ସୁପର ଓଭର ମ୍ୟାଚ୍ ଟାଇ ହେଲେ ବିଜେତା କିଏ ? ବାଉଣ୍ଡ୍ରି ଆଧାରରେ ଓ୍ୱିନର ବଛାଯିବ ନା ଆଉ କୌଣସି ବାଟ ଅଛି?ଗତ ବିଶ୍ୱକପରେ ଏନେଇ ବିବାଦ ମୁଣ୍ଡ ଟେକିଥିଲା। ନ୍ୟୁଜିଲାଣ୍ଡ-ଇଂଲଣ୍ଡ ଫାଇନାଲ ମୁକାବିଲା ପ୍ରଥମେ ଟାଇ ହୋଇଥିଲା। ଏହାପରେ ବିଜେତା ବାଛିବାକୁ ସୁପର ଓଭର ଖେଳାଯାଇଥିଲା। ସୁପର ଓଭର ମ୍ୟାଚ୍ ବି ଶେଷ ହେଲା ଟାଇରେ। ଶେଷରେ ବାଉଣ୍ଡ୍ରି ଆଧାରରେ ବିଜୟୀ ହେଲା ଇଂଲଣ୍ଡ। ଏହି ନିୟମକୁ ନେଇ ବିବାଦ ଦେଖାଦେଇଥିଲା। ବହୁ ପୂର୍ବତନ କ୍ରିକେଟର ଓ ବର୍ତ୍ତମାନର କ୍ରିକେଟର ଆଇସିସିର ଏହି ନିୟମ ପରିବର୍ତ୍ତନ ସପକ୍ଷରେ ମତ ରଖିଥିଲେ। ଏବେ ବିଚାର କରିବାକୁ ପ୍ରକ୍ରିୟା ଆରମ୍ଭ କରିଛି ଆଇସିସି। ଏଥିପାଇଁ ପୂର୍ବତନ କ୍ରିକେଟର ତଥା ଟିମ୍ ଇଣ୍ଡିଆର ପୂର୍ବତନ କୋଚ୍ ଅନୀଲ କୁମ୍ବଲେଙ୍କୁ ଗୁରୁ ଦାୟିତ୍ୱ ଦେଇଛି ଆଇସିସି। କ୍ରିକେଟ କମିଟି ମୁଖିଆ ହୋଇଛନ୍ତି କୁମ୍ବଲେ। ଯେଉଁ କମିଟି ବିଚାର କରିବ ସୁପର ଓଭର ମ୍ୟାଚ୍ ଟାଇ ହେଲେ ବିଜେତା କାହାକୁ ଓ କେମିତି ବଛାଯିବ। ବାଉଣ୍ଟ୍ରି ଆଧାରରେ ଓ୍ୱିନର ବଛା ଯାଉଥିବା ନିୟମ ଠିକ ନା ନୁହେଁ, ସେକଥା ବି ବିଚାର କରିବ କମିଟି। ୨୦୨୦ରେ ପ୍ରଥମ ତ୍ରୈମିସାକ ବୈଠକରେ ଏନେଇ ବିଚାର ବିମର୍ଶ କରିବ ଅନୀଲ କୁମ୍ବଲେଙ୍କ ନେତୃତ୍ୱାଧୀନ କମିଟି।

ବିଶ୍ୱକପର ଗତ ତିନିଟି ସଂସ୍କରଣ ୨୦୧୯, ୨୦୧୫ ଓ ୨୦୧୧ରେ ନକ୍ ଆଉଟ୍ ପର‌୍ୟ୍ୟାୟ ମ୍ୟାଚ୍ ଟାଇ ହେଲେ ବିଜେତା ବାଛିବାକୁ ସୁପର ଓଭର ନିୟମ ଲାଗୁ ହୋଇଛି। ବଲ୍ ଆଉଟ୍ ଜାଗାରେ ଲାଗୁ ହୋଇଥିଲା ସୁପର ଓଭର ବ୍ୟବସ୍ଥା। ୨୦୦୭ ଟି-ଟ୍ୱେଣ୍ଟି ଓ୍ୱାର୍ଲଡ କପରେ ଭାରତ-ପାକିସ୍ତାନର ଗୋଟିଏ ମ୍ୟାଚ୍ ବଲ୍ ଆଉଟରେ ନିର୍ଣ୍ଣୟ କରାଯାଇଥିଲା। ସହି ମ୍ୟାଚରେ ୩-୦ ବ୍ୟବଧାନରେ ବାଜି ମାରିଥିଲା ଟିମ୍ ଇଣ୍ଡିଆ। ୨୦୧୧ ଓ ୨୦୧୫ ବିଶ୍ୱକପ ଫାଇନାଲରେ ସୁପର ଓଭର ଆବଶ୍ୟକତା ପଡ଼ି ନଥିଲା। କିନ୍ତୁ ୨୦୧୯ରେ ୫୦ ଓଭର ମ୍ୟାଚ ବାଛି ପାରିଲା ନାହିଁ ଓ୍ୱିନର। ସୁପର ଓଭର ମ୍ୟାଚ୍ ବି ଟାଇ ହୋଇଗଲା। ଲାଗୁ ହେଲା ବାଉଣ୍ଡ୍ରି ନିୟମ। ଅଧିକ ବାଉଣ୍ଟ୍ରି ମାରିଥିବାରୁ ବିଶ୍ୱକପ ହାରିଗଲା ନ୍ୟୁଜିଲାଣ୍ଡ। ପ୍ରଥମ ଥର ବିଶ୍ୱବିଜେତା ହେବାର ସୌଭାଗ୍ୟ ପାଇଲା ଇଂଲଣ୍ଡ।

କୁହାଯାଉଛି ଯେକୌଣସି ପରିସ୍ଥିତିରେ ଟ୍ରଫି ବାଣ୍ଟିବାକୁ ଚାହୁଁନି ଆଇସିସି। ଆଇସିସି ଏକଜିକ୍ୟୁଟିଭ୍ କମିଟି ବୈଠକରେ ବି ଏସମ୍ପର୍କରେ କୌଣସି ଆଲୋଚନା ହୋଇ ନାହିଁ। ସାରା ବିଶ୍ୱର କ୍ରିକେଟ ଲିଗରେ ସୁପର ଓଭର ଟାଇ ହେଲେ ଯିଏ ଅଧିକ ବାଉଣ୍ଡ୍ରି  ମାରିଥାଏ, ତାକୁ ବିଜୟୀ ଘୋଷଣା କରାଯାଉଛି। ସେହି ନିୟମକୁ ବି ଲାଗୁ କରିଛି ଆଇସିସି। ବିଶ୍ୱକପ୍ ଫାଇନାଲ ମ୍ୟାଚ ପରେ ବିବାଦ ମୁଣ୍ଡ ଟେକି ଥିବାରୁ କୁମ୍ବଲେଙ୍କ ନେତୃତ୍ୱରେ କ୍ରିକେଟ କମିଟି ଗଠନ କରାଯାଇଛି। ସୁପର ଓଭର ଟାଇ ହେଲେ କେମିତି ବଛା ଯିବ ଓ୍ୱିନର?ବାଉଣ୍ଡ୍ରି ଆଧାରକୁ ଛାଡ଼ିଦେଲେ ଆଉ କଣ ବିକଳ୍ପ ରହିଛି? ଅନୀଲ କୁମ୍ବଲେ ଓ ତାଙ୍କ ଟିମକୁ ସୁପର ଓଭର ଟାଇ ହୋଇଥିବା ମ୍ୟାଚର ବିଜେତା ବାଛିବା ପାଇଁ ସ୍ୱତନ୍ତ୍ର ଓ ନିରପେକ୍ଷ ବ୍ୟବସ୍ଥା ବାହାର କରିବାକୁ ପଡ଼ିବ।ଅଭିଜ୍ଞ, ନିର୍ବିବାଦୀୟ ଓ ଜଣେ ସଫଳ କ୍ରିକେଟ ଭାବରେ ଅନୀଲ କୁମ୍ବଲେଙ୍କ ପ୍ରସିଦ୍ଧି ରହିଛି। ଅନ୍ତର୍ଜାତୀୟ କ୍ରିକେଟରେ ଲମ୍ବା ଇନିଂସ ଖେଳିଛନ୍ତି। ଭାରତ ପାଇଁ ୧୩୨ ଟେଷ୍ଟ ଖେଳି ୬୧୯ ଓ୍ୱିକେଟ ନେଇଛନ୍ତି। ସେହିପରି ୨୭୧ ଦିନିକିଆରେ ୩୩୭ ଓ୍ୱିକେଟ ନିଜ ନାଁରେ କରିଛନ୍ତି କୁମ୍ବଲେ। ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଦାୟିତ୍ୱ ବି ତୁଲାଇଛନ୍ତି କୁମ୍ବଲେ। ଏବେ ଆଇସିସି ତାଙ୍କୁ ଦେଇଛି ଗୁରୁ ଦାୟିତ୍ୱ।