ପ୍ରତ୍ୟେକ କାର୍ଯ୍ୟର ଯେମିତି ଏକ ନିର୍ଦ୍ଦିଷ୍ଟ ନୀତି ନିୟମ ରହିଛି, ସେହିପରି ମନ୍ଦିର ଗଲାବେଳେ ମଧ୍ୟ କିଛି ନିୟମକୁ ମାନିବାକୁ ପଡ଼େ। ହାତ ଯୋଡ଼ି ମନ୍ଦିରରେ ପ୍ରବେଶ କରିବା, ଏହାପରେ ଘଣ୍ଟି ବଜାଇବା ଏବଂ ଗର୍ଭଗୃହ ସାମ୍ନାରେ ଭଗବାନଙ୍କୁ ପ୍ରଣାମ କରିବା ଇତ୍ୟାଦି। ହିନ୍ଦୁ ଶାସ୍ତ୍ର ଅନୁସାରେ ଏ ସବୁ ପଛରେ ଏକ ନିର୍ଦ୍ଧିଷ୍ଟ କାରଣ ରହିଛି। ମନ୍ଦରରେ ପରିକ୍ରମାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ପ୍ରତ୍ୟେକ ସନାତନୀ ପରିକ୍ରମା ଶବ୍ଦ ସହ ଜଡ଼ିତ। ହେଲେ ମନ୍ଦିର ଗଲେ ପରିକ୍ରମା ବା ପ୍ରଦକ୍ଷିଣାକୁ ଏତେ ପ୍ରାଧାନ୍ୟ କ’ଣ ପାଇଁ ଦିଆଯାଏ। ସେ ବିଷୟରେ ଆଲୋଚନା କରିବା।
ବହୁ ଆଦି କାଳରୁ ସନାତନ ଧର୍ମ ଚାଲିଆସୁଛି। କାରଣ ଏହା ମଣିଷକୁ ସୁନ୍ଦର ଜୀବନ ଜୀଇଁବା ପାଇଁ ଏକ ଉତ୍ତମ ପଦ୍ଧତି ବିକଶିତ କରିବାରେ ସାହାଯ୍ୟ କରେ। ଏହି ପଦ୍ଧତିର ଏକ ମୁଖ୍ୟ ଅଙ୍ଗ ହେଉଛି ଦେବାଳୟ ବା ମନ୍ଦିର। ମନ୍ଦିରକୁ ଏ ପ୍ରକାରେ ନିର୍ମାଣ କରାଯାଇଥାଏ ଯେଉଁଠାରେ ସକାରାତ୍ମକ ଉର୍ଜା ବାହାରେ। ମନ୍ଦିର ନିର୍ମାଣ ପୂର୍ବରୁ ଚୁମ୍ବକୀୟ ତରଙ୍ଗର ଅଧିକ ପ୍ରଭାବ ଥିବା ଜାଗାକୁ ଚିହ୍ନଟ କରାଯାଏ। ସ୍ଥାନ ଚୟନ ପରେ ଏହି କ୍ଷେତ୍ରର ମଧ୍ୟ ଭାଗରେ ହିଁ ମନ୍ଦିରର ଗର୍ଭ ଗୃହ ନିର୍ମାଣ କରାଯାଏ। ସମ୍ମୁଖରେ ଛିଡ଼ା ହୋଇ ଠାକୁରଙ୍କୁ ପ୍ରଣାମ କରିବାଦ୍ୱାରା ସକାରାତ୍ମକ ଶକ୍ତି ମିଳେ। ସେଥିପାଇଁ ପ୍ରତିଦିନ ମନ୍ଦିର ଯିବା ଏବଂ ମନ୍ଦିର ପ୍ରରିକ୍ରମା କରିବାକୁ କୁହାଯାଏ। ଭିନ୍ନ ଦେବା ଦେବୀଙ୍କ ପାଇଁ ପରିକ୍ରମା ନୀତି ମଧ୍ୟ ଅଲଗା ରହିଥାଏ। ଯେମିତି ଶିବାଳୟର ପରିକ୍ରମା ଅଧା କରାଯାଏ। ସେହିପରି ଅଗ୍ରପୂଜ୍ୟ ଗଣେଷଙ୍କ ୩ ପରିକ୍ରମା କରାଯାଏ। ନର୍ମଦା ପରିକ୍ରମାକୁ ସବୁଠାରୁ ଦୀର୍ଘ ପରିକ୍ରମା ବୋଲି କୁହାଯାଏ। ଏହାର କ୍ଷେତ୍ରଫଳ ୨୬୦୦ କିଲୋମିଟର।ଏହା ମଧ୍ୟ ପ୍ରଦେଶର ଅମରକଣ୍ଟକର ଓମକାରେଶ୍ୱର ଓ ଉଜ୍ଜେନରୁ ଆରମ୍ଭ ହୋଇ ଏଠାରେ ସମାପ୍ତ ହୁଏ।
ଗର୍ଭଗୃହ ପରିକ୍ରମା କରିବା ଦ୍ୱାରା ମନକୁ ଶାନ୍ତି ମିଳେ। ମନ୍ତ୍ର ଏବଂ ଘଣ୍ଟ ଧ୍ୱନୀରେ ଈଶ୍ୱରକୁ ସ୍ମରଣ କରିବା ସହଜ ହୋଇଥାଏ। ପ୍ରତିଦିନ ମନ୍ଦିର ପରିକ୍ରମା ଦ୍ୱାରା ମନୁଷ୍ୟକୁ ମାନସିକ,ଶରିରୀକ ଏବଂ ଭାବନାତ୍ମକ ଦିଗରେ ସକାରାତ୍ମକ ଶକ୍ତି ପ୍ରାପ୍ତି ହୁଏ,ଯାହା ଶୁଖି ଜୀବନ ପାଇଁ ନିତ୍ୟାନ୍ତ ଆବଶ୍ୟକ। ସବୁବେଳେ ସକାରାତ୍ମକ ଉର୍ଜା ଗ୍ରହଣ କରିବା ଦ୍ୱାରା ଶରୀର ନିରୋଗ ରହିବା ସହ ମାନସିକ ଶାନ୍ତି ମିଳେ। ପ୍ରାଚୀନ କାଳରେ ମନ୍ଦିରକୁ ଉର୍ଜାର ମୁଖ୍ୟ କେନ୍ଦ୍ରସ୍ଥଳ ବୋଲି କୁହାଯାଉଥିଲା। ଏତେସବୁ ଜାଣିବା ପରେ ମନରେ ନିହାତି ଗୋଟିଏ ପ୍ରଶ୍ନ ଉଠୁଥିବ ଯେ, ଯଦି ମନ୍ଦିର ଉର୍ଜାର କେନ୍ଦ୍ରସ୍ଥଳ ତେବେ ପରିକ୍ରମା ବାମରୁ ଦକ୍ଷିଣ ଦିଗକୁ କରାଯାଉ ଅବା ଦକ୍ଷିଣରୁ ବାମକୁ ଏଥିରେ କୌଣସି ପ୍ରଭାବ ପଡ଼ିବା କଥା ନୁହେଁ। ଏହା ପଛରେ ମଧ୍ୟ ଏକ ଗୁଢ଼ ରହସ୍ୟ ଲୁଚି ରହିଛି, ଯାହା ପ୍ରତ୍ୟେକ ଜାଣିବା ନିହାତି ଦରକାର। ବ୍ରହ୍ମାଣ୍ଡରେ ପ୍ରତିଟି ବସ୍ତୁ ଆକାଶ ଗଙ୍ଗାଠାରୁ ଆରମ୍ଭ କରି ତାରା,ଗ୍ରହ, ଏବଂ ଉପଗ୍ରହ ସବୁ ଗତିଶୀଳ। ଏଗୁଡ଼ିକ ପରସ୍ପର ଚାରିପାଖେ ନିରନ୍ତର ପରିକ୍ରମା କରନ୍ତି। ଯେଉଁଥିରୁ ସେମାନଙ୍କୁ ଉର୍ଜା ବା ଶକ୍ତି ପ୍ରାପ୍ତି ହୁଏ ଏବଂ ଯାହାଫଳରେ ସେମାନଙ୍କ ଅସ୍ତିତ୍ୱ ବଜାୟ ରୁହେ। ଉଦାହରଣ ସ୍ୱରୂପ, ସୂର୍ଯ୍ୟ ପୂର୍ବ ଦିଗରେ ଉଦୟ ହେବା ପରେ ଦକ୍ଷିଣ ଦିଗଆଡ଼କୁ ଧୀରେ ଧୀରେ ପରିକ୍ରମା କରି, ପଶ୍ଚିମ ଦିଗରେ ପହଞ୍ଚିଯାଏ। ଅର୍ଥାତ୍ ଆମେ ଯଦି ବାମରୁ ଦକ୍ଷିଣ ଦିଗକୁ ମନ୍ଦିର ପ୍ରଦକ୍ଷିଣା ନ କରି ଏହାର ବିପରିତ ମନ୍ଦିର ପରିକ୍ରମା କରିବା ତେବେ ମନ୍ଦିରରୁ ଆସୁଥିବା ଉର୍ଜାର ପ୍ରଭାବ କମିଯିବ। ସକାରାତ୍ମକ ଶକ୍ତି ନକାରାତ୍ମକ ଉର୍ଜାର ରୂପ ନେବ। ସେଥିପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଗର୍ଭଗୃହର ପରିକ୍ରମା କରିବା ସମୟରେ ଦିଗକୁ ନେଇ ସତର୍କ ରହିବାକୁ ପଡ଼ିବ ଓ ନିୟମ ଅନୁସାରେ ନିଜ ବାମ ପାଶ୍ୱର୍ରୁ ଦକ୍ଷିଣ ଦିଗ ଆଡ଼କୁ ଆଗକ ବଢ଼ିବାକୁ ପଡ଼ିବ। ସଠିକ୍ ନୀତି ନିୟମ ପାଳନ କରିବା ଦ୍ୱାରା ମଣିଷକୁ କିପରି ଏହାର ଉଚିତ୍ ଫଳ ମିଳିବ ସେଥିପାଇଁ ସନାତନ ଧର୍ମରେ ପ୍ରତିଟି ନୀତି ନିୟମ ବିଜ୍ଞାନିକ ଆଧାରରେ ନିଣ୍ଣୟ କରାଯାଇଛି।