କିସ୍ ପ୍ରତିଷ୍ଠା ହେଲେ ଝାଡ଼ଖଣ୍ଡରୁ ହଟିଯିବ ମାଓବାଦୀ ସମସ୍ୟା: ମୁଖ୍ୟମନ୍ତ୍ରୀ ସୋରେନ୍

ଓଡ଼ିଶାର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ କିସ୍ ପରିଦର୍ଶନ କରିଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍। ଶୈକ୍ଷିକ ପରିବେଶ ଭିତରେ ଛାତ୍ରଛାତ୍ରୀଙ୍କ ସହ ସମୟ ବିତାଇ କିସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ପ୍ରଶଂସା କରିଛନ୍ତି। ଝାଡ଼ଖଣ୍ଡରେ କିସ୍ ଭଳି ଅନୁଷ୍ଠାନ ନଥିବାରୁ ଦୁଃଖ ପ୍ରକାଶ କରିଛନ୍ତି ଶ୍ରୀଯୁକ୍ତ ସୋରେନ୍। ଝାଡ଼ଖଣ୍ଡରେ କିସ୍ ଭଳି ଅନୁଷ୍ଠାନ ପ୍ରତିଷ୍ଠା ହେଲେ ମାଓବାଦୀ ସମସ୍ୟାର ସମାଧାନ ସହ ଆଦିବାସୀ ସମ୍ପ୍ରଦାୟ ଉପକୃତ ହୋଇପାରନ୍ତେ ବୋଲି ସେ କହିଛନ୍ତି। ଆଦିବାସୀ ପିଲମାନଙ୍କ ଉନ୍ନତି ଲାଗି ପ୍ରତିଷ୍ଠା ହୋଇଥିବା କିସ୍ ପ୍ରତିଷ୍ଠାନକୁ ମାସକର ଦରମା ପ୍ରଦାନ କରିଛନ୍ତି ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ।

କିସ୍ ଏକ ପ୍ରତିବଦ୍ଧତା
ଶୁକ୍ରବାର କିସ୍ ପରିଦର୍ଶନରେ ଆସି କିସ୍ର ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ସୋରେନ୍ କହିଛନ୍ତି ଯେ,କିସ୍ ଏକ ସାଧାରଣ ପ୍ରୟାସ ନୁହେଁ,ବରଂ ପ୍ରତିବଦ୍ଧତା। କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଯେତେ ପ୍ରଶଂସା କଲେ ମଧ୍ୟ କମ୍ ହେବ। ସରକାରଙ୍କ ଦ୍ୱାରା ଏତେ ବିରାଟ ଅନୁଷ୍ଠାନ ସୃଷ୍ଟି କରିବା ଚିନ୍ତା କରାଯାଇ ନପାରେ ବୋଲି ମୁଖ୍ୟମନ୍ତ୍ରୀ ମତ ରଖିଛନ୍ତି।

ଝାଡ଼ଖଣ୍ଡ ପାଇଁ ମାର୍ଗଦର୍ଶକ ହେବ କିସ୍
ଜନଜାତି ସମ୍ପ୍ରଦାୟର ଲୋକଙ୍କୁ ବିକାଶ ଧାରାରେ ସାମିଲ କରିବାରେ କିସ୍ ମାର୍ଗଦର୍ଶନ କରିବ ବୋଲି ସେ କହିଛନ୍ତି। କିସ୍ ପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।ଏହାର ସୁବିନିଯୋଗ କରି ଦୃଢ଼ତା ଓ କଠିନ ପରିଶ୍ରମ ବଳରେ ଲକ୍ଷ୍ୟ ପଥରେ ଆଗେଇ ଯିବା ପାଇଁ ସେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେଇଛନ୍ତି।

କିସ୍ ଏକ ଅନୁଷ୍ଠାନ ନୁହେଁ ଏକ ସାମ୍ରାଜ୍ୟ
ଝାଡ଼ଖଣ୍ଡ ସରକାରଙ୍କ ମୁଖ୍ୟ ସଚିବ ସୁଖଦେବ ସିଂହ କହିଛନ୍ତି କିସ୍ ଏକ ଅନୁଷ୍ଠାନ ନୁହେଁ, ଏକ ସାମ୍ରାଜ୍ୟ। ଭଗବାନଙ୍କ ଆଶୀର୍ବାଦ ନଥିଲେ ଏଭଳି ଏକ ଅନୁଷ୍ଠାନ ସୃଷ୍ଟି କରାଯାଇ ନପାରେ। ଏହି କାର୍ଯ୍ୟକ୍ରମରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। କିସ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦୀପକ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
Connect With Us