ପୁରୀର‘କାଳିଆ’କୁ ତାଳ ଦେବ ଗୋରଖପୁରର PMK

ଚାଷୀଙ୍କୁ କିଏ ନିଜର କରିପାରିବ? ରାଜ୍ୟ ସରକାରଙ୍କ କାଳିଆ ନା କେନ୍ଦ୍ରର ପ୍ରଧାନମନ୍ତ୍ରୀ କିଶାନ ନିଧି ଯୋଜନା। ଓଡ଼ିଶା ସରକାରଙ୍କ ପରେ ଏବେ କେନ୍ଦ୍ର ସରକାରଙ୍କ ପାଳି। ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହେବ ଟଙ୍କା। ଉତ୍ତରପ୍ରଦେଶର ଗୋରଖପୁରରୁ ରବିବାର ଆରମ୍ଭ ହେବାକୁ ଯାଉଛି ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନା।ନିର୍ବାଚନ ପୂର୍ବରୁ ଚାଷୀଙ୍କ ଲାଗି ଏହି ଯୋଜନାର ଶୁଭାରମ୍ଭ କରିବେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଚଳିତ ଆର୍ଥିକ ବର୍ଷର ଡିସେମ୍ବରରୁ ମାର୍ଚ୍ଚ ଯାଏଁ ପ୍ରଥମ କିସ୍ତିରେ ୨ହଜାର ଟଙ୍କା ପାଇବେ ଚାଷୀ। ଦେଶର ପ୍ରାୟ ୧୨କୋଟି ୫୦ଲକ୍ଷ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କ ଆକାଉଣ୍ଟକୁ ଯିବ ଟଙ୍କା।ଏହି ଯୋଜନାରେ ଓଡ଼ିଶାର ୧୨ଲକ୍ଷ ୪୫ହଜାର ୪୯୦ଚାଷୀ ହେବେ ଉପକୃତ। ତେବେ ବିବାଦ ହେଉଛି ଓଡ଼ିଶାର ଚାଷୀଙ୍କ ସଂଖ୍ୟାକୁ ନେଇ। କାରଣ କେନ୍ଦ୍ର ସରକାରଙ୍କ ଯୋଜନାରେ ଭାଗଚାଷୀଙ୍କ ସ୍ଥାନ ନାହିଁ।

ବାଦ ପଡ଼ିଲେ ଭାଗଚାଷୀ
ଅନ୍ୟପଟେ ଗତ ଜାନୁଆରୀ ୨୫ରୁ ପୁରୀରୁ ଆରମ୍ଭ ହୋଇଛି ଓଡ଼ିଶା ସରକାରଙ୍କ ‘କାଳିଆ’ ଯୋଜନା। ଚାଷୀଙ୍କ ଲାଗି ଆରମ୍ଭ କରିଥିବା ‘କାଳିଆ’ ଯୋଜନାରେ ପ୍ରତି ଚାଷୀଙ୍କୁ ପ୍ରଥମ କିସ୍ତିରେ ୫ହଜାର ଟଙ୍କା ପ୍ରଦାନ ହୋଇଛି। ଏପରିକି କାମଚଳା ବଜେଟରେ ସର୍ବାଧିକ ଅର୍ଥ ‘କାଳିଆ’ ଯୋଜନା ଲାଗି ୪ହଜାର ୪୬୧କୋଟି ଟଙ୍କା ମଞ୍ଜୁର କଲେ। ‘କାଳିଆ’ ଯୋଜନାରେ ଭାଗଚାଷୀ ମଧ୍ୟ ଉପକୃତ ହେଉଛନ୍ତି। ସେଥିପାଇଁ ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନା ପାଇଁ ଓଡ଼ିଶା ସରକାର ‘କାଳିଆ’ ଯୋଜନା ଆଧାରରେ ୧୩ଲକ୍ଷ ୨୦ହଜାର ହିତାଧିକାରୀଙ୍କ ତାଲିକା କେନ୍ଦ୍ର ସରକାରଙ୍କୁ ପଠାଇଥିଲେ। ହେଲେ ସେହି ତାଲିକାରେ ୧୨ଲକ୍ଷ ୪୫ହଜାର ୪୯୦ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଗ୍ରହଣ କଲେ କେନ୍ଦ୍ର ସରକାର। ବାକି ୭୪ହଜାର ୫୧୦ ଭାଗଚାଷୀଙ୍କ ଲାଗି ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନାରେ ବ୍ୟବସ୍ଥା ନାହିଁ।

ପିଏମ୍ କିଶାନ ନିଧି ଯୋଜନାର ସର୍ତ୍ତାବଳୀ
୧- ବର୍ଷକୁ ୬ହଜାର ଟଙ୍କା ସିଧାସଳଖ ଚାଷୀର ବ୍ୟାଙ୍କ ଆକାଉଣ୍ଟରେ ଜମା ହେବ
୨- ୩ଟି ପର୍ଯ୍ୟାୟରେ ୬ ହଜାର ଟଙ୍କା ଚାଷୀର ବ୍ୟାଙ୍କ ଆକାଉଣ୍ଟରେ ଜମା ହେବ
୩-ଗତ ବର୍ଷ ଡିସେମ୍ବର ପହିଲାରୁ ପ୍ରଧାନମନ୍ତ୍ରୀ କିଷାନ୍ ସମ୍ମାନ ନିଧି ଯୋଜନା ଲାଗୁ ହୋଇଛି
୪- ୫ଏକରରୁ କମ ଜମି ଥିବା ୧୨କୋଟି ୫୦ ଲକ୍ଷ ଚାଷୀ ହେବେ ଲାଭାନ୍ୱିତ
୫- ଅର୍ଥ ପାଇବାକୁ ଆଧାର ବାଧ୍ୟତାମୂଳକ
ତେବେ ଭାଗ ଚାଷୀଙ୍କ ଲାଗି କେନ୍ଦ୍ରୀୟ ଯୋଜନାରେ ସ୍ଥାନ ନଥିଲେ ମଧ୍ୟ ଏମାନଙ୍କୁ ସାମିଲ କରିବା ପାଇଁ ଓଡ଼ିଶା ସରକାର ଦାବି କରିଛନ୍ତି। ରାଜ୍ୟଗୁଡିକ ସହ ଆଲୋଚନା ନକରି ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନା ହୋଇଥିବାରୁ ଭାଗଚାଷୀ ବଞ୍ଚିତ ହେବେ ବୋଲି କୃଷିମନ୍ତ୍ରୀ ଶଶିଭୂଷଣ ବେହେରା ଅଭିଯୋଗ କରିଛନ୍ତି। ଅନ୍ୟପଟେ ଓଡ଼ିଶା ସରକାରଙ୍କ ଭାଗଚାଷୀ ଚିହ୍ନଟ ପ୍ରକ୍ରିୟାକୁ ପ୍ରଶ୍ନ କରିଛି ବିଜେପି। ଅନ୍ୟପକ୍ଷରେ ରାଜ୍ୟରେ ବହୁ ଦିନରୁ ପଡ଼ିରହିଥିବା ଭାଗଚାଷୀ ଆଇନ କାର୍ଯ୍ୟକାରୀ ହେଉନଥିବାରୁ ବିଜେଡି ସରକାରଙ୍କୁ ଘେରିଛନ୍ତି ବିରୋଧୀ। ଯଦି ପ୍ରଧାନମନ୍ତ୍ରୀ କିଶାନ ଯୋଜନାରୁ ବାଦ୍ ପଡିବେ ଭାଗଚାଷୀ ତେବେ ନିବାର୍ଚନ ପ୍ରଚାରରେ ଶୁଭିବ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ।
Connect With Us