‘ଆ ଜହ୍ନରେ ଲେଖିବା ନାଁ’ ହଁ ଏକଥା ଆମେ ନୁହେଁ ବରଂ ଭାରତର ପ୍ରତେକ ଲୋକଙ୍କ ମୁହଁରୁ ଶୁଣିବାକୁ ମିଳୁଛି। ଜହ୍ନରେ ନା ଲେଖିବା ପାଇଁ ଦେଶସାରା ନିଆରା ଉତ୍ସାହ। ବାଲିରେ ବି ଅଙ୍କାଗଲାଣି ଶୁଭେଚ୍ଛାର ବାର୍ତ୍ତା। ଆରମ୍ଭ ହେଲାଣି ଚନ୍ଦ୍ର ଅଭିଯାନର କାଉଣ୍ଟ ଡ଼ାଉନ। ମୁନ୍ ମିଶନ ପାଇଁ ରେଡ଼ି ହେଲାଣି ଇଣ୍ଡିଆ।ଅପେକ୍ଷା କିଛି ସମୟର। ମହାକାଶରେ ଚମକିବ ଭାରତ।ଚନ୍ଦ୍ରପୃଷ୍ଠକୁ ଯିବ ଭାରତର ଶହେ କୋଡ଼ିଏ କୋଟି ଲୋକଙ୍କ ଆଶା ଆକାଂକ୍ଷା। ଆନ୍ଧ୍ରପ୍ରଦେଶର ଶ୍ରୀହରୀକୋଟାସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ବଡ଼ ଉଡ଼ାଣ ଆରମ୍ଭ କରିବ ସାରା ଦେଶ। ଅପରାହ୍ଣ ୨.୩୫ରେ ଜହ୍ନକୁ ଯାତ୍ରା କରିବ ଚନ୍ଦ୍ରଯାନ-୩। ଏ ଗବେଷଣାରେ ଭାରତ ସଫଳ ହେଲେ ଇସ୍ରୋକୁ ମିଳିବ ବଡ଼ ଧରଣର ସଫଳତା। ଚନ୍ଦ୍ରପୃଷ୍ଠରେ ବି ରେକର୍ଡ଼ କରିବ ଇଣ୍ଡିଆ। ମହାକାଶ ଗବେଶଣାରେ ଚନ୍ଦ୍ରର ସାଉଥ୍ ପୋଲରେ ପହଞ୍ଚି ଆମେରିକା ଏବଂ ଚିନକୁ ଟକ୍କର ଦେବ ISRO। ୬୧୫ କୋଟି ଟଙ୍କା ଖର୍ଚ୍ଚରେ ଅଭିଯାନ କରିଛି ଇସ୍ରୋ।
୨୨ ଅକ୍ଟୋବର ୨୦୦୮ରେ ଚନ୍ଦ୍ରଯାନ-୧ ର ଉତକ୍ଷେପଣ ପରେ ୨୦୧୯ ଜୁଲାଇ ୨୨ରେ ଉତକ୍ଷେପଣ ହୋଇଥିଲା ଚନ୍ଦ୍ରଯାନ-୨। ସଫଳତାର ସହ ଏକ ଅର୍ବିଟର ବି ନିୟୋଜିତ କରିଥିଲା। ମାତ୍ର ଦୁର୍ଭାଗ୍ୟବଶତଃ ଲ୍ୟାଣ୍ଡର ଏବଂ ରୋଭର ନଷ୍ଟ ହେଇଯାଇଥିବାରୁ ଅବତରଣ ପୃଷ୍ଠରୁ ମାତ୍ର ୪୦୦ମିଟରରେ ଥିବାବେଳେ ଶେଷ ମୁହୁର୍ତ୍ତରେ ବିଚ୍ଛିନ ହୋଇଥିଲା ଯୋଗାଯୋଗ। ଚୁରମାର ହୋଇଯାଇଥିଲା ଚନ୍ଦ୍ରପୃଷ୍ଠର ସ୍ୱପ୍ନ। ଚନ୍ଦ୍ରଯାନ-୨ ଯଦିଓ ଭାରତ ପାଇଁ ବଡ଼ ସଫଳତା ଆଣିଦେଇ ନଥିଲା। କିନ୍ତୁ ଭାରତ ପାଇଁ ଅନେକ ଶିକ୍ଷା ଆଣି ଦେଇଥିଲା। ଆଜି ସେ ବିଫଳତାକୁ ଅନୁଭୁତି କରି ସଫଳତାର ସ୍ୱପ୍ନ ଦେଖିଛି ଇସ୍ରୋ। ଚନ୍ଦ୍ରଯାନରେ ହୋଇଥିବା ତ୍ରୁଟିକୁ ସୁଧାରି ପଡ଼ିଛି ଚନ୍ଦ୍ରଯାନ-୩ର ମୂଳଦୁଆ।
ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରେ ଦେଖାଯାଉଥିବା ଏହି ସ୍ପେସ୍ କ୍ରାଫ୍ଟ ଉପରେ ଏବେ ସାରା ଦେଶର ଆଖି। ସମୟ ପାଖେଇବା ସହ ବଢୁଛି ଉତ୍କଣ୍ଠା। ଏକ ସଫଳ ମିଶନ ପାଇଁ ସମସ୍ତ ପାରାମିଟର ପୁରଣ କରିଥିବାରୁ ସମସ୍ତେ ବେଶ୍ ଆଶାବାଦୀ। ଚନ୍ଦ୍ରଯାନ-୩ରେ ଫୋକସରେ ରହିବ ବାହୁବଳୀ ରକେଟ LVM3 । ୪୩.୫ମିଟରର LVM3 ଯାହାକି ଏକ ହେଭି ଲିଫ୍ଟ ଲଞ୍ଚ ଭେହିକଲ। ଏହି ଲଞ୍ଚ ରକେଟ ଚନ୍ଦ୍ରଯାନକୁ ପ୍ରଥମେ ଅର୍ଦ୍ଧବୃତାକାର ପୃଥିବୀ କକ୍ଷପଥକୁ ପଠାଇବ। ଏହି ମିସନରେ ଦୁଇ ମିଟର ଉଚ୍ଚର ଏକ ଲ୍ୟାଣ୍ଡର ରହିଛି। ଇସ୍ରୋର ମିଶନ ପ୍ରସ୍ତୁତି ସମୀକ୍ଷା କମିଟି ଉତକ୍ଷେପଣ ପାଇଁ ମଞ୍ଜୁରୀ ଦେଲେ ପରେ ଲଞ୍ଚ ପ୍ରାଧିକରଣ ବୋର୍ଡ଼ ମଧ୍ୟ ମିଶନ ପାଇଁ ଗ୍ରୀନ ସିଗନାଲ ଦେଇଛି।
ଚନ୍ଦ୍ରଯାନ-୩ ର ଓଜନ ରହିଛି ୩୯୨୧ କେଜି। ୪ ଲକ୍ଷ କି.ମି ଲମ୍ବା ଯାତ୍ରା କରିବ। ସ୍ୱଦେଶି ଜ୍ଞାନ କୌଶଳରେ ନିର୍ମିତ ରହିଛି ସାଟେଲାଇଟ। ଲ୍ୟାଣ୍ଡର ରୋଭର କଣ୍ଟ୍ରୋଲ ପାଇଁ ରହିବ ସାଇଣ୍ଟିଫିକ ପେଡଲ। ଚନ୍ଦ୍ରଯାନ ୩ ପାଇଁ ଅନେକ ପରୀକ୍ଷା ନିରୀକ୍ଷା କରାଯିବା ସହ ଇନ୍ଧନର କ୍ଷମତା ମଧ୍ୟ ବୃଦ୍ଧି କରାଯାଇଛି। ସଫଳ ଅବତରଣ ହେଲେ ଅଗଷ୍ଟ ୨୩ରେ ଚନ୍ଦ୍ରର ସାଉଥ ପୋଲରେ ପହଞ୍ଚିବ ଚନ୍ଦ୍ରଯାନ ୩। ଜହ୍ନରେ ନା ଲେଖିବାର ସ୍ୱପ୍ନ କେବଳ ସତ ହେବ ତାହା ନୁହେଁ ନିଜ ପରିଶ୍ରମର ଉଚିତ ମୁଲ୍ୟ ପାଇବ ISRO।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା