ଯେତେବେଳେ କେବଳ ନିଜ ଜୀବନ ବଞ୍ଚାଇବାର ସ୍ଥିତି ଉପୁଜେ ସେତେବେଳେ କଳ,ବଳ, କୌଶଳ ଲଗାଇ ମଣିଷ ଜୀବନ ରକ୍ଷା କରିବାକୁ ଚେଷ୍ଟା କରେ। ଠିକ୍ ସେମିତି ପଶ୍ଚିମବଙ୍ଗର ସେହି ମୃତା ଟ୍ରେନି ଡାକ୍ତରାଣୀ ମଧ୍ୟ ଜୀବନ ବଞ୍ଚାଇବାକୁ ନିଜର ସବୁ ବଳ ଲଗାଇ ଦେଇଥିଲେ। କିନ୍ତୁ ସେ ପାରି ନ ଥିଲେ,ଆଉ ସୈତାନର କାମନା ଆଗରେ ସେ ହାର୍ ମାନିଯାଇଥିଲେ। ଶେଷର ଗୋଲ୍ଡ ମେଡାଲିଷ୍ଟ ହେବାର ସ୍ୱପ୍ନକୁ ପଛରେ ପକାଇ ଚାଲିଗଲେ ଅଫେରା ରାଇଜକୁ। ଲୋକଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇ ନୂଆ ଜୀବନ ଦେବା ଯାହାର ପେଶା ଥିଲା ତା’ ଉପରେ ଏମିତି ଅକଥନୀୟ ଅତ୍ୟାଚାର କରାଯିବା ଅତ୍ୟନ୍ତ କଷ୍ଟଦାୟକ।
ଅପରାଧୀ ଯେତେ ଚାଲାକି ହେଉ ନା କାହିଁ, ଘଟଣାସ୍ଥଳରେ କିଛି ନା କିଛି ପ୍ରମାଣ ଦେଇଯାଏ । ସେମିତି ସଞ୍ଜୟ ବି କରିଥିଲା । ଡାକ୍ତରାଣୀଙ୍କ ସହ ବର୍ବରତା ଘଟେଇବା ପରେ ଅଭିଯୁକ୍ତ ନିଜ ବ୍ଲୁଟୁଥ୍ ସେଠାରେ ଛାଡ଼ି ଫେରାର୍ ହୋଇଥିଲା । ଘଟଣାର ସୂଚନା ପାଇ ପୋଲିସ ସେମିନାର ହଲ୍ରୁ ଏହି ବ୍ଲୁଟୁଥ୍କୁ ଜବତ କରିଥିଲା । ଆଉ ଯେତେବେଳେ ପୋଲିସ ପକ୍ଷରୁ କିଛି ଯବତ ଫୋନ୍ରେ ଏହି ବ୍ଲୁଟଉଥ୍କୁ କନେକ୍ଟ କରାଯାଇଥିଲା । ସେତେବେଳେ ସଞ୍ଜୟ ଫୋନ୍ରେ ବ୍ଲୁଟୁଥ୍ଟି ସଙ୍ଗେ ସଙ୍ଗେ ପେୟାର୍ ହୋଇଥିଲା । ଏହାପରେ ଘଟଣାର ୨୪ ଘଣ୍ଟା ମଧ୍ୟରେ ପୋଲିସ ସଞ୍ଜୟଙ୍କୁ ନିଜ ହେପାଜତକୁ ନେଇଥିଲା । ସିଭିକ୍ ଭଲାଣ୍ଟିୟର ସଞ୍ଜୟର ଡାକ୍ତରଖାନାକୁ ଯିବା ଆସିବା ପ୍ରତିଦିନ ଲାଗି ରହିଥିଲା । ଘଟଣାଦିନ ରାତିରେ ମଧ୍ୟ ସେ ଦୁଇଥର ହସ୍ପିଟାଲ ଭିତରକୁ ଯାଇଥିଲା । ସକାଳ ପ୍ରାୟ ୪.୩୭ ମିନିଟ୍ରେ ହସ୍ପିଟାଲରୁ ବାହାରି ନିକଟସ୍ଥ ପୋଲିସ ଶିବିରକୁ ଯାଇଥିଲା । ଜାତୀୟ ଗଣମାଧ୍ୟମ ରିପୋର୍ଟ ମୁତାବକ ସଞ୍ଜୟ ଦୁଷ୍ଟ ପ୍ରବୃତ୍ତିର ଥିଲା । ଘଟଣା ଦିନ ସଞ୍ଜୟ ମଦ ପିଇଥିବା ତଦନ୍ତରୁ ଜଣାପଡ଼ିଛି । ସିସିଟିଭି ଫୁଟେଜ୍ ମୁତାବକ ସେ ଦିନ ସଞ୍ଜୟ ସେମିନାର ହଲ୍ରେ ପାଖାପାଖି ୪୦ ମିନିଟ୍ ବିତାଇଥିଲା । ସଞ୍ଜୟ ଫୋନ୍ରେ ଗୁଡ଼ାଏ ଅଶ୍ଲୀଳ ଭିଡ଼ିଓ ଥିବା ମଧ୍ୟ କୁହାଯାଉଛି । ସଞ୍ଜୟ ବିରୋଧରେ ନିର୍ଯାତନା, ଡରା-ଧମକା କରିବା ସହ ନିଜ ଗର୍ଭବତୀ ସ୍ତ୍ରୀଙ୍କୁ ମାର୍ପିଟ୍ ଅଭିଯୋଗ ରହିଛି । ୪ ମହିଳାଙ୍କ ସହ ବାହାଘର ରଚିଥିବା ସଞ୍ଜୟର ୩ ସ୍ତ୍ରୀ ତା’ର ଅମାନୁଷିକ ବ୍ୟବହାର ପାଇଁ ଛାଡ଼ି ଚାଲିଯାଇଛନ୍ତି । ଆଉ ଜଣଙ୍କର କ୍ୟାନ୍ସର ଯୋଗୁ ମୃତ୍ୟୁ ଘଟିଛି ।
ଆର୍ଜି କର ହସ୍ପିଟାଏ ଆଣ୍ଡ କଲେଜର ଇତିହାସ ଉପରେ ଯଦି ଆମେ ନଜର ପକାଇବା, ତେବେ ୨୦୨୦ରେ ଏମର୍ଜେନ୍ସି ବିଲ୍ଡିଂରେ ଜଣେ ପିଜି ଡାକ୍ତରୀ ଛାତ୍ରୀଙ୍କ ମୃତ ଦେହ ମିଳିଥିଲା। ପୋଲିସ ଏବଂ ଡାକ୍ତରଖାନା କର୍ତ୍ତୃପକ୍ଷ ଛାତ୍ରୀଙ୍କ ମୃତ୍ୟୁକୁ ଆତ୍ମହତ୍ୟା କହିଥିବାବେଳେ ଘଟଣାସ୍ଥଳରୁ କୌଣସି ସୁଇସାଇଡ୍ ନୋଟ୍ ମିଳି ନ ଥିଲ । ସେ ସମୟରେ କୋଭିଡ୍ ନେଇ ଲୋକ ଆତଙ୍କିତ ଥିବାବେଳେ ଘଟଣାର ଗୁରୁତ୍ୱ କମିଯାଇଥିଲା ଏବଂ ଏହାକୁ ନେଇ ସେତେ ହୋ-ହାଲା ହୋଇ ନ ଥିଲା। ସେହିପରି ୨୦୦୧ ଏବଂ ୨୦୦୩ରେ ଦୁଇଜଣ ଛାତ୍ରଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିଲା, ଯାହାକୁ କଲେଜ କର୍ତ୍ତୃପକ୍ଷ ଆତ୍ମହତ୍ୟା ବୋଲି କହିଥିଲେ । ସେ ଘଟଣା ସବୁର ସତ୍ୟାସତ୍ୟ ଏବେବି ଅଜଣା। ବଳାତ୍କାର ହାର ବୃଦ୍ଧି ଯୋଗୁ ଦକ୍ଷିଣ ଆଫ୍ରିକା, ଭାରତ ଆଦି ଦେଶ ମହିଳାଙ୍କ ପାଇଁ ଆଦୌ ସୁରକ୍ଷିତ ନୁହେଁ। ୱାର୍ଲ୍ଡ ପପୁଲେଶନ୍ ରିଭ୍ୟୁ ମୁତାବକ ବିଶ୍ୱରେ ସର୍ବାଧିକ ଦୁଷ୍କର୍ମ ହେଉଥିବା ଦେଶ ଭିତରୁ ଭାରତ ୪ର୍ଥ ସ୍ଥାନରେ ରହିଛି। ଯେଉଁଠାରେ, ୨୦୨୧ ସୁଦ୍ଧା ଦେଶରେ ୨୦% ବଳାତ୍କାର ହାର ବୃଦ୍ଧି ପାଇଛି।ଭାରତର ନ୍ୟାଶନାଲ କ୍ରାଇମ୍ ବ୍ୟୁରୋ ତଥ୍ୟ ଅନୁସାରେ, ପ୍ରତ୍ୟେକ ଦିନ ୯୦ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି । ଯେଉଁଥିରୁ ୭୭% ମହିଳା ଏ ସମ୍ପର୍କରେ ଅଭିଯୋଗ କରୁ ନାହାନ୍ତି ।ଯେତେବେଳେ ରକ୍ଷକ ଭକ୍ଷକ ସାଜିଯାଏ, ସେତେବେଳେ ନ୍ୟାୟ ପାଇବାର ଆଶା ମଉଳିଯାଏ । ଅଭୟାଙ୍କୁ ବଳାତ୍କାର ଓ ହତ୍ୟା ମାମଲାରୁ ତ ଏୟା ହିଁ ସ୍ପଷ୍ଟ ହେଉଛି । ରାତି ଡ୍ୟୁଟିରୁ କିଛି ସମୟ ବିରତି ନେବା ଯୋଗୁ ଅଭୟାଙ୍କ ଜୀବନ ଚାଲିଯିବ ହୁଏତ ସେ ନିଜେ କେବେ କଳ୍ପନା କରି ନ ଥିବେ।୩୧ ବର୍ଷୀୟା ଜୁନିୟର୍ ଡାକ୍ତରଙ୍କୁ ନ୍ୟାୟ ଦେବା ପାଇଁ ସାରା ଦେଶ ଏବେ ଏକଜୁଟ ହୋଇଛି । ନ୍ୟାୟ ଦାବୀରେ ଡାକ୍ତର ଏବଂ ଛାତ୍ରଛାତ୍ରୀ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରୁଛନ୍ତି।
ଅଭୟାଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲରେ ଗିରଫ ଅଭିଯୁକ୍ତ ସଞ୍ଜୟ ରାୟଙ୍କର ପଲିଗ୍ରାଫ୍ ଟେଷ୍ଟ ହେବ ବୋଲି କୋଲକାତା ହାଇକୋର୍ଟ ଅନୁମତି ଦେଇଛନ୍ତି ।ଘଟଣାକୁ ନେଇ ସୁପ୍ରିମ କୋର୍ଟ ଉଦ୍ବେଗ ପ୍ରକାଶ କରିବା ସହ ଡାକ୍ତରଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଟାସ୍କ ଫୋର୍ସ ଗଠନ କରିଛନ୍ତି। କେବେ ମିଳିବ ମହିଳାଙ୍କୁ ସମ୍ମାନ, ସୁରକ୍ଷା ଆଉ ନ୍ୟାୟ? ଯାହା ବର୍ତ୍ତମାନ ସମୟର ବଡ଼ ପ୍ରଶ୍ନ।