ଟେବୁଲ୍ ଟେନିସ ପ୍ଲେୟାର କର୍ଣ୍ଣବୀର, ବିଜୟ ହଜାରେ ଟ୍ରଫିରେ ଦ୍ୱିଶତକ ମାରିବାରେ ପ୍ରଥମ ଭାରତୀୟ କ୍ରିକେଟର

ଭୁବନେଶ୍ୱର : କର୍ଣ୍ଣବୀର କୌଶଲ,ଦେବଭୂମୀ ଉତ୍ତରାଖଣ୍ଡରେ ଘର। ପେଶା ଓ ନିଶା କ୍ରିକେଟ ଖେଳ। ଅନେକଙ୍କ ପାଇଁ ଥିଲେ ଅପରିଚିତ ନାଁଟିଏ। ଏବେ କିନ୍ତୁ ରେକର୍ଡ ବୁକରେ ନିଜ ନାଁ ଲେଖାଇଛନ୍ତି। ସେ ଯାହା କରି ଦେଖାଇଛନ୍ତି କ୍ରିକେଟର ବଡ଼ ବଡ଼ ହସ୍ତୀ ବି କରି ପାରିନାହାନ୍ତି। ସବୁଠି କର୍ଣ୍ଣବୀରଙ୍କ କରିସ୍ମାର ଏବେ ଚର୍ଚ୍ଚା। କେହି କେହି କହିଲେଣି କର୍ଣ୍ଣବୀର ଭାରତୀୟ କ୍ରିକେଟର ନୂଆ ସମ୍ଭାବନା। ଚଳିତ ବିଜୟ ହଜାରେ ଟ୍ରଫିରେ ବିସ୍ପୋରକ ଦ୍ୱିଶତକ ମାରି ଚର୍ଚ୍ଚାକୁ ଆସିଛନ୍ତି କର୍ଣ୍ଣବୀର। ଅନ୍ତର୍ଜାତୀୟ କ୍ରିକେଟରେ ଡବଲ୍ ସେଞ୍ଚୁରୀ ମାରିଥିବା ରୋହିତ ଶର୍ମା,ସଚିନ ତେନ୍ଦୁଲକର ଓ ବୀରେନ୍ଦ୍ର ସେହୱାଗ ଯାହା କରି ପାରିନଥିଲେ ସେ କାମ କରି ଦେଖାଇଛନ୍ତି ଉତ୍ତରାଖଣ୍ଡର ଏହି ଯୁବ କ୍ରିକେଟର।ବିଜୟ ହଜାରେ ଟ୍ରଫିରେ ଦ୍ୱିଶତକ ମାରିବାରେ କର୍ଣ୍ଣବୀର ହୋଇଛନ୍ତି ପ୍ରଥମ ଭାରତୀୟ କ୍ରିକେଟର। ୧୩୫ବଲ୍ ଖେଳି ୧୮ଟି ଚୌକା ଓ ୯ଟି ବିଶାଳ ଛକା ମାରି ୨୦୨ରନ୍ କରିଥିଲେ। ଏହି ସଫଳତା ସହ ସେ ଆଜିଙ୍କ୍ୟ ରାହାଣେ, ଶିଖର ଧଓ୍ୱନ ଓ ଆକାଶ ଚୋପ୍ରାଙ୍କ ଭଳି ଖେଳାଳିଙ୍କୁ ପଛରେ ଛାଡି ଦେଇଛନ୍ତି କର୍ଣ୍ଣବୀର। ୨୦୦୭-୦୮ରେ ଆଜିଙ୍କ୍ୟ ରାହାଣେ ମୁମ୍ବାଇ ପାଇଁ ଖେଳୁଥିବା ବେଳେ ମହାରାଷ୍ଟ୍ର ବିପକ୍ଷରେ ୧୮୭ ରନ୍ ସର୍ବଶ୍ରେଷ୍ଠ ଇନିଂସ ଖେଳିଥିଲେ। ତାଙ୍କର ଦ୍ୱିଶତକ ବଳରେ ସିକିମ ବିରୋଧରେ ବିଜୟ ହଜାରେ ଟ୍ରଫିରେ ୧୯୯ ରନରେ ବିଜୟୀ ହୋଇଥିଲା ଉତ୍ତରାଖଣ୍ଡ। ସେହିପରି ଚଳିତ ସିଜିନରେ କର୍ଣ୍ଣବୀରଙ୍କର ଏହା ହେଉଛି ତୃତୀୟ ଶତକ। ପୁଡୁଚେରୀ ବିରୋଧରେ (୧୦୧ରନ୍) ଓ ମିଜୋରାମ ବିପକ୍ଷରେ (୧୧୮ରନ୍) ହାସଲ କରିଥିଲେ। ଏହାପରେ ସିକିମ ବିରୋଧରେ ଦ୍ୱିତୀୟ ଶତକ ମାରି ଚଳିତ ଟୁର୍ଣ୍ଣାମେଣ୍ଟରେ ଦ୍ୱିତୀୟ ସର୍ବାଧିକ ରନ୍ ସ୍କୋରର ହୋଇଛନ୍ତି କର୍ଣ୍ଣବୀର। ବିଜୟ ହଜାରେ ଟ୍ରଫିରେ ସେ ଖେଳିଥିବା ୭ଟି ମ୍ୟାଚରୁ ୪୭୬ରନ୍ କରିଛନ୍ତି। କେବଳ ଏକାକୀ ରେକର୍ଡ କରି ନାହାନ୍ତି କର୍ଣ୍ଣବୀର, ଏହି ମ୍ୟାଚରେ ପାର୍ଟନରସିପରେ ବି ନୂଆ ରେକର୍ଡ ହୋଇଛି । ବୀନିତ ସକସେନାଙ୍କ ସହ ମିଶି ୨୯୬ରନ୍ ସଂଗ୍ରହ କରିଥିଲେ। ପୂର୍ବରୁ ଏହି ରେକର୍ଡ ଥିଲା ଶିଖର ଧଓ୍ୱନ-ଆକାଶ ଚୋପ୍ରା ଯୋଡ଼ିଙ୍କ ନାଁରେ। ୨୦୦୭-୦୮ ସେମାନେ ଦିଲ୍ଲୀ ପକ୍ଷରୁ ପଞ୍ଜାବ ବିପକ୍ଷରେ ୨୭୭ ରନ୍ କରିଥିଲେ।
ଟେବୁଲ୍ ଟେନିସରୁ କ୍ରିକେଟ ଗ୍ରାଉଣ୍ଡ
ବିଜୟ ହଜାରେ ଟ୍ରଫିରେ ଦ୍ୱିଶତକ ମାରି ହଟଚମଟ ସୃଷ୍ଟି କରିଥିବା କର୍ଣ୍ଣବୀର ୧୬ବର୍ଷରେ ପ୍ରଥମେ ହାତରେ ବ୍ୟାଟ୍ ଧରି କ୍ରିକେଟ ମୈଦାନକୁ ଓହ୍ଲାଇ ଥିଲେ। ପ୍ରଥମରୁ କ୍ରିକେଟ ପ୍ରତି କିନ୍ତୁ ତାଙ୍କର ରୁଚି ନଥିଲା। ଟେବୁଲ୍ ଟେନିସରେ ରୁଚି ରଖିଥିଲେ କର୍ଣ୍ଣବୀର। ବହୁ ଜାତୀୟ ପ୍ରତିଯୋଗିତାରେ ଦବଦବା ଦେଖାଇଥିଲେ। ହଠାତ୍ ଟେବୁଲ୍ ଟେନିସ ମୋହ ତୁଟାଇ କ୍ରିକେଟ ଲଭର୍ ହୋଇ ଯାଇଥିଲେ କର୍ଣ୍ଣବୀର । ବୋଧେ ତାହା ହିଁ ଥିଲା ଭଗବାନଙ୍କ ଇଚ୍ଛା।
Connect With Us