ମୋଦିଙ୍କ ସଂକଟ ମୋଚକ ଅରୁଣ ଜେଟଲିଙ୍କ ଦେହାନ୍ତ

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅରୁଣ ଜେଟଲିଙ୍କ ଦେହାନ୍ତ ହୋଇଛି।ପ୍ରାୟ ୨ବର୍ଷ ଧରି ଅସୁସ୍ଥ ଥିବା ଜେଟଲିଙ୍କ ଆଜି (ଶନିବାର) ଦିନ ୧୨ଟା ୭ ମିନିଟରେ ୬୬ବର୍ଷ ବୟସରେ ଦେହାନ୍ତ ହୋଇଛି।କ୍ୟାନସର ରୋଗରେ ପୀଡିତ ଜେଟଲୀ,ଦିଲ୍ଲୀ AIIMSରେ ଚିକିତ୍ସିତ ହେଉଥିଲେ।୨୮ଡିସେମ୍ବର ୧୯୫୨ରେ ଦିଲ୍ଲୀ ଜନ୍ମଗ୍ରହଣ କରିଥିଲେ ଜେଟଲି। ବାର ଥିଲା ରବିବାର,ମୃତ୍ୟୁ ହୋଇଛି ଶନିବାରରେ।

ଆର୍ଥିକ ସଂସ୍କାରକ
ସୁପ୍ରିମକୋର୍ଟର ପ୍ରତିଷ୍ଠିତ ଓକିଲ ଜେଟଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଙ୍କଟ ମୋଚକ ଥିଲେ।ମୋଦିଙ୍କ ପ୍ରଥମ ପ୍ରଧାନମନ୍ତ୍ରୀତ୍ୱ କାଳରେ ଗୁରୁତ୍ୱପୂର୍ଣ୍ଣ ଅର୍ଥ,ପ୍ରତିରକ୍ଷା,ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ଥିଲେ ଜେଟଲି।ତେବେ ସ୍ୱାସ୍ଥ୍ୟଗତ କାରଣରୁ ମନ୍ତ୍ରିମଣ୍ଡଳରେ ସାମିଲ ନକରିବାକୁ ମୋଦିଙ୍କୁ ଚିଠି ଲେଖିଥିଲେ ଜେଟଲି।ତାଙ୍କ ଅର୍ଥମନ୍ତ୍ରୀତ୍ୱ କାଳରେ ବିମୁଦ୍ରୀକରଣ ଏବଂ ଗୋଟିଏ ଦେଶ ଗୋଟିଏ ଟ୍ୟାକ୍ସ ବ୍ୟବସ୍ଥା ପାଇଁ GST ବ୍ୟବସ୍ଥା ପ୍ରଚଳନ କରିଥିଲେ।ସେହିପରି କଳାଟଙ୍କା ଉପରେ ଅଙ୍କୁଶ ଲଗାଇବା ପାଇଁ କଠୋର ଆଇନ ପ୍ରଣୟନ କରିଥିଲେ।ଦେଶର ଆଥିର୍କ ବୋଝ କମାଇବା ପାଇଁ ସ୍ୱତନ୍ତ୍ର ରେଲଓ୍ୱେ ବଜେଟ ଉପସ୍ଥାପନା ଜେଟଲିଙ୍କ ସମୟରେ ହିଁ ବନ୍ଦ ହୋଇଥିଲା।ପ୍ରଧାନମନ୍ତ୍ରୀ ମୋଦି ଯେବେବି ଅସୁବିଧାରେ ପଡିଛନ୍ତି ଜେଟଲି ହିଁ ତାଙ୍କୁ ସାହା ହେଉଥିଲେ।ଗୁଜୁରାଟ ଦଙ୍ଗା,ଏନକାଉଣ୍ଟର ପ୍ରସଙ୍ଗକୁ ନେଇ ବିଜେପି ଭିତରୁ ଏବଂ ବିରୋଧି ଆଟାକ୍ କରୁଥିଲା ବେଳେ ଜେଟଲି ହିଁ ମୋଦିଙ୍କ ସୁରକ୍ଷା କବଚ ହୋଇ ଠିଆ ହୋଇଥିଲେ।ସେହିଭଳି ୨୦୧୪ନିର୍ବାଚନ ପୂର୍ବରୁ ମୋଦିଙ୍କୁ ବିଜେପିର ପ୍ରଧାନମନ୍ତ୍ରୀ ପଦ ପ୍ରାର୍ଥୀ କରାଇବାରେ ଜେଟଲିଙ୍କ ଯଥେଷ୍ଟ ଭୂମିକା ରହିଥିଲା।ସେଥିପାଇଁ ମୋଦି,ଗୁଜୁରାଟ କୋଟାରେ ଜେଟଲିଙ୍କୁ ଲଗାତର ରାଜ୍ୟସଭା ପଠାଉଥିଲେ।ତେବେ ମୋଦି ବାରାଣାସୀରୁ ବିଜୟୀ ହେବା ପରେ,୨୦୧୮ରେ ଉତ୍ତର ପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇ ଆସିଥିଲେ ଜେଟଲି।

ଜେପିଙ୍କ ପ୍ରିୟ-ଏର୍ମଜନ୍ସି ଲଢେଇର ହିରୋ
ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ରସଂଘର ସଭାପତି ଅରୁଣ ଜେଟଲି,ରାଜନୈତିକ କ୍ୟାରିୟର ଏବିଭିପିରୁ ଆରମ୍ଭ କରିଥିଲେ।ଜରୁରୀ କାଳୀନ ପରିସ୍ଥିତିରେ ଜେଟଲି,ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ,ମୁଣ୍ଡବ୍ୟଥାର କାରଣ ସାଜିଥିଲେ।ଇନ୍ଦିରା ସରକାର ବିରୋଧରେ ଲଢେଇ ପାଇଁ ଜୟପ୍ରକାଶ ନାରାୟଣ ଗଢ଼ିଥିଲେ ଜାତୀୟ ଯୁବ କମିଟି।ସେହି କମିଟିର ସଂଯୋଜକ ଥିଲେ ଜେଟଲି।ଜରୁରୀ ପରିସ୍ଥିତିରେ ୧୯ମାସ ଜେଲରେ ଥିବା ବିଚିକ୍ଷଣ ଜେଟଲି ଆଇନ ପେସାରେ ଖୁବ ନାମ କମାଇ ଥିଲେ।ସେଥିପାଇଁ ମାତ୍ର ୩୭ବର୍ଷ ବୟସରେ ଜେଟଲିଙ୍କୁ ୧୯୯୦ରେ ପୂବର୍ତନ ପ୍ରଧାନମନ୍ତ୍ରୀ ଭି.ପି ସିଂହ ଅତିରିକ୍ତ ସଲିସେଟର ଜେନରାଲ ଭାବେ ନିଯୁକ୍ତ କରିଥିଲେ।କେବେ ମାଇ ଲର୍ଡ କହି ନିଜର ବଳିଷ୍ଠ ଯୁକ୍ତିରେ କୋର୍ଟ ରୁମକୁ ସାଇଲେଣ୍ଟ କରି ଦେଉଥିବା ଆଇନଜୀବୀ ଜେଟଲି ଏବେ ସମ୍ପୂର୍ଣ୍ଣ ନୀରବ।ସଂସଦରେ ତଥ୍ୟଭିତ୍ତିକ ଉପସ୍ଥାପନାରେ ବିରୋଧି ପକ୍ଷକୁ ଚୁପ କରିଦେଉଥିବା ଜେଟଲି ଆଜି ନିରବି ଗଲେ।

ବିଜେପି ନେତାଙ୍କ ଅକାଳ ବିୟୋଗ
ପ୍ରତିଭାବାନ ଜେଟଲିଙ୍କ ପଲଟିକାଲ୍ କ୍ୟାରିୟରରେ ଲାଲକୃଷ୍ଣ ଆଡଭାନୀଙ୍କ ବିଶେଷ ଅବଦାନ ରହିଥିଲା।ପୂର୍ବତନ ପ୍ରଧାନମନ୍ତ୍ରୀ ବାଜେପୟୀଙ୍କ ମନ୍ତ୍ରିମଣ୍ଡଳରେ ପୁଞ୍ଜିପ୍ରତ୍ୟାହାର,ଆଇନ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ।ବିଜେପି ମୁଖପାତ୍ର, ରାଜ୍ୟସଭାରେ ବିଜେପି ସଂସଦୀୟଦଳ ନେତା ଭାବେ ଦାୟିତ୍ୱ ତୁଲାଇ ଥିଲେ।ତେବେ ଏହାରି ମଧ୍ୟରେ ବିଜେପିର ବରିଷ୍ଠ ନେତା ମନୋହର ପାରିକର,ଅନନ୍ତ କୁମାର,ସୁଷାମ ସ୍ୱରାଜଙ୍କ ଦେହାନ୍ତ ହୋଇଛି।
Connect With Us