ଚେକମେଟ୍ ପ୍ଲାନରେ ବିଜେପି, ରାଜ୍ୟପାଳଙ୍କ ଦ୍ୱାରା ବରଗଡ଼ ଇଥନଲ ପ୍ଲାଣ୍ଟର ହେବ ଶିଳାନ୍ୟାସ

ଭୁବନେଶ୍ୱର: ସାଧାରଣତଃ ଜାତୀୟ ସ୍ତରୀୟ ପ୍ରକଳ୍ପର ଶିଳାନ୍ୟାସରେ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇ ଥାଏ। ମାତ୍ର ବରଗଡ଼ରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଶିଳାନ୍ୟାସ ହେବାକୁ ଥିବା ବାୟୋ-ରିଫାଇନାରୀ ପ୍ରୋଜେକ୍ଟରେ ରାଜ୍ୟପାଳଙ୍କୁ ଅତିଥି କରାଯାଇଛି। ତାଳଚେର ସାର କାରଖାନାର ନବୀକରଣର ଶିଳାନ୍ୟାସ ହେଉ କି ଝାରସୁଗୁଡା ବିମାନ ବନ୍ଦର ଲୋକାର୍ପଣ ଉତ୍ସବ,ସବୁଠି ମୁଖ୍ୟମନ୍ତ୍ରୀଙ୍କୁ ଉପସ୍ଥିତି ଦେଖିବାକୁ ମିଳୁଥିଲା। ଏପରିକି ପାରାଦୀପ ତୈଳ ବିଶୋଧନାଗାର ଲୋକାର୍ପଣ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସହ ସିଟ୍ ସେୟାର କରିଥିଲେ ନବୀନ ପଟ୍ଟନାୟକ। ସଂଘୀୟ ବ୍ୟବସ୍ଥାରେ ବିଭିନ୍ନ କେନ୍ଦ୍ରୀୟ ଯୋଜନାରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରେୟ ନେଇଛନ୍ତି।କେନ୍ଦ୍ରୀୟ ସ୍କିମକୁ ରାଜ୍ୟର ଯୋଜନା କହି ନବୀନ ପଟ୍ଟନାୟକ ନାଁ ନେଉଥିବାରୁ ବିବାଦ ଉଗ୍ର ହେଲା। ଏଥିପାଇଁ ପ୍ରଧାନମନ୍ତ୍ରୀ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ। ଟଙ୍କିକିଆ ଚାଉଳରେ କେନ୍ଦ୍ର ସରକାର କିଲୋ ପିଛା ୨୫ରୁ ୩୦ଟଙ୍କା ବହନ କରୁଛନ୍ତି। ଓଡ଼ିଶା ସରକାର ମାତ୍ର ଦୁଇ ଟଙ୍କା ଦେଇ ଟଙ୍କିକିଆ ଚାଉଳ ଯୋଜନାରୁ ଶ୍ରେୟ ନେଉଛନ୍ତି ବୋଲି ଗତ ସେପ୍ଟମ୍ବର ୨୨ରେ ତାଳଚେରରେ ପ୍ରଧାନମନ୍ତ୍ରୀ କହିଥିଲେ। ତେଣୁ କେନ୍ଦ୍ରୀୟ ଯୋଜନାର ଶ୍ରେୟ ଆଉ ନବୀନ ପଟ୍ଟନାୟକଙ୍କୁ ଦେବା ମୁଡରେ ନାହାଁନ୍ତି କେନ୍ଦ୍ର ସରକାର। ବୋଧହୁଏ ସେଥିପାଇଁ ରାଜ୍ୟପାଳ ଗଣେଶୀ ଲାଲଙ୍କ ଦ୍ୱାରା ନଡ଼ାରୁ ପ୍ରସ୍ତୁତ ଦେଶର ପ୍ରଥମ ଜୈବ ଇନ୍ଧନ ପ୍ରକଳ୍ପର ଶିଳାନ୍ୟାସ କରାଇବାକୁ ଠିକ୍ ମଣିଛନ୍ତି କେନ୍ଦ୍ର ସରକାର।ଫୋକସରେ ଚାଷୀ
ବରଗଡ଼ ଜିଲ୍ଲା ଭଟଲି ଥାନା ଅନ୍ତର୍ଗତ ବଉଲସିଙ୍ଘା ଗ୍ରାମରେ ପ୍ରାୟ ୫୮ଏକର ଜମିରେ ପ୍ରତିଷ୍ଠା ହେବାକୁ ଯାଉଛି ଟୁଜି ଇଥନଲ ପ୍ଲାଣ୍ଟ। ଧାନ ନଡ଼ାକୁ ଫିଡ୍ ଷ୍ଟିକ ଭାବେ ବ୍ୟବହାର କରାଯାଇ ବାର୍ଷିକ ୩ହଜାର କୋଟି ଲିଟର ଇଥନେଲ ଇନ୍ଧନ ଉତ୍ପାଦନ ହେବ। ଉତ୍ପାଦିତ ଇଥନଲ ପେଟ୍ରୋଲ ସହ ମିଶ୍ରଣ ହେବ। ଫଳରେ ବିଦେଶରୁ ଆମଦାନୀ ପେଟ୍ରୋଲ-ଡିଜେଲ ଦରକୁ ନିୟନ୍ତ୍ରିତ କରାଯାଇ ପାରିବ। ଏହାସହ ବରଗଡ଼ ଜିଲ୍ଲା ସମେତ ପଡ଼ୋଶୀ ସମ୍ବଲପୁର,ସୁବର୍ଣ୍ଣପୁର ବଲାଙ୍ଗୀର ଜିଲ୍ଲାରୁ ନଡ଼ାକୁ କିଣା ଯାଇ, ଚାଷୀଙ୍କ ଆୟ ବୃଦ୍ଧି କରାଯିବ। ପ୍ଲାଣ୍ଟ ପ୍ରତିଷ୍ଠା ହେବା ଦ୍ୱାରା ୧୨ଶହ କର୍ମ ନିଯୁକ୍ତି ସୃଷ୍ଟି ହେବ।ପ୍ରାୟ ୧୦୦୦କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠା ହେବାକୁ ଥିବା ସେହି ପ୍ଲାଣ୍ଟକୁ, ଅକ୍ଟୋବର୧୦(ବୁଧବାର)ରେ ରାଜ୍ୟପାଳ ଗଣେଷୀ ଲାଲ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ବରଗଡ଼ ସହରର ଜର୍ଜ ହାଇସ୍କୁଲରେ ଅନୁଷ୍ଠିତ ହେବାକୁ ଥିବା ଉତ୍ସବରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହିବେ। ସେହି ଉତ୍ସବରେ ବରଗଡ଼, ଅତାବିରା, ବିଜେପୁର, ଭଟଲି ବିଧାୟକ ଏବଂ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଓ ପ୍ରଭାସ ସିଂଙ୍କୁ ନିମନ୍ତ୍ରଣ କରାଯାଇଛି।
ଧର୍ମେନ୍ଦ୍ରଙ୍କୁ ବିଜେଡିର ବିରୋଧ
ଏମିତି ବି ଦେଖିବାକୁ ଗଲେ ଅତିଥି ବିବାଦ କିଛି ନୂଆ କଥା ନୁହେଁ । ଗତ ବର୍ଷ ଅକ୍ଟୋବର୨୦ରେ ପାଇପ୍ ଯୋଗେ ଭୁବନେଶ୍ୱର ନାଲକୋ ନଗର କଲୋନୀରେ ଘରକୁ ଗ୍ୟାସ ଯୋଗାଣା କାର୍ଯ୍ୟକ୍ରମକୁ ବିଜେଡି ବିଧାୟକ ଅଶୋକ ପଣ୍ଡା, ପିୟଦର୍ଶୀ ମିଶ୍ର ଏବଂ ଭୁବନେଶ୍ନର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ବୟକଟ୍ କରିଥିଲେ । ଠିକ୍ ସେହିପରି ୨୦ଜୁନ ୨୦୧୬ର ସମ୍ବଲପୁରରେ ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାର ଶୁଭାରମ୍ଭ ହୋଇଥିଲା। ହେଲେ ସେହି ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟଅତିଥି ଥିବାରୁ କାର୍ଯ୍ୟକ୍ରମରୁ ଦୂରେଇ ରହିଥିଲେ ସମ୍ବଲପୁର ବିଜେଡି ସାଂସଦ ନଗେନ୍ଦ୍ର ପ୍ରଧାନ।
ଏମିତି ବି ପାରାଦୀପ ରିଫାଇନାରୀର ଟ୍ୟାକ୍ସ ଛାଡକୁ ନେଇ ଓଡ଼ିଶା ସରକାର ଏବଂ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରାଣାଳୟ ବିବାଦ ଦେଖା ଦେଇଥିଲା। ଆଉ ଏବେ ମୋଦି ସରକାର କାଳେ ନାଁ କମାଇ ଦେବେ ସେହି ଅଜଣା ଭୟରେ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହେଲା ନାହିଁ ଓଡ଼ିଶା। ଏପରିକି ଆୟୁଷ୍ମାନ ଭାରତ ଯୋଜନାରେ ସାମିଲି ହେବା ଲାଗି ପ୍ରଧାନମନ୍ତ୍ରୀଙ୍କ ଅନୁରୋଧକୁ ବାଏଁ ବାଏଁ ଉଡାଇ ଦେଲେ ନବୀନ ପଟ୍ଟନାୟକ। ସେପଟେ ବରଗଡ଼ ଶିଳାନ୍ୟାସ ଉତ୍ସବକୁ ନବୀନ ପଟ୍ଟନାୟକଙ୍କୁ ଆମନ୍ତ୍ରଣ ନକରି ୨୦୧୯ ନିର୍ବାଚନର ଆର-ପାର ଲଢେଇର ଆଭାସ ଦେଇଛି ବିଜେପି।
Samir behera
Look please