ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୩ ଦିନିଆ ଓଡ଼ିଶା ଗସ୍ତର ଅନ୍ତିମ ଦିନରେ ବାରିପଦାର ମହାରାଜା ଶ୍ରୀରାମଚନ୍ଦ୍ରଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେଇଛନ୍ତି। ମହାମହିମଙ୍କ ଜନ୍ମ ମାଟିରେ ହିଁ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଅନ୍ଧାରରେ ଅଭିଭାଷଣ ରଖିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ହୋଇଛି ବିଜୁଳିକାଟ। ୯ ମିନିଟ ପାଇଁ ଅନ୍ଧାରରେ ରହିଛନ୍ତି ରାଷ୍ଟ୍ରପତି। ରାଷ୍ଟ୍ରପତି ଅଭିଭାଷଣ ରଖୁଥିବା ସମୟରେ ୧୧.୫୬ ରୁ ୧୨.୦୯ ଯାଏଁ ବିଜୁଳି କାଟ ହୋଇଥିଲା। ବିଜୁଳିକାଟ ଯୋଗୁଁ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଅସୁବିଧା ହେବା ସହ ତାଙ୍କ କଥା ମଧ୍ୟ ଉପସ୍ଥିତ ଜନତାଙ୍କୁ ଶୁଣାଯାଇ ନଥିଲା।
ଅନ୍ଧାର ଯେତିକି ଆଲୁଅ ସେତିକି…
ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତିଙ୍କ ସମେତ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ବିଶ୍ୱବିଦ୍ୟାଳୟର କୁଳପତି ମଞ୍ଚରେ ଉପସ୍ଥିତ ଥିଲେ। ହଠାତ ବିଜୁଳିକାଟ ହେଲା ପରେ ବି ଅଟକି ନଥିଲେ ରାଷ୍ଟ୍ରପତି। ବିଜୁଳି ଚାଲିଯିବା ପରେ ଅଭିଭାଷଣରେ ରାଷ୍ଟ୍ରପତି କହିଥିଲେ ‘ଅନ୍ଧାର ଯେତିକି ଆଲୁଅ ସେତିକି ଏହି ଯେ ଗହନ ବନ’। ଯଦିଓ ରାଷ୍ଟ୍ରପତି ଅନ୍ଧାର ସତ୍ତ୍ୱେ ନିଜ ଦୃଢ ମନୋବଳର ପରିଚୟ ଦେଇଛନ୍ତି ତଥାପି ଏଭଳି ଘଟଣା ଭାରତରେ ପ୍ରଥମ। ଭାରତର ପ୍ରଥମ ନାଗରିକଙ୍କ ଅଭିଭାଷଣରେ ଏଭଳି ଅବ୍ୟବସ୍ଥାକୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଉଛି। କିଛିଦିନ ତଳେ ଶକ୍ତିମନ୍ତ୍ରୀ ବିଦ୍ୟୁତକାଟକୁ ନେଇ ଦୃଢୋକ୍ତି ରଖିଥିବା ବେଳେ ଖୋଦ୍ ମହାମହିମଙ୍କ କ୍ଷେତ୍ରରେ ଏଭଳି ଅବ୍ୟବସ୍ଥା ଭିନ୍ନ ଦିଗକୁ ଇସାରା କରୁଛି। ୧ ନମ୍ବର ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟରେ ସେହି ରାଜ୍ୟର କନ୍ୟା ମହାମହିମଙ୍କୁ ନେଇ ଏ ପ୍ରକାର ଅବ୍ୟବସ୍ଥା ରାଜ୍ୟ ବାହାରେ ଓଡ଼ିଶାକୁ ସମାଲୋଚନା ନଜରରେ ପକାଇପାରେ।