୨୦୨୨ ଶେଷ ଆଡକୁ ଆରମ୍ଭ ହୋଇଥିଲା ଓଡ଼ିଆ ସିନେ ଜଗତର ଭିନ୍ନ ଏକ ଯାତ୍ରା।କେବେ ଆକାଶକୁ ପ୍ରଶ୍ନ କରୁଥିଲା ହଳେ ନିରୀହ ଆଖି ତ ପୁଣି କେବେ ସମୁଦ୍ରରେ ବୁଡି ଖୋଜୁଥିଲା ଉତ୍ତର,ମାଟିରୁ ଉଠି ଆକାଶ ମାପିବାକୁ ଯାଉଥିବା ମନପକ୍ଷୀ ପଚାରୁଥିଲା ଏକା ଚାଲିବାର ରାସ୍ତା।ଡିସେମ୍ବର ୨ ତାରିଖରେରେ ରିଲିଜ୍ ହୋଇଥିବା ଓଡ଼ିଆ ଫିଲ୍ମ ପ୍ରତୀକ୍ଷାରେ ନଜର ଆସିଥିଲା ଏମିତି କିଛି ସଂଳାପ ସଂଗୀତ। ମଧ୍ୟବିତ ପରିବାରର କାହାଣୀ ଉପରେ ଆଧାରିତ ସିନେମାକୁ ଆପଣେଇ ନେଇଥିଲେ ଅନେକ ଦର୍ଶକ। ଗୌରହରି ଦାସଙ୍କ ଲିଖିତ ବାପା ଗପକୁ ନେଇ ଫିଲ୍ମ ତିଆରି କରିଥିଲେ ଯୁବ ନିର୍ଦ୍ଦେଶକ ତଥା ପ୍ରଜୋଯକ ଅନୁପମ ପଟ୍ଟନାୟକ। କପି ପେଷ୍ଟ ଷ୍ଟୋରୀର କଳଙ୍କ ହଟାଇ ଭେଟିଦେଇଥିଲେ ଓଡ଼ିଆପଣର ସିନେମା।
ନାୟକ ଭୁମିକାରେ ନଜର ଆସିଥିଲେ ଦ୍ୱିପାନ୍ୱିତ ଦାସ ମହାପାତ୍ର,ଏବଂ ନାୟିକା ଭାବେ ନଜର ବସିଥିଲେ ବର୍ଷା ପଟ୍ଟନାୟକ। ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କ ସହ ବାପା ଭୁମିକାରେ ଅଭିନୟ କରିଥିବା ଚୌଧୁରୀ ଜୟପ୍ରକାଶ ଦାସଙ୍କ ଅଭିନୟ ଦର୍ଶକଙ୍କୁ ବେଶ ଛୁଇଁଥିଲା। ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିର ସକ୍ସେସ ରିପିଟ କରି ଚର୍ଚ୍ଚାକୁ ଆସିଥିବା ଦମନ ଫିଲ୍ମର ଧାଡିରେ ଯୋଡ଼ି ହୋଇଥିଲା ପ୍ରତୀକ୍ଷା।ଓଡ଼ିଆ ସିନେମାରୁ ମୁହଁ ଫେରାଇଥିବା ଦର୍ଶକ ବି ହୋଇଥିଲେ ସିନେମା ମୁହାଁ।
ଏବେ ସେହି ଫିଲ୍ମ ପାଇଁ ସଫଳତାର କଡ ଲେଉଟାଉଛି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି। ଦମନ ପ୍ରତିକ୍ଷା ଭଳି ଟ୍ରେଣ୍ଡ ସେଟର ଫିଲ୍ମରୁ ରିପିଟ ହେଉଛି ସକ୍ସେସ ଷ୍ଟୋରୀ। ଜାତୀୟ ସ୍ତରରେ ନାଁ କରୁଛି ଓଡ଼ିଆ ଭାଷାର ନିଜସ୍ୱ ଚଳଚିତ୍ର। ୬୯ତମ ଜାତୀୟ ଚଳଚିତ୍ର ପୁରସ୍କାର ପାଇବାକୁ ମନୋନୀତ ହୋଇଛି ଓଡ଼ିଆ ଫିଲ୍ମ ପ୍ରତୀକ୍ଷା।ପୁର୍ବରୁ ଗୋଆରେ ଆୟୋଜିତ ୫୩ତମ international film festival of india ରେ ଭାରତୀୟ ପାନାରୋମା ବିଭାଗରେ ଏକମାତ୍ର ଓଡ଼ିଆ ଚଳଚିତ୍ର ଭାବେ ମନୋନୀତ ହୋଇଥିଲା ଏହି ଫିଲ୍ମ। ଜାତୀୟ ଏବଂ ଆନ୍ତର୍ଜାତିୟ ସ୍ତରରେ ପାଇଥିଲା ଲୋକପ୍ରିୟତା। ଜାତୀୟ ପୁରସ୍କାର ପାଇଲା ପରେ ପୁଣି ଥରେ ଚର୍ଚ୍ଚାର ଟ୍ରାକକୁ ଆସିଛି ପ୍ରତୀକ୍ଷା।
ପ୍ରଯୋଜକ ଅନୁପମ ପଟ୍ଟନାୟକଙ୍କ ପାଇଁ ଭିନ୍ନ ଅନୁଭୁତି ଆଣିଦେଇଛି ପ୍ରତୀକ୍ଷା। ବାପାଙ୍କ ସକ୍ସେସ ଷ୍ଟୋରୀକୁ ରିପିଟ କରିଛନ୍ତି ଅନୁପମ।୩୮ବର୍ଷ ପୁର୍ବରୁ ଜାତୀୟ ଚଳଚିତ୍ର ପୁରସ୍କାର ପାଇଥିବା ଫିଲ୍ମର ପ୍ରଜୋଜନା କରିଥିଲେ ତାଙ୍କ ବାପା ଅମୀୟ ପଟ୍ଟନାୟକ।୧୯୮୫ରେ ଅମୀୟ ପଟ୍ଟନାୟକଙ୍କ ପ୍ରଯୋଜିତ ହାକିମ୍ ବାବୁକୁ ମିଳିଥିଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର। ଯାହା ଥିଲା ତାଙ୍କ ବାପାଙ୍କ ପ୍ରଥମ ଚଳଚ୍ଚିତ୍ର। ଯୋଉଥିରେ ନଜର ଆସିଥିଲେ ଅଜିତ ଦାସ,ବିଜୟ ମହାନ୍ତି,ଦୁଃଖିରାମ ସ୍ୱାଇଁ, ଜୟା,ଜୟୀରାମ ସାମଲ ଏବଂ ସୁଜାତା ଆନନ୍ଦଙ୍କ ଭଳି ଭେଟେରାନ୍ ଆକ୍ଟର।
ବାପାଙ୍କ ପରି ଅନୁପମଙ୍କ ନିର୍ଦ୍ଦେଶିତ ତଥା ପ୍ରଯୋଜିତ ପ୍ରଥମ ଚଳଚିତ୍ର ପ୍ରତିକ୍ଷାକୁ ଜାତୀୟ ଚଳଚିତ୍ର ପୁରସ୍କାର ମିଳିଲା ପରେ ବେଶ୍ ଉତ୍ସାହିତ ଅଛନ୍ତି ଯୁବ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ। ଓଡ଼ିଆ ଫିଲ୍ମର ଟ୍ରେଣ୍ଡ ସେଟର କୁହାଯାଉଥିବା ଫିଲ୍ମକୁ ନ୍ୟାସନାଲ ଆୱାର୍ଡ ମିଳିଲା ପରେ ଫିଲ୍ମ କ୍ଷେତ୍ରରେ ଆହୁରି ସୁଧାର ଆସିବା ସହ ଏକ ନୂଆ ଯୁଗର ଆରମ୍ଭ ହେବା ନେଇ ସମସ୍ତେ ଆଶାବାଦୀ।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା