DAMA-ROUT

ପାରାଦୀପ ବିଧାୟକ ଦାମଦୋର ରାଉତ ଆଜି(ଗୁରୁବାର) ବିଜେପିରେ ମିଶିଛନ୍ତି।ରାଜ୍ୟର ବରିଷ୍ଠ ବିଜେପି ନେତାଙ୍କ ଉପସ୍ଥିତିରେ ଦାମ ରାଉତଙ୍କ ମିଶ୍ରଣ ପର୍ବ ଦିଲ୍ଲୀ ଅଫିସରେ ଅନୁଷ୍ଠିତ ହୋଇଛି।“ବିଜୁ ପଟ୍ଟନାୟକ ତାଙ୍କୁ ରାଜନୀତିକୁ ଆଣିଥିଲେ। କିନ୍ତୁ ତାଙ୍କ ପୁଅ ନବୀନ ପଟ୍ଟନାୟକ ବିଜୁ ବାବୁଙ୍କ ପ୍ରକୃତିର ବିପରୀତ। ସମବାୟ ବିଭାଗର ହୋଇଥିବା 8ଶହ କୋଟି ଟଙ୍କାର ଦୁର୍ନୀତିର ପର୍ଦ୍ଦାଫାସ କରିବାରୁ ମୋତେ ମନ୍ତ୍ରିମଣ୍ଡଳରୁ ନବୀନ ବାହାର କରିଦଲେ।ତେଣୁ ବହୁ ତର୍ଜମା କରିବା ପରେ ମୁଁ ବିଜେପିରେ ମିଶିଲି। ଦୁର୍ନୀତିକୁ ନବୀନ ପଟ୍ଟନାୟକ ପ୍ରଶୟ ଦେଉଛନ୍ତି। ଏପରିକି ଓଡ଼ିଆ କହୁନଥିବା ନବୀନ ପଟ୍ଟନାୟକ ଓଡ଼ିଆଙ୍କୁ ଘୃଣା କରନ୍ତି” ବୋଲି ଦାମ ରାଉତ କହିଛନ୍ତି।

ଅନ୍ୟପଟେ ପଞ୍ଚାୟତ ନିର୍ବାଚନ ଫଳାଳଫକୁ ଦେଖି ବିଜେପିକୁ ତାଚ୍ଛଲ୍ୟ କରିଥିଲେ ଦାମ ରାଉତ। ପଶ୍ଚିମ ଓଡ଼ିଶାରେ ପଦ୍ମ ଫୁଟିପାରେ କିନ୍ତୁ ଜଗତସିଂହପୁରର ଲୁଣି ପାଣିରେ ସମ୍ଭବ ନୁହେଁ ବୋଲି କହିଥିଲେ ଦାମ। କିନ୍ତୁ ୨୫ମାସ ପରେ ଲୁଣି ପାଣିରେ ପଦ୍ମଫୁଲ ଫୁଟାଇବାକୁ ଏବେ ଦାୟିତ୍ୱ ନେଲେ ଦାମ।ତେବେ ଗତ ସେପ୍ଟମ୍ବର୧୨ରେ ବିଜେଡିରୁ ବହିଷ୍କୃତ ହେବା ପରେ ଦାମୋଦର ରାଉତଙ୍କ ଫର୍ଣ୍ଟାଲ ଆଟାକ୍‌ରେ ରହୁଥିଲେ ନବୀନ ପଟ୍ଟନାୟକ।ଏବେ ଜଗତସିଂହପୁର ଜିଲ୍ଲାର ପାରାଦୀପ,ବାଲିକୁଦା-ଏରସମା, ତିର୍ତ୍ତୋଲ ଓ ଜଗତସିଂହପୁର ନିର୍ବାଚନୀ ମଣ୍ଡଳୀର ରାଜନୈତିକ ସମୀକରଣ ବିଗାଡିବାକୁ ଦାମ ବାବୁ ପ୍ଲାନ କରିବେଣି।ନିଜର ଦୃଢ଼ ସଂଗଠନ ବଳରେ କଂଗ୍ରେସର ବାପି ସର୍ଖେଲ ହୁଅନ୍ତୁ ଅବା ବିଜେଡିର ଦେବାଶିଷ ସାମନ୍ତରାୟଙ୍କୁ ପାରାଦୀପରେ ମାତ୍ ଦେବାକୁ ଦାମ ବାବୁ ଯଥେଷ୍ଟ।ସେପଟେ ଶ୍ରମିକ ନେତା ତଥା ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁଗତ ପ୍ରତାପ ମିଶ୍ରଙ୍କ ସହ ଥିବା ପ୍ରାୟ ୧୫ ହଜାର ଭୋଟର ଦାମଙ୍କ ସହ ଯୋଡି ହୋଇପାରନ୍ତି। ସେଥିପାଇଁ ପ୍ରତାପ ମିଶ୍ରଙ୍କୁ ସାଇଲେନ୍ସ କରିବାକୁ ଯାଉଛି ବିଜେପି।ଆଉ ୭୭ବର୍ଷିୟ ଦାମଙ୍କ ଜିତିବା ସୁନିଶ୍ଚିତ କରି ବାହାର ନିର୍ବାଚନ ମଣ୍ଡଳୀରେ ପ୍ରଚାରରେ ଲଗାଇବା ଯୋଜନାରେ ବିଜେପି।

Naveen- Bishnu & Prasant

ପାରମ୍ପରିକ ଲଢ଼େଇ ଜମିବ
ଦାମ ବାବୁଙ୍କ ୧ନମ୍ବର ଶତ୍ରୁ ହେଉଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ପୂର୍ବତନ ଜଗତସିଂହପୁର ବିଧାୟକ ବିଷ୍ଣୁ ଦାସ। ବିଷ୍ଣୁ କିପରି ବିଧାନସଭା ମାଡି ନ ପାରିବେ ସେ ରଣନୀତିରେ ଅଛନ୍ତି ସେଥିଲାଗି ଦାମ ଫିଟ୍ କରୁଛନ୍ତି ନାଉଗାଁ ବ୍ଲକରର ଯୁବନେତା ପ୍ରଦୀପ୍ତ ସ୍ୱାଇଁଙ୍କୁ। ବିଜେଡିର ବିଭୀଷଣ ସାଜିବେ ପ୍ରଦୀପ୍ତ।କାରଣ ନାଉଗାଁ ବ୍ଲକର ପୂର୍ବତନ ଅଧ୍ୟକ୍ଷା ଅନୀତା ସ୍ୱାଇଁଙ୍କ ସ୍ୱାମୀ ପ୍ରଦୀପ୍ତଙ୍କ ଦୃଢ଼ ସଂଗଠନ ରହିଛି। ବୈଜୟନ୍ତ ପଣ୍ଡାଙ୍କ ଘନିଷ୍ଠ ପ୍ରଦୀପ୍ତଙ୍କ ସମର୍ଥନ ବଳରେ କିଛି ନହେଲେ ବି ବିଜେଡିର ୫ହଜାର ଭୋଟ କାଟି ପାରନ୍ତି ଦାମ ଆଣ୍ଡ କୋ। ମାତ୍ର ବିଷ୍ଣୁଙ୍କ ବଦଳରେ ଯଦି ଜିଲ୍ଲା ଯୁବ ବିଜେଡି ସଭାପତି ଅମରେନ୍ଦ୍ର ଦାସଙ୍କୁ ଟିକେଟ୍ ମିଳେ,ତେବେ କଥାଟା ଟିକେ ଭିନ୍ନ ହୋଇପାରେ।

Prasant-Muduli
ପ୍ରଶାନ୍ତ ମୁଦୁଲି

ପ୍ରଶାନ୍ତଙ୍କୁ ପାନେ!
ସେହିଭଳି ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ଅଡୁଆ ବଢ଼ିବ।ଗୁରୁଦ୍ରୋହୀ ଶିଷ୍ୟ ପ୍ରଶାନ୍ତ ମୁଦୁଲିଙ୍କୁ ନିଜ ଜନ୍ମମାଟି ଏରସମାରେ ପୂରାଇ ନଦେବାକୁ ପଣ କରିଛନ୍ତି ଦାମ ରାଉତ।ଗତ ୨ଟି ନିର୍ବାଚନରେ ଏରସମା ବ୍ଲକ ଥିଲା ପ୍ରଶାନ୍ତଙ୍କ ଭୋଟବ୍ୟାଙ୍କ।ଏରସମାରୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ଦାମ ରାଉତ,ଶିଷ୍ୟ ପ୍ରଶାନ୍ତଙ୍କ ପାଇଁ ଭଲ ଭୋଟ କରି ଦେଉଥିଲେ। ୧୯୭୭ରୁ ଏଠାରୁ ୫ଥର ବିଜୟୀ ହୋଇଥିବା ଏରସମା ଗଳିକନ୍ଦିର ରାଜନୈତିକ ପାଣିପାଗ ଦାମଙ୍କୁ ବେଶ ଜଣା। ତେଣୁ ଆସନ୍ତା ନିର୍ବାଚନରେ ପ୍ରଶାନ୍ତଙ୍କ ବାଟ ଓଗାଳିବେ ଦାମ ରାଉତ।
କ୍ୟାରିୟର ଆରମ୍ଭରୁ ଆଶଙ୍କା
ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସ ତିର୍ତ୍ତୋଲରେ ସମାନ୍ତରାଳ ସଂଗଠନ ଚଳାଇଛନ୍ତି। ନିଜର ରାଜନୈତିକ ଉତ୍ତରାଧିକାରୀ ଅର୍ଥାତ ପୁଅ ବିଜୁଶଙ୍କରଙ୍କ ପାଇଁ ବିଧାୟିକା ରାଜଶ୍ରୀ ମଲ୍ଲିକଙ୍କ ରାସ୍ତାରେ କଣ୍ଟା ସାଜୁଛନ୍ତି।ଜିଲ୍ଲାର ଏକମାତ୍ର ସଂରକ୍ଷିତ ଆସନ ତିର୍ତ୍ତୋଲ ପୁଅ ପାଇଁ ଫିଟ୍ ହେବ ବୋଲି ବିଷ୍ଣୁ ଧରି ନେଇଛନ୍ତି। ଆଉ ବିଷ୍ଣୁଙ୍କ ଏକମାତ୍ର ପୁଅର ପଲିଟିକାଲ ଇନିଂସ୍ ଆରମ୍ଭ ପୂର୍ବରୁ ତାଙ୍କୁ ପ୍ୟାଭିଲିଅନର ରାସ୍ତା ଦେଖାଇବାକୁ ଦାମ ବାବୁ ପାଗ ଭିଡୁଛନ୍ତି।ଏପଟେ ଦାମଙ୍କ ତୁଣ୍ଡରେ ତୁଣ୍ଡି ଦେବାକୁ ବିଜେଡିର ସବୁ ଚେଷ୍ଟା ଫସର ଫାଟିଲା ବୋଲି ଚର୍ଚ୍ଚା ହେଉଛି।