ରାଜ୍ୟପାଳ ଚାହୁଁଥିଲେ,ରଥରେ‘ଛେରା ପହଁରା’ ନୀତି ବନ୍ଦ ହେଉ

ଭୁବନେଶ୍ୱର:ପୁରୀ ରଥଯାତ୍ରାର ଅନ୍ୟତମ ମୁଖ୍ୟ ଆକର୍ଷଣ ହେଉଛି ଗଜପତି ମହାରାଜାଙ୍କ ‘ଛେରା ପହଁରା’ ସେବା। ସେହି ‘ଛେରା ପହଁରା’ ନୀତିକୁ ଦେଖିବା ଲାଗି ଉଭୟ ସିଂହଦ୍ୱାର ଓ ଗୁଣ୍ଡିଚା ମନ୍ଦିର ଠାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୁଏ।ଐତିହାସିକଙ୍କ ମତରେ ସୂର୍ଯ୍ୟବଂଶୀ ରାଜା କପିଳେନ୍ଦ୍ର ଦେବଙ୍କ ସମୟରେ ଏହି ‘ଛେରା ପହଁରା’ ନୀତି ଆରମ୍ଭ ହୋଇଥିଲା।ଠାକୁରମାନେ ପହଣ୍ଡି ହୋଇ ରଥକୁ ଆସୁଥିବା ବାଟକୁ ଅର୍ଥାତ ବଡ଼ଛତା ମଠ ଠାରୁ ରଥ ପର୍ଯ୍ୟନ୍ତ ରାସ୍ତାକୁ ସୁନା ଝାଡୁରେ ଗଜପତିମାନେ ସଫା କରୁଥିଲେ। ମାତ୍ର ରୁଗଣ୍ ଗଜପତି ମୁକୁନ୍ଦ ଦେବଙ୍କ ସମୟରେ ରଥ ଉପରର ଚତୁଃପାର୍ଶ୍ୱ ‘ଛେରା ପହଁରା’ର ନୂତନ ବିଧି ଆରମ୍ଭ ହେଲା ବୋଲି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡକ୍ଟର ଭାସ୍କର ମିଶ୍ର ତାଙ୍କ ବହି ଶ୍ରୀଗୁଣ୍ଡିଚା ଯାତ୍ରାରେ ଉଲ୍ଲେଖ କରିଛନ୍ତି। କିନ୍ତୁ ସେହି ‘ଛେରା ପହଁରା’ ନୀତିକୁ ବନ୍ଦ କରିବାକୁ ଜିଦ୍ ଧରିଥିଲେ ଓଡ଼ିଶାର ପୂର୍ବତନ ରାଜ୍ୟପାଳ ପଣ୍ଡିତ ଭଗବତ ଦୟାଲ ଶର୍ମା।ନବକଳେବର ବିଭ୍ରାଟ
୧୯୭୭ରେ ଶ୍ରୀଜଗନ୍ନାଥଙ୍କ ହୋଇଥିଲା ନବକଳେବର।ସେହିବର୍ଷ ରଥଯାତ୍ରାରେ ନୀତି ବିଭ୍ରାଟ ଏବଂ ବଳଭଦ୍ରଙ୍କ ରଥର ୬ଟି ଚକା ଭାଙ୍ଗିଥିଲା। ନୀତି କିପରି ଶୃଙ୍ଖଳିତ ହୋଇପାରିବ, ସେଥିଲାଗି ତତ୍କାଳୀନ ଜନତା ପାର୍ଟି ସରକାର ଏକ କମିଶନ ଗଠନ କରିଥିଲେ। ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ବାଳକୃଷ୍ଣ ପାତ୍ରଙ୍କୁ, କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତ କଲେ। ଅପରପକ୍ଷରେ ତତ୍କାଳୀନ ରାଜ୍ୟପାଳ ଭଗବତ ଦୟାଲ ଶର୍ମା ନିଜ ଅଧ୍ୟକ୍ଷତାରେ ୭ଅପ୍ରିଲ ୧୯୭୮ରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କଲେ। ଶ୍ରୀମନ୍ଦିରର ପ୍ରଶାସନିକ ସଂସ୍ଥାର,ପୂଜାନୀତିରେ ଶୃଙ୍ଖଳା ଓ ସଂସ୍କାର ଆଣିବା ପାଇଁ ରାଜ୍ୟପାଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ୮ଜଣ ବିଶିଷ୍ଟ ବ୍ୟକ୍ତି ସହସ୍ୟ ରହିଲେ।ଗଜପତି ମହାରାଜା,୨ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ଯଥା ବିଶ୍ୱନାଥ ଦାଶ ଓ ହରେକୃଷ୍ଣ ମହତାବ, ପୂର୍ବତନ ବାଚସ୍ପତି ନନ୍ଦକିଶୋର ମିଶ୍ର, ପୂର୍ବତନ ରାଜ୍ୟପାଳ ନିତ୍ୟାନନ୍ଦ କାନୁନଗୋ, ଜଷ୍ଟିସ ହରିହର ମହାପାତ୍ର, ସମାଜ ସମ୍ପାଦକ ରାଧାନାଥ ରଥ ଏବଂ ଏମାର ମଠ ମହନ୍ତ ଅଯୋଧ୍ୟା ପ୍ରସାଦ ଦାସ ସଦସ୍ୟ ରହିଲେ। ତେବେ ଥରେ ଦୁଇ ଥର କମିଟି ବସିଲା। କିନ୍ତୁ ରାଜ୍ୟପାଳ କମିଟିର ବୈଠକକୁ ଗୁରୁତ୍ୱ ନଦେଇ ପ୍ରସ୍ତୁତ କରି ଚାଲିଲେ ଅନ୍ତରୀଣ ରିପୋର୍ଟ।ରାଜ୍ୟପାଳଙ୍କ ଜିଦ ରଖିଲେନି ସରକାର
ନିଜ ଦ୍ୱାରା ପ୍ରସ୍ତୁତ ଅନ୍ତରୀଣ ରିପୋର୍ଟକୁ କାର୍ଯ୍ୟକାରୀ କରିବାକୁ ରାଜ୍ୟପାଳ ଭଗବତ ଦୟାଲ ଶର୍ମା, ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ଉପରେ ଚାପ ପକାଇଲେ। ସେବାୟତଙ୍କ ପାରମ୍ପରିକ ସତ୍ତ୍ୱ ଓ ଅଧିକାରକୁ ଉଚ୍ଛେଦ କରି ତିରୁପତି ମନ୍ଦିର ଢ଼ାଞ୍ଚାରେ ସେମାନଙ୍କୁ କର୍ମଚାରୀ ଭାବେ ନିଯୁକ୍ତି କରାଯାଉ। ସେହିଭଳି ରଥରେ ଚାଲି ଆସୁଥିବା ‘ଛେରା ପହଁରା’ ନୀତିକୁ ବନ୍ଦ କରିବାକୁ ରାଜ୍ୟପାଳ ଭଗବତ ଦୟାଲ ଶର୍ମା ସୁପାରିଶ କରିଥିଲେ ବୋଲି ତତ୍କାଳୀନ ଆଇନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ତାଙ୍କ ଆତ୍ମଜୀବନୀ ସଂଗ୍ରାମ ସରିନାହିଁ ବହିରେ ଲେଖିଛନ୍ତି। ସଂସ୍କାର ନାଁରେ ଜଗନ୍ନାଥଙ୍କ ଆଦ୍ୟସେବକ ତଥା ଠାକୁର ରାଜାଙ୍କ ‘ଛେରା ପହଁରା’ ନୀତିକୁ ଉଚ୍ଛେଦ କରିବାକୁ ଓଡ଼ିଶା ସରକାର ରାଜି ହୋଇନଥିଲେ। ଏପରିକି ହରିଆନାର ପ୍ରଥମ ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶାର ତତ୍କାଳୀନ ରାଜ୍ୟପାଳ ଶର୍ମାଙ୍କ ସୁପାରିଶ କାର୍ଯ୍ୟକାରୀ ହେଲେ ଜନ ଆନ୍ଦୋଳନ ହେବ କହିଥିଲେ ରାଜ୍ୟ ସରକାର। ଫଳରେ ରଥରେ ‘ଛେରା ପହଁରା’ ନୀତି ପୂର୍ବ ପରି ଚାଲୁ ରହିଲା।
ଏଥିସହ ପଢ଼ନ୍ତୁ
ମୁଖ୍ୟମନ୍ତ୍ରୀ-ଉପମୁଖ୍ୟମନ୍ତ୍ରୀ କରାଇଲେ; କିନ୍ତୁ କହିପାରିଲେନି ଯେ ‘ସେମାନେ ଆମ ମାଟିର ପୁଅ’
ନିଜ ଲମ୍ବା କ୍ୟାରିଅରରେ ନୋ ବଲ୍ ଫିଙ୍ଗି ନଥିବା ମହାନ କ୍ରିକେଟର
Connect With Us