ଓଡ଼ିଆ ଅସ୍ମିତାକୁ ପ୍ରସଙ୍ଗ କରି ରାଜ୍ୟରେ ସରକାର ଗଢ଼ିଛି BJP। BJD ସରକାରରେ ଅଣଓଡ଼ିଆଙ୍କ ରାଜ୍ ଚାଲୁଥିବା ଅଭିଯୋଗ କରୁଥିବା BJP ଏବେ ଅଣଓଡ଼ିଆ ଅଫିସରଙ୍କୁ ପ୍ରମୋଟ୍ କରୁଛି। ଓଡ଼ିଶାର ମୁଖ୍ୟ ଶାସନ ସଚିବ ପଦରେ ଅଣଓଡ଼ିଆ ଅଫିସର ମନୋଜ ଆହୁଜାଙ୍କୁ ନିଯୁକ୍ତି ମିଳିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ୪୧ବର୍ଷ ପରେ ଜଣେ ଅଣଓଡ଼ିଆଙ୍କୁ ମୁଖ୍ୟ ଶାସନ ସଚିବ କରାଇ, BJPର ଓଡ଼ିଆ ଅସ୍ମିତା ସ୍ଲୋଗାନକୁ ଭଣ୍ଡୁର କଲେ। ଏବେ ପୁଣି ପୋଲିସ ମହାନିର୍ଦ୍ଦେଶକ ଭଳି ଗୁରୁତ୍ୱପୂର୍ଣ୍ଣ ପଦରେ ବସିଲେ ହରିୟାନର ମୂଳବାସୀନ୍ଦା ୱାଇ.ବି. ଖୁରାନିଆ। ଯାହାକୁ ନେଇ ବର୍ଷିଛନ୍ତି ବିରୋଧି ଦଳ। କେବଳ BJD କାହିଁକି ଅନେକ ଓଡ଼ିଶାବାସୀ BJPର ଓଡ଼ିଆ ଅସ୍ମିତାକୁ ନେଇ ତାତ୍ସଲ୍ୟ କଲେଣି। ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପସନ୍ଦ ଓଡ଼ିଆ ଅଫିସର। କିନ୍ତୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଫେଭାରାଇଟ୍ ଅଣଓଡ଼ିଆ ବାବୁ।
RBIର ଗଭର୍ଣ୍ଣର ଭାବେ ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ ଏବଂ CAG ଭାବେ ଗିରିଶ ମୁର୍ମୁଙ୍କୁ ନିଯୁକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏପରିକି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ ମିଶ୍ର ବି ଓଡ଼ିଆ। ସେହିଭଳି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। ଓଡ଼ିଶାର ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରାଇବାରେ ମୋଦିଙ୍କ ଅବଦାନ ଅତୁଳନୀୟ। କିନ୍ତୁ ମୁଖ୍ୟମନ୍ତ୍ରୀ ଭରସା କରୁଛନ୍ତି ଅଣଓଡ଼ିଆ ଅଫିସର ମାନଙ୍କୁ।
ଓଡ଼ିଶା କ୍ୟାଡରର IPS ଅଫିସରଙ୍କ ଲିଷ୍ଟ ଉପରେ ନଜର ପକାନ୍ତୁ। ବରିଷ୍ଠତା ଲିଷ୍ଟର ଶୀର୍ଷରେ ଥିବା ୬ IPS ଅଫିସରଙ୍କ ମଧ୍ୟରୁ ୪ଜଣ ଅଣଓଡ଼ିଆ ଥିଲାବେଳେ ୨ଜଣ ଓଡ଼ିଆ ଅଛନ୍ତି। ବରିଷ୍ଠତା ଲିଷ୍ଟର ଶୀର୍ଷରେ ଥିବା ୧୯୮୮ ବ୍ୟାଚର ଅରୁଣ ରାୟ କୋଲକାତାର ମୂଳନିବାସୀ ହୋଇଥିବା ବେଳେ ୧୯୮୯ ବ୍ୟାଚର ଏ.ଏମ୍ ପ୍ରସାଦ ବିହାରର ଏବଂ ସେହି ବ୍ୟାଚର ଏସ୍.ଏମ୍ ନର୍ଭଣେ ମହାରାଷ୍ଟ୍ରର। କିନ୍ତୁ ଓଡ଼ିଶା ସରକାର ୩ଜଣ ସିନିୟରଙ୍କୁ ବାଦ୍ ଦେଇ ୧୯୯୦ ବ୍ୟାଚର ୱାଇ.ବି. ଖୁରାନିଆଙ୍କୁ ପୋଲିସ DGP ଭାବେ ନିଯୁକ୍ତି କରିଛନ୍ତି। ଯଦି ସିନିୟରିଟିକୁ ପଛରେ ପକେଇ ୧୯୯୦ ବ୍ୟାଚରୁ DGP ବଛାଗଲା ତାହେଲେ ସେହି ବ୍ୟାଚର ୨ ଓଡ଼ିଆ IPS ଅଫିସର ସୁଧାଂଶୁ ଷଡଙ୍ଗୀ ଓ ଅରୁଣ ଷଡଙ୍ଗୀଙ୍କ କଥା BJP ସରକାର ଚିନ୍ତା କଲା ନାହିଁ କାହିଁକି?
ବୟସ ଦୃଷ୍ଟିରୁ ଅରୁଣ ଷଡଙ୍ଗୀ ତ ଖୁରାନିଆଙ୍କଠୁ ବି ବର୍ଷେ ବଡ଼ ଏବଂ ଅଭିଜ୍ଞତା ଦୃଷ୍ଟିରୁ ବିଚାର କଲେ ମଧ୍ୟବର୍ତ୍ତୀ କାଳୀନ DGP ଭାବେ ୭ମାସ ଦାୟିତ୍ୱରେ ଥିଲେ ଅରୁଣ ଷଡ଼ଙ୍ଗୀ। ଆଉ ଯଦି ବୟସ ଦୃଷ୍ଟିରୁ ୟଙ୍ଗ୍ IPS ଅଫିସର ଭାବେ ଦେଖିବାର ଥିଲା ତେବେ ସୁଧାଂଶୁ ଷଡ଼ଙ୍ଗୀ, ଖୁରାନିଆଙ୍କ ଠାରୁ ୨ବର୍ଷ ସାନ। ଖୁରାନିଆଙ୍କ ଡେଟ୍ ଅଫ୍ ବାର୍ଥ ୯ ମାର୍ଚ୍ଚ, ୧୯୬୬ ଓ ସୁଧାଂଶୁ ଷଡ଼ଙ୍ଗୀଙ୍କ ଡେଟ୍ ଅଫ ବାର୍ଥ ୧୩ ଜୁଲାଇ, ୧୯୬୮ ମସିହା। ସୁଧାଂଶୁ ଷଡ଼ଙ୍ଗୀ ମଧ୍ୟ ଚାକିରୀ କ୍ଷେତ୍ରରେ ଅନେକ ରେକର୍ଡ କରିଛନ୍ତି। ଫାୟାର୍ ସର୍ଭିସର ଡିଜି ଥିବା ସୁଧାଂଶୁ ଷଡ଼ଙ୍ଗୀ, ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ବଳାତ୍କାର ମାମଲାରେ ମୁଖ୍ୟ ଅଭିଯୁକ୍ତ ବିବନ୍ ବିଶ୍ୱାଳକୁ ଆରେଷ୍ଟ କରିବାରେ ସଫଳ ହୋଇଛନ୍ତି।
ଯଦି ୧୯୯୦ ବ୍ୟାଚକୁ ଓଡ଼ିଶା ସରକାର ମାନଦଣ୍ଡ ଭାବେ ବାଛିଲେ ତାହେଲେ ୨ଓଡ଼ିଆ ଅଫିସର ଏଥିରୁ କାହିଁକି ବଞ୍ଚିତ କଲେ? ଅରୁଣ ଷଡଙ୍ଗୀ ଓ ସୁଧାଂଶୁ ଷଡ଼ଙ୍ଗୀଙ୍କୁ ପୋଲିସ ମହାନିର୍ଦ୍ଦେଶକ ପଦରୁ ବଞ୍ଚିତ କରି BJP ସରକାର ଏକଥା ଜଣାଇ ଦେଲେ ଯେ ଓଡ଼ିଆ ଅସ୍ମିତା ଏକ ରାଜନୈତିକ ପ୍ରସଙ୍ଗ ଥିଲା।
ଏ ଷ୍ଟୋରୀକୁ ଲେଖିଛନ୍ତି-ବିଜୟ କେତନ ବରାଳ