ବିପିନ ରାୱତଙ୍କ ମୃତ୍ୟୁ ପରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ(CDS)ର ପଦ ପାଇଁ ସେନା ମୁଖ୍ୟ ମନୋଜ ମୁକୁନ୍ଦ ନରବଣେଙ୍କ  ନାଁ ସୁପାରିଶ ହୋଇଥିବା ଚର୍ଚ୍ଚା ହେଉଛି।ସେ CDS ଭାବେ ନିଯୁକ୍ତ ହେଲେ ଓଡିଆ ପୁଅ ଚଣ୍ଡିପ୍ରସାଦ ମହାନ୍ତି ନୁଆ ସେନାଧ୍ୟକ୍ଷ ଭାବେ ନିଯୁକ୍ତ ହେବାର ସମ୍ଭାବନା ରହିଛି। ଚଣ୍ଡୀପ୍ରସାଦ ମହାନ୍ତିଙ୍କ ଜନ୍ମ  ଜଗତସିଂହପୁର ଜିଲ୍ଲାରେ। ସେ ସେନା ବିଭାଗରେ ନିଯୁକ୍ତ ହୋଇ ନିଜ ପରାକ୍ରମର ପରିଚୟ ଦେଇଛନ୍ତି।ଚଳିତ ବର୍ଷ ଫେବୃୟାରୀ ୧’ରେ ସେ ସେନା ଉପମୁଖ୍ୟର ଦାୟିତ୍ୱ ଗ୍ରହଣ କରିଥିଲେ। ସେନାରେ ଏହି ପଦ ହାସଲ କରିବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ ପୁଅ। ଏବେ ସେନାଧ୍ୟକ୍ଷ ଭାବେ ସେ  ନିଯୁକ୍ତ ହେବାର ସମ୍ଭାବନା, ସମସ୍ତ ଓଡ଼ିଶାବାସୀଙ୍କୁ ଉତ୍ସାହିତ କରିଛି।

ଚଣ୍ଡି ପ୍ରସାଦ ମହାନ୍ତି

ରାଜପୁତ ରେଜିମେଣ୍ଟରୁ ରିୟଲ୍ ହିରୋ
୧୯୮୨ରେ ରାଜପୁତ ରେଜିମେଣ୍ଟର ଇନଫାଣ୍ଟ୍ରି ଅଫିସର ଭାବରେ ଚଣ୍ଡିପ୍ରସାଦ ସେନା ଜଗତରେ ପାଦ ଥାପିଥିଲେ।ଚାରି ଦଶନ୍ଧି ଧରି ସେନାର ବିଭିନ୍ନ ବିଭାଗରେ ଗୁରୁତ୍ତ୍ୱପୁର୍ଣ୍ଣ ଦାୟିତ୍ୱ ନିର୍ବାହ କରି ଚର୍ଚ୍ଚାରେ ରହି ଆସିଛନ୍ତି। ପାକିସ୍ତାନ ଚୀନ୍ ସୀମା ସହ କାଉଣ୍ଟର ଏମରଜେନ୍ସି, ଫ୍ରଣ୍ଟଲାଇନ୍ ଅପରେସନରେ ଗୁରୁ ଦାୟିତ୍ୱ ନିର୍ବାହ ସହ ଆସାମର ଅଲ୍ କ୍ଲିୟର୍ ଅପରେସନ,ଜମ୍ମୁ କାଶ୍ମୀରର LOC ରେ ସେ ବାଟଲିୟନ୍ କମାଣ୍ଡର ଥିଲେ। ଚୀନ୍ ସୀମାLAC ଓ କଙ୍ଗୋରେ ମଲ୍ଟି ନ୍ୟାସନାଲ୍ UN ବ୍ରିଗେଡର କମାଣ୍ଡର ଦାୟିତ୍ୱ ନେଇ ସେ ଚର୍ଚ୍ଚାକୁ ଆସିଥିଲେ।ତାଙ୍କର ପାରଦର୍ଶିତା ପାଇଁ  ସେନାର ଉପମୁଖ୍ୟ ଭାବେ ସେ ନିଯୁକ୍ତି ପାଇଥିଲେ।ଅସୀମ ବୀରତ୍ତ୍ୱ ପାଇଁ ତାଙ୍କୁ ଅତି ବିଶିଷ୍ଟ ସେନା ମଡେଲ୍ ସମେତ ଅନେକ ସମ୍ମାନ ମିଳିଛି।

ମହାନାୟକ
ଓଡ଼ିଆ ପୁଅ ଚଣ୍ଡି ପ୍ରସାଦ ମହାନ୍ତିଙ୍କ ନାମ ବରିଷ୍ଠତା ଦୃଷ୍ଟିରୁ ସେନା ମୁଖ୍ୟ ପଦ ପାଇଁ ଚୟନ ହେବାର ସମ୍ଭାବନା ରହିଛି। ଏହି ପଦ ପାଇଁ ନର୍ଦନ କମାଣ୍ଡର ଲେଫ୍ଟେନାଣ୍ଟ ଜେନେରାଲ୍ ୱାଇକା ଜୋଶୀଙ୍କ ନାମ ଚର୍ଚାରେ ରହିଥିଲେ ମଧ୍ୟ ସୈନ୍ୟ ପରିଚାଳନା ଅଭିଜ୍ଞତା ଦୃଷ୍ଟିରୁ ଚଣ୍ଡି ପ୍ରସାଦଙ୍କୁ ସେନା ମୁଖ୍ୟ ଭାବେ ନିଯୁକ୍ତ କରିବାକୁ ପ୍ରତିରକ୍ଷା ବିଶେଷଜ୍ଞ ମତପ୍ରକାଶ କରିଛନ୍ତି। ଅପରେସନ୍ ଲଜିଷ୍ଟିକ୍ ଆଣ୍ଡ ଷ୍ଟ୍ରାଟେଜି ମୁଭମେଣ୍ଟର ମହାନିର୍ଦ୍ଦେଶକ ଚଣ୍ଡି ପ୍ରସାଦ ସେନାଧ୍ୟକ୍ଷ ହୋଇ ମହାନାୟକ ସାଜିବାର ସମ୍ଭାବନା ସମ୍ବାଦ ସମସ୍ତଙ୍କୁ ଉତ୍ସାହିତ କରିଛି।