ବର୍ଷ ଶେଷର ସବୁଠୁ ବଡ଼ ଦୁଖଦ ଖବର,ବ୍ରଜରାଜ ନଗର ବିଧାୟକ କିଶୋର ମହାନ୍ତିଙ୍କ ହୃଦଘାତରେ ପରଲୋକ ହେବା।ଝାରସୁଗୁଡ଼ା ପୌର ପରିଷଦର କାଉନସିଲର ଭାବେ କ୍ୟାରିୟର ଆରମ୍ଭ କରି ଓଡ଼ିଶା ବିଧାନସଭାର ବାଚସ୍ପତି ଆସନରେ ବସିବା,ଜଣେ ବ୍ୟକ୍ତିର ପଲଟିକାଲ୍ କ୍ୟାରିୟରରେ ବିରାଟ ଉପଲବଧି।ପୂର୍ବରୁ ୩ଥର ଝାରସୁଗୁଡ଼ା ବିଧାନସଭା କ୍ଷେତ୍ରକୁ ପ୍ରତିନିଧିତ୍ୱ ସହ ରାଜ୍ୟସଭାରେ ଓଡ଼ିଶା ପ୍ରସଙ୍ଗ ଉଥାପନା କରିବା କାର୍ଯ୍ୟ,କିଶୋର ବାବୁଙ୍କ ଭଳି ହାତହଣତି ନେତାଙ୍କ ଭାଗ୍ୟରେ ଜୁଟିଛି।ଏହାସହ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ହୋଇ ନିଜର ମ୍ୟାନେଜରିଆଲ୍ ସ୍କିଲକୁ ପ୍ରତିପାଦନ କରିଛନ୍ତି କିଶୋର ମହାନ୍ତି।

BJDର ଜନ୍ମ ତିଥିରେ ବ୍ରଜରାଜ ନଗରର ସର୍ବମାନ୍ୟ ନେତାଙ୍କ ପରଲୋକ
କିଶୋର ମହାନ୍ତିଙ୍କ ବିୟୋଗ ପରେ ବ୍ରଜରାଜ ନଗର ଭୋଟର ଏବେ ଦେଖିବେ ଉପନିର୍ବାଚନ।୧୯୯୮ ଉପନିର୍ବାଚନରେ BJD ପ୍ରାର୍ଥୀଙ୍କୁ ପରାଜିତ କରିଥିବା ବ୍ରଜରାଜ ନଗର ଭୋଟର,ଏବେ ଦ୍ୱିତୀୟ ଥର ଉପନିର୍ବାଚନରେ ନିଜର ମତ ସାବ୍ୟସ୍ତ କରିବେ।ତେବେ ରେକର୍ଡ କହୁଛି BJD ସହ ବ୍ରଜରାଜ ନଗର ଭୋଟରଙ୍କ ସଂପର୍କ ଏତେଟା ଘନିଷ୍ଠ ନୁହେଁ। କାରଣ ବିଜୁ ଜନତା ଦଳର ପ୍ରତିଷ୍ଠା ଦିନ ହିଁ, ବ୍ରଜରାଜ ନଗରବାସୀଙ୍କ ସର୍ବମାନ୍ୟ ନେତା-ପ୍ରସନ୍ନ ପଣ୍ଡାଙ୍କ ଦେହାନ୍ତ ହୋଇଥିଲା।
୨୬ ଡିସେମ୍ବର ୧୯୯୭ରେ ଜନତା ଦଳ ଠାରୁ ଅଲଗା ହୋଇ ବିଜୁ ଜନତା ଦଳ ଗଠନ ହେଲା।ଠିକ୍ ସେହି ଦିନ ବ୍ରଜରାଜ ନଗର ବିଧାୟକ ତଥା ବର୍ଷିୟାନ ବାମପନ୍ଥୀ ନେତା ପ୍ରସନ୍ନ ପଣ୍ଡାଙ୍କ ଦେହାନ୍ତ ହୋଇଥିଲା।ବ୍ରଜରାଜ ନଗର ବିଧାନସଭା ଆସନ ଗଠନ ହେବା ଠାରୁ ୧୯୬୧ ମସିହାରୁ ଛଅ ଛଅ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ପ୍ରସନ୍ନ ପଣ୍ଡା। ପ୍ରଥମ ବିଧାୟକ ଭାବେ ପ୍ରସନ୍ନ ବାବୁଙ୍କୁ ନିର୍ବାଚିତ କରାଇଥିବା ବ୍ରଜରାଜ ନଗର ଭୋଟର,ନିଜର ପ୍ରିୟ ରାଜନେତାଙ୍କୁ ହରାଇଥିଲେ, BJDର ପ୍ରତିଷ୍ଠା ଦିନ।
ରାଜଧାନୀରେ ଉତ୍ସାହ, ବ୍ରଜରାଜ ନଗରରେ ଶୋକ
BJD
ପ୍ରତିଷ୍ଠାକୁ ନେଇ ୨୬ ଡିସେମ୍ବର ୧୯୯୭ରେ ରାଜଧାନୀର ପଲିଟିକ୍ସ ସରଗରମ ଥିଲାବେଳେ, ପ୍ରସନ୍ନ ପଣ୍ଡାଙ୍କ ମୁତ୍ୟୁକୁ ନେଇ ବ୍ରଜରାଜ ନଗରରେ ଥିଲା ଶୋକର ଛାୟା। ଏହାପରେ ବ୍ରଜରାଜ ନଗର ନିର୍ବାଚନ ମଣ୍ଡଳୀରେ ଫେବ୍ରୁଆରୀ ୧୯୯୮ରେ ପ୍ରଥମ ଥର ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେଲା। ନୂଆ ଆଞ୍ଚଳିକ ଦଳ ଭାବେ BJD ପାଇଁ ଏହା ଥିଲା ପ୍ରଥମ ନିର୍ବାଚନ।୧୯୯୫ ନିର୍ବାଚନରେ ଜନତା ଦଳ ପ୍ରାର୍ଥୀ ହୋଇ ପରାସ୍ତ ହୋଇଥିବା ରାଧାରାଣୀ ପଣ୍ଡାଙ୍କୁ ପ୍ରାର୍ଥୀ କଲା BJD। କିନ୍ତୁ ନିଜର ପ୍ରିୟ ନେତା ପ୍ରସନ୍ନ ବାବୁଙ୍କୁ ମୃତ୍ୟୁର ତାରିଖରେ ଜନ୍ମ ନେଇଥିବା BJD ପ୍ରାର୍ଥୀଙ୍କୁ ଭରସା କଲେ ନାହିଁ ବ୍ରଜରାଜ ନଗର ଭୋଟର।କଂଗ୍ରେସ ପ୍ରାର୍ଥୀ କେସବ ସାହୁ ବିଜୟୀ ହେଲେ। ଆଉ BJD,ନିଜର ପ୍ରଥମ ଉପନିର୍ବାଚନ ପରୀକ୍ଷାରେ ହେଲା ବିଫଳ।

ପ୍ରସନ୍ନ ପଣ୍ଡା

ଅନୁପ କଂଗ୍ରେସରୁ ଜିତୁଥିଲେ, ଶଙ୍ଖ ଚିହ୍ନରେ ହାରିଲେ
ଓଡ଼ିଶାରେ BJDBJP ମେଣ୍ଟକୁ ଗ୍ରହଣ କରିନିଥିଲେ ବ୍ରଜରାଜ ନଗର ଭୋଟର। BJDର ସହଯୋଗୀ BJP ନେତା ସୁରେଶ ପୂଜାରୀଙ୍କୁ ଲଗାତର ୩ଥର ପରାଜିତ କଲେ କଂଗ୍ରେସ ପ୍ରାର୍ଥୀ ଅନୁପ ସାଏ।କିନ୍ତୁ ହତ୍ୟାକାଣ୍ଡରେ ସଂପୃକ୍ତ ଅନୁପ ସାଏ, ଦଳ ବଦଳାଇ BJD ପ୍ରାର୍ଥୀ ହେବା କ୍ଷଣି ବ୍ରଜରାଜ ନଗର ଭୋଟରଙ୍କ ରାଗର ଶୀକାର ହେଲେ।ବାକି ଓଡ଼ିଶାରେ ନବୀନ ପଟ୍ଟନାୟକ ଲଗାତର ୪ଥର ଜିତିବା ସତ୍ତ୍ୱେ,ବ୍ରଜରାଜ ନଗର ଭୋଟର ୨୦୧୪ରେ BJD ପ୍ରାର୍ଥୀ ଅନୁପ ସାଏଙ୍କୁ ପରାସ୍ତ କଲେ।ବିଜୟୀ ହେଲେ BJPର ରାଧାରାଣୀ ପଣ୍ଡା।
କାଳ ଡିସେମ୍ବର
ସମୟ ବଦଳିଲା ୨୦୧୯ରେ କିଶୋର ମହାନ୍ତି,ଝାରସୁଗୁଡ଼ା ଛାଡି ବ୍ରଜରାଜ ନଗରରୁ ଲଢ଼ିଲେ ଏବଂ ଭୋଟରଙ୍କ ଆସ୍ଥା ଭାଜନ ହେଲେ। ପ୍ରଥମ ଥର ପାଇଁ BJD ନିୟନ୍ତ୍ରଣକୁ ଆସିଲା ବ୍ରଜରାଜ ନଗର। କିନ୍ତୁ ପ୍ରସନ୍ନ ପଣ୍ଡାଙ୍କ ପରି କିଶୋର ମହାନ୍ତିଙ୍କର ମଧ୍ୟ ଡିସେମ୍ବର ମାସରେ ଅକାଳ ବିୟୋଗ ହେଲା। ଏବେ ପୁଣି ହେବ ଉପନିର୍ବାଚନ। ଦଳ ପ୍ରତିଷ୍ଠାର ପ୍ରଥମ ଝଟକା ବ୍ରଜରାଜ ନଗରରୁ ଖାଇଥିବା BJD, ଆଗାମୀ ଉପନିର୍ବାଚନ ବିଜୟୀ ହେବ ତ ? ନା ବ୍ରଜରାଜ ନଗର ଭୋଟର ଶାସକ ଦଳ ଠାରୁ ମୁହଁ ଫେରାଇ ନେଇ ତଲସରା ଓ ଲକ୍ଷ୍ମୀପୁର ଉପନିର୍ବାଚନ ଫଳାଫଳର ପୁନରାବୃତ୍ତି କରାଇବେ ?
ଏହି ଷ୍ଟୋରୀକୁ ଲେଖିଛନ୍ତି-ରଶ୍ମିତା ବେହେରା