବ ନିର୍ବାଚନରେ ମଧ୍ୟ କଡ଼ା ଟକ୍କର ଦେଇ ଆସନ ହାତେଇଛି ଆମ୍ ଆଦମୀ ପାର୍ଟୀ। ଏବେ ବିଜେପିର ଗଡ଼ ତଥା ପ୍ରଧାନମନ୍ତ୍ରୀ ମୋଦିଙ୍କ କ୍ଷେତ୍ର ଗୁଜୁରାଟ ଉପରେ ଆପର ଆଖି। ବିଜେପି ଦୀର୍ଘ ଦିନର ସମର୍ଥନକୁ ବଳ କରିଥିଲା ବେଳେ ନୂଆ ଷ୍ଟ୍ରାଟେଜୀ ଆପଣେଇ ନିର୍ବାଚନ ରଣାଙ୍ଗନକୁ ଆସିବେ କେଜ୍ରିୱାଲ। କଂଗ୍ରେସ ମଧ୍ୟ କଡ଼ା ମୁକାବିଲା ପାଇଁ ନିଜକୁ ପ୍ରସ୍ତୁତ କରୁଛି। କଂଗ୍ରେସ ଅଧ୍ୟକ୍ଷ ନିର୍ବାଚିତ କରି ଦଳୀୟ ନେତୃତ୍ୱରେ ପରିବର୍ତ୍ତନ ଆଣିଛି। ଖଡ଼ଗେଙ୍କୁ ସେନାପତି ସଜେଇ କଂଗ୍ରେସ ତାର ନୁଆ ପ୍ରକ୍ରିୟା ଆରମ୍ଭ କରିଛି। ସମସ୍ତେ ନିଜ ଦଳ ପାଇଁ ଷ୍ଟ୍ରାଟେଜୀ କରିବାରେ ବ୍ୟସ୍ତ ଥିଲାବେଳେ କାହାକୁ କେତେ ସଫଳତା ମିଳୁଛି ତାହା ଦେଖିବା ବାକି।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା
Connect With Us