ମନ୍ତ୍ରୀମାନଙ୍କୁ ବିଭିନ୍ନ ଅଞ୍ଚଳକୁ ଯଥେଷ୍ଟ ଗସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।ଗୋପନୀୟତା ବଜାୟ ରଖି ଅଚାନକ ଗସ୍ତ କଲେ ସରକାରୀ କାର୍ଯ୍ୟ ତରାନ୍ୱିତ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ଗସ୍ତ ଯେତେ ଅଧିକ କରିବ ନିଜ ବିଭାଗୀୟ କାର୍ଯ୍ୟର ସଫଳତା ସହଜରେ ଜାଣିହେବ।ଗସ୍ତବେଳେ ଲୋକଙ୍କୁ ଭେଟିବା ସହ ସେମାନଙ୍କର ମତାମତ ନେବ।ଏପରିକି ବିଭିନ୍ନ ସରକାରୀ ଯୋଜନାରେ ସାମିଲ ଥିବା ହିତାଧିକାରୀଙ୍କ ଠାରୁ ସିଧାସଳଖ ମତାମତ ନେବାକୁ ଆଜି(ଜୁଲାଇ୧୧)ସଚିବାଳୟରେ ଅନୁଷ୍ଠିତ ମନ୍ତ୍ରୀ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି।ଏହାସହ ଟ୍ରାନ୍ସପରନ୍ସି, ଟେକ୍ନଲୋଜି,ଟିମଓ୍ୱାର୍କ, ଟ୍ରାନସଫରମେସନ୍ ଏବଂ ଟାଇମ ପରି ୫T ଉପରେ ଗୁରୁତ୍ୱ ଦେଇଛନ୍ତି ନବୀନ ପଟ୍ଟନାୟକ।

ବିଜୁଙ୍କ ମନ୍ତ୍ରିମଣ୍ଡଳରେ ବାବୁଙ୍କ ଭାଉ ନଥିଲା
ଅବଶ୍ୟ ଯାହା ନାଁରେ ବିଜେଡି ଗଢ଼ା ହୋଇଛି,ସେହି ବିଜୁ ପଟ୍ଟନାୟକ ଅଫିସରଙ୍କୁ ନିୟନ୍ତ୍ରଣରେ ରଖୁଥିଲେ।ନିଜର ମନ୍ତ୍ରୀମାନଙ୍କୁ ନିଜ ଢ଼ଙ୍ଗରେ କାମ କରିବାକୁ ସ୍ୱାଧିନତା ଦେଇଥିଲେ।ଅଫିସର ବିରୋଧି ଭାବେ ଜଣାଶୁଣା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ,ଦୁର୍ନୀତିଗସ୍ତ ଅଧିକାରୀଙ୍କୁ ବାଡେଇବା ପାଇଁ ଲୋକଙ୍କୁ କହୁଥିଲେ।ମାତ୍ର ତାଙ୍କ ପୁଅ ନବୀନ ପଟ୍ଟନାୟକଙ୍କ ସରକାରରେ ଅଫିସର ସର୍ବାଗେ ଏକଥା ପ୍ରଧାନମନ୍ତ୍ରୀ ଏବଂ ରାହୁଲ ଗାନ୍ଧି କହୁଛନ୍ତି।ଯେତେବେଳେ ମନ୍ତ୍ରୀମାନଙ୍କ ଠାରୁ ଅଫିସର ଅଧିକ କ୍ଷମତାଶାଳୀ,ସେତେବେଳେ ଅଚାନକ ଗସ୍ତର କିଛି ମହତ୍ୱ ରହିବ କି?

ଅଫିସରରାଜକୁ ବିଜେପି-କଂଗ୍ରେସର ଟାର୍ଗେଟ
ହାତଗଣତି କିଛି ଅଫିସର ଓଡ଼ିଶା ଚଳାଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଗତ ଏପ୍ରିଲ ୨୩ରେ କେନ୍ଦ୍ରପଡ଼ା ନିର୍ବାଚନ ସଭାରେ କହିଥିଲେ।ସେହିଭଳି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ ଅଭିଯୋଗ କରିଥିଲେ ଯେ ୪ରୁ ୫ଜଣ ଅଫିସର ଓଡ଼ିଶା ଚଳାଉଛନ୍ତି।ଅଫିସରରାଜରେ ଗରିବ ଆଦିବାସୀଙ୍କ ସ୍ୱର ବିଧାନସଭାରେ କି ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ମଧ୍ୟ ପହଞ୍ଚୁ ନାହିଁ ବୋଲି ଗତ ମାର୍ଚ୍ଚ୮ରେ ଜୟପୁରର ସଂକଳ୍ପ ସମାବେଶରେ ରାହୁଲ କହିଥିଲେ।ତେଣୁ ଅନଭିଜ୍ଞ ମନ୍ତ୍ରୀମାନଙ୍କୁ ସରକାରୀ ଅଫିସର ମାନିବେ ତ ?

ଅଗଷ୍ଟରେ ସ୍ୱତନ୍ତ୍ର ଅତିରିକ୍ତ ବଜେଟ!
ତେବେ ମନ୍ତ୍ରି ପରିଷଦର ମୁଖ୍ୟ ଉଦ୍ଦେଶ୍ୟ ଥିଲା KALIA ଯୋଜନାରେ ଆପଦକାଳୀନ ପାଣ୍ଠିରୁ ଖର୍ଚ୍ଚ ହୋଇଥିବା  ଅର୍ଥକୁ ମଂଜୁରୀ ଦେବା। ଆସନ୍ତାକାଲି(ଜୁଲାଇ୧୨) ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ।ବିଧାନସଭା ଆରମ୍ଭ ହେବା ଆଗରୁ KALIA ପାଇଁ ଖର୍ଚ୍ଚ ହୋଇଥିବା ୭୩୪କୋଟି ଟଙ୍କାକୁ ଆପଦକାଳୀନ ପାଣ୍ଠିକୁ ଫେରାଇ ନେବାକୁ ମନ୍ତ୍ରୀ ପରିଷଦ ଅନୁମୋଦନ କରିଛି।ସେହିଭଳି KALIA ଯୋଜନାର ହିତାଧିକାରୀଙ୍କ ସଂଖ୍ୟା ୫୦ ଲକ୍ଷରୁ ୭୫ଲକ୍ଷ କରିବାକୁ ସରକାର ଘୋଷଣା କରିଛନ୍ତି।ଅଧିକ ୨୫ଲକ୍ଷ  ହିତାଧିକାରୀଙ୍କ ଲାଗି କେଉଁଠାରୁ ଅର୍ଥ ଆସିବ?ଏଥିଲାଗି ସ୍ୱତନ୍ତ୍ର ଅତିରିକ୍ତ ବଜେଟ୍ ଆସନ୍ତା ଅଗଷ୍ଟ ପ୍ରଥମ ସପ୍ତାହରେ ଉପସ୍ଥାପନ ହେବା ନେଇ ମଧ୍ୟ ଆଲୋଚନା ହୋଇଥିବାର ଶୁଣିବାକୁ ମିଳୁଛି।
କେନ୍ଦ୍ରୀୟ ଟିକସରୁ ଭାଗ କମିଲା
ଅପରପକ୍ଷରେ କେନ୍ଦ୍ରୀୟ ଟିକସରେ ଓଡ଼ିଶାର ଭାଗ କମିବାକୁ ନେଇ ଆଲୋଚନା ହୋଇଥିଲା।କେନ୍ଦ୍ରୀୟ ଟିକସ ଆକାରରେ ୩୯ହଜାର୨୦୬.୫୯କୋଟି ଟଙ୍କା ମିଳିବାର ଆଶା ରଖିଥିଲା ଓଡ଼ିଶା।ସେହି ହିସାବରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ,ଗତ ଜୁନ ୨୮ରେ ୧ଲକ୍ଷ ୩୯ହଜାର କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଥିଲେ।କିନ୍ତୁ କେନ୍ଦ୍ରୀୟ ଟିକସ ପ୍ରାୟ ୧୬ଶହ ୪୦କୋଟି ଟଙ୍କା କମ ମିଳିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପୂର୍ଣ୍ଣାଙ୍ଗ ବଜେଟରୁ ସ୍ପଷ୍ଟ ହୋଇଛି।ତେଣୁ ସେହି ୧୬ଶହ ୪୦କୋଟି ଟଙ୍କା ଖୋଲା ବଜାରରୁ ଋଣ ଆସିବ କି ଖର୍ଚ୍ଚ କାଟ୍ ସେ ନେଇ ଆଲୋଚନା ହୋଇଛି ବୋଲି ଶୁଣିବାକୁ ମିଳୁଛି ।ଯଦି ସରକାର ସେହି ଟଙ୍କା ଖୋଲାବଜାରରୁ ଉଠାଇବେ ତେବେ ଓଡ଼ିଶାର ଋଣଭାର ୧ଲକ୍ଷ ୮ହଜାର କୋଟି ଟଙ୍କା ଛୁଇଁବ।