ଜୁଏଲଙ୍କ ସ୍ପିଡ୍ରେ ବ୍ରେକ ଲଗାଇ ପାରିବେ ଜର୍ଜ ତିର୍କୀ ?

ରାଉରକେଲା: ନିର୍ବାଚନ ପାଇଁ ମିନି ଭାରତ ରାଉରକେଲା ରାଜନୀତି ପୁରା ସରଗରମ। ସେଥିପାଇଁ ଏଠାକାର ରାଜନୀତି ଦିଲ୍ଲୀରୁ କଣ୍ଟ୍ରୋଲ ହେଲାଣି। ଆଜି(ସେପ୍ଟମ୍ବର୧୯) ସମତାକ୍ରାନ୍ତି ଦଳର ବିଧାୟକ ଜର୍ଜ ତିର୍କୀ କଂଗ୍ରେସରେ ଯୋଗ ଦେଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ ଜର୍ଜ ତିର୍କୀ ହାତ ଦଳରେ ସାମିଲି ହୋଇଛନ୍ତି । ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂ ଏବଂ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ମଧ୍ୟସ୍ଥତାରେ ସାମିଲ ହୋଇଥିବା ଜର୍ଜ ତିର୍କୀଙ୍କ ଠାରୁ କଂଗ୍ରସର ଅନେକ ଆଶା। ଏହାସସହ ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ, ଉପଦେଷ୍ଟା ଲଳିତ ମୋହନ ପଟ୍ଟନାୟକ, ମାନବାଧିକାର କର୍ମୀ ମନୋଜ ଜେନା, ବିଜୟ ପ୍ରଧାନ ଓ ନିରଦ କରଣ ଖୁଣ୍ଟିଆ କଂଗ୍ରେସରେ ଯୋଗ ଦେଇଛନ୍ତି । ତେବେ ଜର୍ଜ ତିର୍କୀଙ୍କୁ ଲୋକସଭା ନିର୍ବାଚନରେ ଲଢ଼ାଇବା ଲାଗି ନିରଞ୍ଜନ ଚାହୁଁଛନ୍ତି, କିନ୍ତୁ ଜର୍ଜ ଓଡ଼ିଶା ରାଜନୀତିରେ ରହିବାକୁ ଇଚ୍ଛୁକ ବୋଲି ଖବର ରହିଛି।
Met Congress President Shri @RahulGandhi with AICC Incharge-Odisha Shri @BhanwarJitendr1 and Biramitrapur MLA Shri George Tirkey.
Shri Tirkey joined the Congress today which will strengthen the party. I welcome him to the Congress family. pic.twitter.com/Q8h8YmtmWD
— Niranjan Patnaik (@NPatnaikOdisha) September 19, 2018
ଆଉ କେଉଁ ଦଳ ବାକି ରହିଲା
ବୀରମିତ୍ରପୁରର ଚାରି ଚାରି ଥରର ବିଧାୟକ ଜର୍ଜ ତିର୍କୀ, ରାଜନୈତିକ ହିସାବ କିତାବ କରିବାରେ ମାହିର। ନିଜର ୧୫ବର୍ଷର ଷ୍ଟେଟ୍ ବ୍ୟାଙ୍କ ଚାକିରିରୁ, ଜର୍ଜ ବୋଧହୁଏ ଲାଭକ୍ଷତିର ଗଣିତ ଏତିକି ଶିଖିଛନ୍ତି ଯେ କେଉଁ ଦଳରେ କେତେବେଳେ ମିଶିଲେ ବିଧାୟକ ହୋଇପାରିବେ । ସେଥିପାଇଁ ପ୍ରଥମେ ଝାଡଖଣ୍ଡ ମୁକ୍ତିମୋର୍ଚ୍ଚାରେ ମିଶି ୧୯୯୫ ଏବଂ ୨୦୦୦ରେ ବିଧାୟକ ହେଲେ । ପାଣିପାଗ ଦେଖି ନବୀନ ପଟ୍ଟନାୟକଙ୍କ ସମର୍ଥନ ନେଇ ୨୦୦୯ରେ ନିର୍ଦ୍ଦଳୀୟ ବିଧାୟକ ଭାବେ ବୀରମିତ୍ରପୁରକୁ ପ୍ରତିନିଧିତ୍ୱ କଲେ । ଭବିଷ୍ୟ ନିଧି ପାଣ୍ଠି(EPF) କମିଶନରେ ଚାକିରି ଆରମ୍ଭ କରିଥିବା ତିର୍କୀ,୨୦୧୪ ନିର୍ବାଚନ ବେଳକୁ ନିଜର ଉଜ୍ୱଳ ରାଜନୈତିକ ଭବିଷ୍ୟତ ସମତାକ୍ରାନ୍ତି ଦଳରେ ଦେଖି ପାରିଥିଲେ। ସମତା କ୍ରାନ୍ତି ଦଳର ପ୍ରାର୍ଥୀ ଭାବେ ୨୦୧୪ରେ ନିର୍ବାଚିତ ହେଲେ ଜର୍ଜ ତିର୍କୀ। ତେବେ ଗତ ପଞ୍ଚାୟତ ନିର୍ବାଚନର ଫଳାଫଳ ଜର୍ଜ ତିର୍କୀଙ୍କୁ କଂଗ୍ରେସରେ ମିଶିବାକୁ ବାଧ୍ୟ କରିଦେଲା। ନିଜ ନିର୍ବାଚନ ମଣ୍ଡଳୀର ବିଶ୍ରା, କୁଆଁରମୁଣ୍ଡା ଏବଂ ନୂଆଗାଁ ବ୍ଲକର ୬ଟି ଜିଲ୍ଲା ପରିଷଦରୁ ବିଜେପି ଖାତାକୁ ୩ଟି, ବିଜେଡି ୨ଟିରେ ଏବଂ ଗୋଟିଏ ଜିଲ୍ଲା ପରିଷଦ ଆସନରେ ସ୍ୱାଧିନ ପ୍ରାର୍ଥୀ ଜିଣିଲେ। ନିଜର ସ୍ଥିତି ଖରାପ ଦେଖି, ସଂଗଠନ ସୁଦୃଢ଼ରେ ମାତିଥିବା ନିରଞ୍ଜନ ପଟ୍ଟନାୟକଙ୍କ ମାର୍ଫତରେ କଂଗ୍ରେସରେ ମିଶିଛନ୍ତି ଜର୍ଜ ତିର୍କୀ।
ବିଜେପି ବିରୋଧି ଭୋଟ ଭାଗ ହେବ
ଜର୍ଜ ତିର୍କୀ କଂଗ୍ରେସରେ ମିଶିବା ପରେ ସୁନ୍ଦରଗଡ଼ ରାଜନୀତି ନିଶ୍ଚିତ ପ୍ରଭାବିତ ହେବ। ଏଇଟା ନିଶ୍ଚିତ ଯେ ପ୍ରସାଦ ହରିଚନ୍ଦନଙ୍କ ସଭାପତିତ୍ୱ କାଳରେ, ବିଜେଡି ସହ ଯୋଗାଯୋଗରେ ରହୁଥିବା ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂ, ଆଉ ଦଳ ଛାଡି ନପାରନ୍ତି ।ଏହାସହ ତଲସରା, ରାଜଗାଙ୍ଗପୁର, ସୁନ୍ଦରଗଡ ପରେ ଏବେ ବୀରମିତ୍ରପୁରରେ କଂଗ୍ରେସ ସ୍ଥିତି ମଜଭୁତ ହେବ। ହେଲେ ୨୦୧୯ ନିର୍ବାଚନରେ ସୁନ୍ଦରଗଡ଼ ଲୋକସଭା ଆସନକୁ କଂଗ୍ରେସ କବଜା କଲା ପରି ଲାଗୁନାହିଁ । କାରଣ ଜର୍ଜ ତିର୍କୀ କଂଗ୍ରେସରେ ମିଶିବା ପରେ ଖ୍ରୀଷ୍ଟିଆନ ବହୁଳ ସୁନ୍ଦରଗଡ ଜିଲ୍ଲାରେ ଅଣହିନ୍ଦୁ ଭୋଟ ବିଭାଜନ ହେବ। ଏହାସହ ୨୦୧୪ ଲୋକସଭା ନିର୍ବାଚନରେ ବିଜେପି ବିରୋଧି ଭୋଟର ବଡ ଭାଗ ବିଜେଡି ପ୍ରାର୍ଥୀ ଦିଲୀପ ତିର୍କୀଙ୍କ ଖାତାକୁ ଯାଇଥିଲା । ହେଲେ ଏବେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କ ବିରୋଧି ଭୋଟ ବିଜେଡି ଓ କଂଗ୍ରେସ ମଧ୍ୟରେ ଭାଗ ହେବ। ଯାହାକି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ ସୁହାଇବ।
ସାଇଲେଣ୍ଟ ଦିଲ୍ଲୀପ
ଅନ୍ୟପଟେ ଜର୍ଜ ତିର୍କୀଙ୍କ କଂଗ୍ରେସରେ ମିଶିବାକୁ ନେଇ ବିଜେପି ବିଧାୟକ ଦିଲ୍ଲୀପ ରାୟ ଯେ ଉତ୍ସାହୀ ଥିଲା ପରି ଲାଗୁ ନାହିଁ । ନିଜ ଦଳରେ କୋଣଠେସା ବିଜିନେସମ୍ୟାନ୍ ଦିଲ୍ଲୀପ ଜାଣନ୍ତି ଯେ କେନ୍ଦ୍ରରେ ଯଦି ପୁଣି ମୋଦି ସରକାର ଆସୁଛି, ତାଙ୍କ ଲାଗି ବିଜେପିରେ ରହିବା ଲାଭଦାୟକ ହେବ। ତେଣୁ ଯେଉଁ ରାଉରକେଲା ଗତ ଥର ୨୧ହଜାର ୮୫୯ ଭୋଟ୍ ଜୁଏଲଙ୍କୁ ଲିଡ୍ ଦେଇଥିଲା, ଏଥର ଦିଲ୍ଲୀପଙ୍କ ନୀରବତାରେ ମଧ୍ୟ ସେହି ବ୍ୟବଧାନ ବଜାୟ ରହିବ ବୋଲି ବିଜେପିର ହିସାବ କହୁଛି। ସେପଟେ ସମାନ ସମୀକରଣ ରଖୁଥିବା ବଣାଇ ଏବଂ ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀରେ ଜୁଏଲ ଓରାମଙ୍କ ଦବଦବା ଥିବା ଯୋଗୁ, ବିଜେପି ବିରୋଧି ପ୍ରାର୍ଥୀଙ୍କୁ ଦିଲ୍ଲୀପ ଫାଇନାସ୍ ନକରି ପାରନ୍ତି ।
ଗଡ଼ ଜଗିବେ ଜୁଏଲ
୧୯୯୦ରେ ବଣାଇରୁ ବିଧାୟକ ଭାବେ କ୍ୟାରିଅର ଆରମ୍ଭ କରିଥିବା ଜୁଏଲ ଏଠାରୁ ନିଜେ ୨ଥର ଜିତିବା ସହ ନିଜ ସମର୍ଥକଙ୍କୁ ଦୁଇ ଥର ଜିତାଇଛନ୍ତି । ସେହିପରି ଭିନ୍ନ ରାଜନୈତିକ ସମୀକରଣ ରଖୁଥିବା ସୁନ୍ଦରଗଡ, ତଲସରା ଏବଂ ରାଜଗାଙ୍ଗପୁର ଜୁଏଲଙ୍କୁ ଚିନ୍ତିତ କରୁ ନଥିବ। କାରଣ କଂଗ୍ରେସର ଏହି ଗଡ଼ରେ ବିଜେଡି ସ୍ଥିତି ମଧ୍ୟ ସୁଦୃଢ଼ ହୋଇଛି । ଗ୍ରାମାଞ୍ଚଳ ହକି ଆୟୋଜନ କରି ପୂର୍ବତନ ରାଜ୍ୟସଭା ସାଂସଦ ଦିଲ୍ଲୀପ ତିର୍କୀ ବିଜେଡିର ଚେର ମଜଭୁତ କରିଛନ୍ତି । ତେଣୁ ଏହି ୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଓ ବିଜେଡି ମଧ୍ୟରେ କଡା ଟକ୍କର ହେବ । ସେପଟେ ବିଜେପିର ପାରମ୍ପରିକ ଭୋଟ୍ ନେଇ ଜୁଏଲ ଓରାମ ହୁଏତ ଗତ ଥର ପରି ୧୮ହଜାର ୮୨୯ ଭୋଟ ବ୍ୟବଧାନରେ ବିଜୟୀ ହୋଇପାରନ୍ତି । ତେବେ ଜର୍ଜ ତିର୍କୀଙ୍କ ବୀରମିତ୍ରପୁର ଲାଗି ଜୁଏଲ ନିଶ୍ଚିତ ବ୍ୟସ୍ତ ହେଉଥିବେ। କାରଣ ୨୦୧୪ ନିର୍ବାଚନରେ ରାଉରକେଲା ପରେ ବୀରମିତ୍ରପୁରରୁ ଜୁଏଲ ସର୍ବାଧିକ ୫୬ହଜାର ୭୯୫ ଖଣ୍ଡ ଭୋଟ ପାଇଥିଲେ। ହେଲେ ୨୦୧୯ରେ ଜୁଏଲ ଓରାମ ୫ମ ଥର ଲୋକସଭା ସାଂସଦ ଭାବରେ ନିର୍ବାଚିତ ହେବାରେ, ଜର୍ଜ ତିର୍କୀ ପ୍ରତିବନ୍ଧକ ହେଲା ପରି ମନେ ହେଉନାହିଁ।
Connect With Us