ବହୁ ଦିନର ବ୍ୟବଧାନ ପରେ କଂଗ୍ରେସ ଦଳ ନୂଆ ସଭାପତି ବାଛିବାକୁ ନିଷ୍ପତ୍ତି ନେଇଛି। ଅକ୍ଟୋବରରେ କଂଗ୍ରେସ ଦଳ ନୂଆ ମୁଖିଆ ଚୟନ କରିବ। ପ୍ରାୟତଃ ଗାନ୍ଧି ପରିବାର କଂଗ୍ରେସ ଦଳର ମୁଖିଆ ଆସନରେ ବସି ଆସୁଥିଲା ବେଳେ ଚଳିତ ଥର କିନ୍ତୁ ଏଥିରେ ବ୍ୟତିକ୍ରମ ଘଟିବ। ଗାନ୍ଧି ପରିବାରର କୌଣସି ସଦସ୍ୟ କଂଗ୍ରେସ ସଭାପତି ରେସରେ ଭାଗ ନେବେ ନାହିଁ ବୋଲି ସ୍ପଷ୍ଟ ହୋଇଛି। ଗୋଟିଏ ପଟେ ବିଭିନ୍ନ ରାଜ୍ୟର କଂଗ୍ରେସ କମିଟି ରାହୁଲ ଗାନ୍ଧିଙ୍କୁ ପୁଣିଥରେ ସଭାପତି କରିବା ପାଇଁ ପ୍ରସ୍ତାବ ଦେଉଥିବାବେଳେ ଗାନ୍ଧି ପରିବାର କିନ୍ତୁ ଏ ରେସରୁ ଓହରି ଯାଇଛି। ଜଣେ ଅଣଗାନ୍ଧିଙ୍କୁ ସଭାପତି କରିବା ପାଇଁ ଲବି ଜୋର ଧରିଛି। ତେବେ ଚଳିତ ନିର୍ବାଚନରେ ସାଂସଦ ଶଶି ଥରୁର ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ମୁହାଁମୁହିଁ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।
କିଏ ହେବେ କଂଗ୍ରେସ କିଙ୍ଗ?
କଂଗ୍ରେସରେ ଚାଲିଥିବା କନ୍ଦଳର ସମାଧାନ ସହିତ ସ୍ଥିତି ସଜାଡିବାକୁ ଅଣ୍ଟା ଭିଡୁଛି କଂଗ୍ରେସ। ଭାରତ ଯୋଡ଼ୋ ଯାତ୍ରା ମାଧ୍ୟମରେ କଂଗ୍ରେସ ସ୍ଥିତିରେ ସୁଧାର ଆଣିବାକୁ ଚେଷ୍ଟା ଜାରି ରଖିଛି। ସଭାପତି ରେସରେ ଶଶିଥରୁର ଓ ଅଶୋକ ଗେହେଲଟ ସାମିଲ ହୋଇଛନ୍ତି। ଜି-୨୩ ନେତା ଭାବେ ଶଶି ଥରୁର ଖୁବ୍ ଜଣାଶୁଣା। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମଧ୍ୟ ଏହି ଦୌଡ଼ରେ ସାମିଲ ହୋଇଛନ୍ତି। ଉଭୟ କଂଗ୍ରେସ ସଭାପତି ପଦ ପାଇଁ ନୋମିନେସନ୍ ଦାଖଲ କରିବେ। କଂଗ୍ରେସ ସଭାପତି ନିର୍ବାଚନ ପାଇଁ ସେପ୍ଟେମ୍ବର ୨୪ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ହେବ। ଅକ୍ଟୋବର ୧୭ ରେ ନିର୍ବାଚନ ତାରିଖ ଧାର୍ଯ୍ୟ ହୋଇଥିଲା ବେଳେ ୧୯ରେ ଫଳାଫଳ ପ୍ରକାଶ ପାଇବ। ସୋନିଆ ଗାନ୍ଧି ସଭାପତି ପଦ ଲାଗି ନିର୍ବାଚନ ଲଢ଼ିବାକୁ ଶଶି ଥରୁରଙ୍କୁ ଗ୍ରୀନ୍ ସିଗ୍ନାଲ ଦେଲାପରେ ଜୋରଦାର ଟକ୍କର ହେବବୋଲି ଚର୍ଚ୍ଚା ହେଉଛି। ଅଶୋକ ଗେହଲଟ ଓ ଶଶି ଥରୁରଙ୍କ ମଧ୍ୟରେ କିଏ କଂଗ୍ରେସର କିଙ୍ଗ ହେବ ତାହା ଦେଖିବା ବାକି।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା