ବାପା କଂଗ୍ରେସ ଟିକେଟରେ ପାଞ୍ଚ ଥର ବିଧାୟକ କିନ୍ତୁ ପୁଅର ପସନ୍ଦ ଅନ୍ୟ ଦଳ। ବାପା କଂଗ୍ରେସର ଷ୍ଟାଣ୍ଡିଂ ଏମେଲେ କିନ୍ତୁ ପୁଅ ଲଢିପାରନ୍ତି ଅନ୍ୟ ଦଳରୁ। ମିଡ଼ିଆ ସେନ୍ସେସନ୍ କୁହାଯାଉଥିବା ସୁର ରାଉତରାୟଙ୍କଠାରୁ ଏବେ ବେଶି ଭାଇରାଲ ହେଉଛି ତାଙ୍କ ପୁଅ ମନ୍ମଥ ରାଉତରାୟଙ୍କ ପଲିଟିକାଲ ଷ୍ଟେଟମେଣ୍ଟ। ମନ୍ମଥଙ୍କ ପାଇଁ ଏଣ୍ଡ ହୋଇଯିବ କି ସୁର ରାଉତରାୟଙ୍କ ପଲିଟିକାଲ କ୍ୟାରୀୟର୍। କଂଗ୍ରେସ ସହ ସରିଯିବ କି ସୁରଙ୍କ ସମ୍ପର୍କ? ଏସବୁକୁ ନେଇ ଏବେ ଚର୍ଚ୍ଚା ଜୋର
1977ରେ ଜନତା ଦଳର ଟିକେଟରେ ବିଧାନସଭାକୁ ଏଣ୍ଟ୍ରି କରିଥିଲେ ସୁର ରାଉତରାୟ। ତା ପରେ 5 ଥର ତାଙ୍କୁ ବିଧାୟକ କରିଛି କଂଗ୍ରେସର ସପୋର୍ଟ। ଗତ ନିର୍ବାଚନରେ ବିଜେଡି ହାୱାକୁ ଫୁ କରି ବିଭୁତି ଭୁଷଣ ବଳବନ୍ତରାୟଙ୍କୁ କଡ଼ା ଟକ୍କର ଦେଇ ବିଧାନସଭାକୁ ଫେରିଥିଲେ ସୁର ରାଉତରାୟ। କାମ କରି ନଥିଲା ବିଜେଡିର ହେଭିୱେଟଙ୍କ ପ୍ରଚାର। 2004ରୁ କଂଗ୍ରେସ ହାତରୁ ଖସି ଯାଇଥିବା ଥିବା ଜଟଣୀ ଉପରେ ପୁଣି ଉଡ଼ିଥିଲା ହାତ ପତାକା। ମାତ୍ର ଏବେକାର ଖବର ଯାହା କହୁଛି ହୁଏତ ଆଗକୁ କଂଗ୍ରେସରୁ ଅଲଗା ହୋଇ ପାରନ୍ତି ସୁରଙ୍କ ପରିବାର।
ମୋ ବଡ଼ ପୁଅ mla ସାନ ପୁଅ mp ହେବ। ବର୍ଷକ ତଳେ ଗୋଟାଏ ସାକ୍ଷାତକାରରେ ଆସି ଏ ମତ ରଖିଥିଲେ କଂଗ୍ରେସ ବିଧାୟକ ସୁର ରାଉତରାୟ। ଏପରିକି ଓଡ଼ିଶା ରାଜନୀତିରେ ବଂଶବାଦ ବ୍ୟାପୁଥିଲା ବେଳେ ତାଙ୍କ ପୁଅମାନେ କାହିଁକି ରାଜନୀତିକୁ ନ ଆସିବେ ସେ ନେଇ ମଧ୍ୟ ସେ ଅନେକ ଥର ଗଣ ମାଧ୍ୟମରେ ପ୍ରକାଶ କରିଛନ୍ତି।ତେବେ ଏବେ ସୁର ରାଉତରାୟଙ୍କ ପରିବାରକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି।ସୁରଙ୍କ ପସନ୍ଦର ଦଳକୁ ମୁହଁ ମୋଡୁଛନ୍ତି ତାଙ୍କ ପୁଅ।
27 ଜୁନ୍ 2023ରେ ପାଇଲଟ ଚାକିରୀ ଛାଡ଼ିଥିଲେ ମନ୍ମଥ ରାଉତରାୟ। ବାପାଙ୍କ ବଦଳରେ ରାଜନୀତି ସମ୍ଭାଳିବେ ବୋଲି ଦେଇଥିଲେ ପରୋକ୍ଷ ଇସାରା । ସୁର ରାଉତରାୟଙ୍କ ଜନ୍ମଦିନରେ ମଧ୍ୟ ପୁଅଙ୍କ ପଲିଟିକାଲ ଏଣ୍ଟ୍ରୀକୁ ନେଇ ତିଆରି ହୋଇଥିଲା ରୋଡ଼ମ୍ୟାପ୍। କିଛି ଦିନ ତଳେ ସୁର ଙ୍କ ବଡପୁଅ ସିଦ୍ଧାର୍ଥ ରାଉତରାୟ ମଧ୍ୟ ଏମପି ପାଇଁ ଆଶାୟୀ ଥିବା ରଖିଥିଲେ ମତ। ତେବେ ଦଳକୁ ନେଇ ସେ କଂଗ୍ରେସକୁ ହିଁ ପସନ୍ଦ କରନ୍ତି ବୋଲି ସ୍ପଷ୍ଟୋକ୍ତି ପ୍ରକାଶ କରିଥିଲେ।
ମାତ୍ର ମନ୍ମଥଙ୍କ କଥା ଅଲଗା। ରାଜନୈତିକ ଭବିଷ୍ୟତ ଦୃଷ୍ଟିରୁ ତାଙ୍କ ସମର୍ଥକ ମାନେ କଂଗ୍ରେସକୁ ନାପସନ୍ଦ କରୁଥିବା ପ୍ରକାଶ କରିଛନ୍ତି ମନ୍ମଥ। ତାଙ୍କ କହିବା ଅନୁସାରେ ଜଟଣୀ ଭୋଟରଙ୍କ ମୁଡ ଏବେ କଂଗ୍ରେସ ବିପକ୍ଷରେ ଅଛି। ତେବେ ଯଦି ସେ କଂଗ୍ରେସରୁ ନ ଲଢନ୍ତି ହୁଏତ ବିଜେଡି କି ବିଜେପିକୁ ବାଛି ପାରନ୍ତି ବୋଲି ଚର୍ଚ୍ଚା। ତେବେ ଏ ସମ୍ପର୍କରେ ସିଧାସଳଖ ଉତ୍ତର ନ ଦେଇ ଲଙ୍ଗ ଟର୍ମ ସର୍ଟଟର୍ମ ଫ୍ୟୁଚର ପଲିଟିକ୍ସ ଉପାଖ୍ୟାନ ପଢାଇଛନ୍ତି ମନ୍ମଥ। ସେ ଯାହା ବି ହେଉନା କାହିଁକି ଯଦି ମନ୍ମଥ ରାଜନୀତିକୁ ଆସନ୍ତି ତେବେ ସେ କଂଗ୍ରେସ ବିରୁଦ୍ଧରେ ହିଁ ଲଢିବେ। ଯଦି ଏପରି ହୁଏ ହୁଏତ ତାଙ୍କ ପ୍ରତୀଦ୍ୱନ୍ଦୀ ହୋଇ ଛିଡ଼ା ହୋଇ ପାରିବେନି କଂଗ୍ରେସର ବ୍ରାଣ୍ଡ ଆମ୍ବାସଡର କୁହାଯାଉଥିବା ସୁର ରାଉତରାୟ।ପୁଅ ଅନ୍ୟ ଦଳରୁ ପ୍ରାର୍ଥି ହେଲେ ସୁରଙ୍କ ସହ ସରିଯାଇପାରେ କଂଗ୍ରେସର ସମ୍ପର୍କ। ସୁରଙ୍କ ରାଜନୀତିରେ ପଡିପାରେ ପୁର୍ଣଛେଦ।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା