ତାଳପତ୍ର ଭୋଗେଇରେ ମହାପ୍ରସାଦ, ପଠେଇଛି ମୋ ପାଇଁ ମୋ କଳା ସାଆନ୍ତ। ତାଳପତ୍ର ଭୋଗେଇ ଓ ଭୋଗର ଅଦ୍ଭୁତ ସଂଯୋଗକୁ ନେଇ ଲେଖା ଯାଇଥିବା ଏ ଗୀତ ଖୁବ୍ ଲୋକପ୍ରିୟ। ତାଳପତ୍ର ଭୋଗେଇରେ ହିଁ ଶ୍ରୀମନ୍ଦିର ଭୋଗ ଅଧିକ ସୁନ୍ଦର ଲାଗେ। ତାଳପତ୍ର ଶ୍ରୀମନ୍ଦିର ପରମ୍ପରା ସହ ସମ୍ପର୍କ ଖୁବ୍ ନିବିଡ଼। ଚାଉଳ ଧୁଆହେବାଠୁ ଆରମ୍ଭ କରି ପରିବା ରଖିବା ପର୍ଯ୍ୟନ୍ତ ଶ୍ରୀମନ୍ଦିରର ଅନେକ କାର୍ଯ୍ୟରେ ତାଳପତ୍ର ଭୋଗେଇର ବ୍ୟବହାର ଦେଖିବାକୁ ମିଳେ। ଏବେ କିନ୍ତୁ ଭୋଗେଇକୁ ନେଇ ନୂଆ ସଙ୍କଟ ସୃଷ୍ଟି ହୋଇଛି। ତାଳପତ୍ର ଭୋଗେଇ ବ୍ୟବସାୟୀଙ୍କ ବେପାର ମାନ୍ଦା ହେବାରୁ ଶ୍ରୀମନ୍ଦିରରେ ଭୋଗେଇ ସମସ୍ୟା ସୃଷ୍ଟି ହୋଇପାରେ ବୋଲି ଅନୁମାନ।

ମାଟିରେ ମିଶିଲା ତାଳବଣ:ଭୋଗେଇ କାରୀଗର ନିରାଶ
ତାଳବଣିଆ ହେଉଛି ତାଳପତ୍ରରର ଖଣି। ଏଇଠୁ ହିଁ ପ୍ରଚୁର ପରିମାଣର ତାଳପତ୍ର ସଂଗ୍ରହ କରି ଭୋଗେଇ କାରୀଗର ଭୋଗେଇ ତିଆରି କରୁଥିଲେ। ମାତ୍ର ବିକାଶ ନାଁରେ ତାଳବଣିଆରୁ ତାଳଗଛ ଶୁନ୍ୟ କଲା ପରେ ଏବେ କାରୀଗରଙ୍କ ଭରସା ବ୍ରହ୍ମଗିରିର ତାଳପତ୍ର। ସେଠି ମଧ୍ୟ ତାଳପତ୍ର ଚଢା ଦରରେ ବିକ୍ରି ହେବା ସହ ନେବା ଆଣିବାରେ ଖର୍ଚ୍ଚାନ୍ତ ହେବାକୁ ପଡୁଛି। ବିଡା ପିଛା ୮ ଟଙ୍କା ଦବାକୁ ପଡୁଛି। ମଜୁରି ମିଳୁ ନଥିବାରୁ ମୁହଁ ଫେରାଉଛନ୍ତି ଭୋଗେଇ କାରୀଗର।

ବୃତ୍ତି ହରାଉଛନ୍ତି ତାଳପତ୍ର କାରୀଗର
ତାଳପତ୍ରର ସମସ୍ୟା ଯୋଗୁଁ କେବଳ ଶ୍ରୀମନ୍ଦିର ନୁହେଁ ତାଳପତ୍ର କାରୀଗର ମଧ୍ୟ ଅସୁବିଧାରେ। ପୁରୀର ଚମାର ସାହି,ଗବକୁଣ୍ଡ,ପିପିଲିର ନହଙ୍ଗା, ଡ଼େଲାଙ୍ଗର ପାଟପୁର,ନରସିଂହପୁର ,ବଳଙ୍ଗାର ରୁପଦେଇପୁର ଆଦି ସ୍ଥାନରେ ୫୦୦ରୁ ଅଧିକ ତାଳପତ୍ର କାରୀଗର ରୁହନ୍ତି। ଏ ସମସ୍ୟା ଯୋଗୁଁ ସମସ୍ତେ ଆର୍ଥିକ ସଂକଟରେ। କୁଟୀର ଶିଳ୍ପକୁ ପ୍ରୋତ୍ସହନ କଥା କହୁଥିଲେ ବି ଏ କ୍ଷେତ୍ରରେ କୌଣଷି ସଫଳତା ମିଳିନି। ତେଣୁ ସରକାର ଏ ଦିଗରେ ଦୃଷ୍ଟି ଦେଇ ସେମାନଙ୍କୁ ପ୍ରୋତ୍ସାହନ କରିବାର ଆବଶ୍ୟକତା ରହିଛି। ତାଳଗଛର ପୁନଃରୋପଣ କରି ଭୋଗେଇ କାରୀଗରଙ୍କୁ ଉପଯୁକ୍ତ ପ୍ରୋତ୍ସାହନ ଦିଆ ନ ଗଲେ ଆଗାମୀ ଦିନରେ ଶ୍ରୀ ମନ୍ଦିରରେ ଭୋଗେଇ ଉଭାନ୍ ହେବାର ସମ୍ଭାବନାକୁ ଏଡ଼ାଇ ଦିଆ ଯାଇ ନ ପାରେ।
ଏ ଷ୍ଟୋରୀ ଲେଖିଛନ୍ତି:ରଶ୍ମିତା ବେହେରା