ରାଜଧାନୀ ପରିବେଶର ବଡ ଶତ୍ରୁ ମହାବାତ୍ୟା-ଫନି ଏବଂ ବିଧାୟକ

୨୦୨୪ ସୁଦ୍ଧା ବିଧାୟକ ମାନଙ୍କ ପାଇଁ ନିର୍ମାଣ ହେବ ନୂଆ ଘର। ସେଥିପାଇଁ ରାଜଧାନୀରେ ମନଇଛା ଚାଲିଛି ଗଛକଟା। ରବିନ୍ଦ୍ର ମଣ୍ଡପ ଠାରୁ କମିଶନରେଟ ପୋଲିସ ଅଫିସ ମଧ୍ୟରେ ଥିବା ସବୁ ଗଛ କାଟି ଦିଆଯାଉଛି। ବୃକ୍ଷ ସୁରକ୍ଷା ଦାୟିତ୍ୱରେ ଥିବା ଜଙ୍ଗଲ ବିଭାଗ ମଧ୍ୟ ଅନୁମତି ଦେଇଛି ୮୦୦ବଡ଼ ଗଛ କାଟି ପଦା କରିଦେବା ପାଇଁ। ଗଛ କଟାର ଦୃଶ୍ୟ ଗଣମାଧ୍ୟମରୁ ଦେଖି ମହାନଦୀ ସୁରକ୍ଷା ଅଭିଯାନ କମିଟି ବିରୋଧ କରିବାକୁ ଆଗେଇ ଆସିଛି। ଗଛ କଟା ପ୍ରସଙ୍ଗରେ କମିଟି ଖାରବେଳ ଥାନାରେ ଅଭିଯୋଗ କରିଛି।

ମହାବାତ୍ୟା-ଫନି ପରେ ବିଧାୟକ
୧୯୯୯ ମହାବାତ୍ୟା ପରେ ରାଜଧାନୀର ଅନେକ ବଡ଼ ଗଛ ଉପୁଡିଥିଲା। ତାକୁ ଭରଣା କରିବାକୁ ଲଗା ଯାଇଥିବା ଗଛମାନଙ୍କ ମଧ୍ୟରୁ ୨୦୧୯ ଫନି ବାତ୍ୟାରେ ଅନେକ ସତ୍ତା ହରାଇଲେ।ଏବେ ବିଧାୟକଙ୍କ ସ୍ୱାର୍ଥ ପାଇଁ ଗଛ କଟା ଯାଉଛି। ଗୋଟିଏ ପଟେ ସୁରକ୍ଷିତ ପରିବେଶ ପାଇଁ ପ୍ରତିବର୍ଷ ବନ ମହୋତ୍ସବ ପାଳନ କରି ଚାରା ରୋପଣକୁ ପ୍ରୋତ୍ସାହିତ କରୁଛନ୍ତି ଓଡ଼ିଶା ସରକାର। ଅନ୍ୟପଟେ ଏତେ ମାତ୍ରାରେ ଗଛ କାଟିବା ପ୍ରସଙ୍ଗ ସରକାରଙ୍କ ଭିନ୍ନ ମାନସିକତାକୁ ଦର୍ଶାଉଛି। ୪୪ ଡିଗ୍ରି ତାପମାତ୍ରାରେ ରାଜଧାନୀବାସୀ ଛଟପଟ ହେଉଥିବା ବେଳେ ନବୀକରଣ ନାଁରେ ବନୀକରଣକୁ ଧ୍ୱଂସ କରିବା ସୁରକ୍ଷିତ ପରିବେଶ ସ୍ଲୋଗାନ ପ୍ରତି ଶକ୍ତ ଧକ୍କା।

ପରିବେଶକୁ ବଳି-ତାତିବ ରାଜଧାନୀ
ଦିଲ୍ଲୀରେ Central Vista Projectକୁ ତୀବ୍ର ବିରୋଧ କରାଯାଇଥିଲା। ସେ ସମୟରେ ପରିବେଶ ,ସଂସ୍କୃତି ଆଳରେ ବିରୋଧର ସ୍ୱର ଉଠିଥିଲା। ମାତ୍ର ଓଡ଼ିଶାରେ ବିଧାୟକଙ୍କ କ୍ୱାଟର୍ସ ପାଇଁ ପରିବେଶ ବିରୋଧି କାମ ଚାଲିଛି। କାମ୍ପା ଫଣ୍ଡରୁ ଶହ ଶହ କୋଟି ବ୍ୟୟ କରି ଓଡ଼ିଶା ସରକାର ଜଙ୍ଗଲ ସୃଷ୍ଟି କରୁଥିବା କହୁଛନ୍ତି। ସେହିପରି ମହାନଦୀ ସୁରକ୍ଷା ନାଁରେ ବୌଦ୍ଧ ଓ ସୁବର୍ଣ୍ଣପୁର ଜିଲ୍ଲାରେ ମହାନଦୀ କଡ଼ରେ ଗଛ ଲଗାଯାଇଥିଲା। ପ୍ରକୃତରେ ସେହି ଗଛ ସରକାରଙ୍କ ଖାତାରେ ଅଛି ମହାନଦୀ କଡ଼ରେ ବଢୁଛି ତାହା ଅନୁସନ୍ଧାନ ସାପେକ୍ଷ। ମାତ୍ର ଭୁବନେଶ୍ୱରରେ ଗଛ କଟାଯିବା ଜଳ ଜଳ ଦେଖାଯାଉଛି। ଗଛମାନଙ୍କୁ କଟା ନଯାଇ ଅନ୍ୟ ବ୍ୟବସ୍ଥା କରାଯାଇ ପାରିଥାଆନ୍ତା।ପରିବେଶ ସନ୍ତୁଳନ ବଜାୟ ରଖି ପାରିଥାନ୍ତେ ସରକାର। ମାତ୍ର ଏପରି ନକରି ବହୁ ଦିନର ପୁରୁଣା ଗଛକୁ କାଟି ଦେବା ଦୂରଦୃଷ୍ଟିର ଅଭାବ କୁହାଯାଇପାରେ। ରାଜଧାନୀରେ ବୃଦ୍ଧି ପାଉଥିବା ତାପମାତ୍ରାକୁ ନିୟନ୍ତ୍ରିତ କରିବାକୁ ସରକାର ଏ ନିଷ୍ପତ୍ତିର ପୁନଃ ବିଚାର କରିବା ଆବଶ୍ୟକ ବୋଲି ପରିବେଶବିତ ମତ ରଖିଛନ୍ତି।
Connect With Us