- ଯାଜପୁର ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡିଙ୍କ ଆଚରଣକୁ ନେଇ ଅସନ୍ତୁଷ୍ଟ ବିଜେପି ବିଧାୟକ,
- ବେପରୁଆ କାର୍ଯ୍ୟକଳାପ ପାଇଁ ବିରକ୍ତ ହୋଇଛନ୍ତି, ବିଧାୟକ ଅମର ନାୟକ,
- ବ୍ୟବସ୍ଥା ବଦଳିଛି, ମାନସିକତା ବଦଳାଇବାକୁ ଜିଲ୍ଲାପାଳଙ୍କୁ ଚେତାବନୀ ଦେଇଛନ୍ତି ବିଧାୟକ
ଜନମତ ବିଜେପି ସପକ୍ଷରେ ଆସିଛି। ଓଡ଼ିଶାରେ ସରକାର ଗଢିଛି, ଭାରତୀୟ ଜନତା ପାର୍ଟି। କିନ୍ତୁ ବିଜୁ ଜନତା ଦଳ ସରକାରର ମାନସିକତାରୁ ବାହାରି ପାରୁ ନାହାନ୍ତି କିଛି ଅଫିସର।ଅଫିସର ରାଜର ଅଧ୍ୟାୟ ସରିଥିଲେ ମଧ୍ୟ ଏହାକୁ ଗ୍ରହଣ କରିପାରୁ ନାହାନ୍ତି, BJDର ବୋଲକରା ଅଫିସର ମାନେ। ସେଥିପାଇଁ ବ୍ୟବସ୍ଥାକୁ ସରକାରୀ ଢାଞ୍ଚାରେ ପକାଇବାକୁ ତାଗିଦ୍ କରି ବିଧାୟକ ଅମର ନାୟକ କହିଛନ୍ତି, ପ୍ରଶାସନିକ ବ୍ୟବସ୍ଥାରେ ବିଜେଡି ମାନସିକତା ଚଳିବ ନାହିଁ।
ଘଟଣାଟି ଥିଲା ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମର। ଏହି ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଜପୁର ଟାଉନରେ ପହଞ୍ଚିଥିଲେ ବଡ଼ଚଣା ବିଧାୟକ ଅମର ନାୟକ ଓ ଯାଜପୁର ସାଂସଦ ରବିନ୍ଦ୍ର ବେହେରା। କାର୍ଯ୍ୟକ୍ରମ ପୂର୍ବରୁ ଯାଜପୁର ସର୍କିଟ ହାଉସରେ ସାଂସଦ ଓ ବିଧାୟକ ଉପସ୍ଥିତରେ ଚାଲିଥିଲା ଆଲୋଚନା। ସେହି ସମୟରେ ସର୍କିଟି ହାଉସରେ ଉପସ୍ଥିତ ଥିଲେ ଯାଜପୁରକୁ ନୂଆ କରି ଆସିଥିବା ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ। କିନ୍ତୁ ବେପରୁଆ ଜିଲ୍ଲାପାଳ ମହାଶୟା, କାହାକୁ କିଛି ନ ଜଣାଇ ସାଙ୍ଗରେ ଏସପିଙ୍କୁ ନେଇ ସର୍କିଟି ହାଉସ୍ ଛାଡି ଚାଲି ଯାଇଥିଲେ।
ବିଧି ବ୍ୟବସ୍ଥା ଅନୁସାରେ ସରକାରୀ କାର୍ଯ୍ୟକ୍ରମ ଆୟୋଜନ ବେଳେ ଜିଲ୍ଲାପାଳ ଅବା ସରକାରୀ ଅଧିକାରୀ ହୁଅନ୍ତୁ, ଯିଏ କେହି ନିର୍ବାଚିତ ଜନପ୍ରତିନିଧିଙ୍କୁ ସସମ୍ମାନେ ପାଛୋଟି ନେବା କଥା। କିନ୍ତୁ ଯାଜପୁର ଜିଲ୍ଲାପାଳ ମହାଶୟା, ବୁକ୍ ସର୍କୁଲାର 47ର ଅବଜ୍ଞା କରି ସେଠାରୁ ଚାଲି ଯାଇଥିଲେ। ସବୁ ନିୟମକୁ ଫୁ କଲେ। ନା’ କାହାକୁ ସୂଚନା ଦେଲେ ନା’ କାହାକୁ ପାଛୋଟି ନେଲେ। ଏସପିଙ୍କୁ ସାଙ୍ଗରେ ଧରି ଜିଲ୍ଲାପାଳ ଚାଲିଗଲେ କାର୍ଯ୍ୟକ୍ରମ ସ୍ଥଳିକୁ।
ପରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ହେଉଥିବା ସ୍ଥାନରେ ପହଞ୍ଚି, ଜିଲ୍ଲାପାଳଙ୍କୁ ବୁକ୍ ସର୍କୁଲାର 47ର ପାଠ ପଢାଇଲେ ବିଧାୟକ ଅମର ନାୟକ। ପି ଅନ୍ୱେଷାଙ୍କ କଳଙ୍କିତ ଟ୍ରାକ୍ ରେକର୍ଡ ମନେ ପକେଇ ଏକଥା ବି କହିଥିଲେ କି “ଇଏ ଯାଜପୁର ଜିଲ୍ଲା, କଳାହାଣ୍ଡି ନୁହେଁ ଯେ ତୁମେ ବିଜେଡି ମାନସିକତା ଦେଖାଇ ଅଫିସର ରାଜ୍ ଚଲେଇବ”।
ଏହି ପ୍ରସଙ୍ଗରେ ଆମେ ଆପଣମାନଙ୍କୁ ମନେ ପକାଇ ଦେଉଛୁ ଯେ ଯାଜପୁରକୁ ନୂଆ କରି ଜିଲ୍ଲାପାଳ ହୋଇ ଆସିଥିବା ପି ଅନ୍ୱେଷା ରେଡ୍ଡୀଙ୍କର ଡିହାଳିଆ ମନୋଭାବର ରେକର୍ଡ ରହିଛି। ବିଜୁ ଜନତା ଦଳର ଗୁମାସ୍ତା ସାଜିଥିବା ଭୈରବ କାର୍ତ୍ତିକେୟନ୍ ପାଣ୍ଡିଆନଙ୍କର ଖାସ୍ ଲୋକ ସାଜି ଅତୀତରେ ଜନ ପ୍ରତିନିଧିଙ୍କୁ ବହୁବାର ଅସମ୍ମାନିତ କରିଛନ୍ତି ପି.ଅନ୍ୱେଷା। କଳାହାଣ୍ଡିର ସାଂସଦ ବସନ୍ତ ପଣ୍ଡାଙ୍କ ଠାରୁ ଦାବି ପତ୍ର ଗ୍ରହଣ ବେଳେ ନିଜ ଚେୟାରରେ ବସି ରହୁଥିଲେ ପି ଅନ୍ୱେଷା। ଯାହା ଥିଲା ଜଣେ ନିର୍ବାଚିତ ସାଂସଦଙ୍କ ପ୍ରତି ଭରପୁର ଅସମ୍ମାନ। ଏପିରିକି କଳାହାଣ୍ଡି ବିଧାୟକ ମାନଙ୍କୁ ଦେଖା ଦେଉନଥିଲେ ପି. ଅନ୍ୱେଷା। ବଡଚଣା ବିଧାୟକ ଏସବୁ ଅନ୍ୱେଷାଙ୍କୁ ମନେ ପକାଇବା ସହ ଏହା ନ ଦୋହରାଇବାକୁ ଚେତାବନୀ ଦେଇଛନ୍ତି।
ସେହିଭଳି ଜନ ପ୍ରତିନିଧିଙ୍କ ଭାଷଣ ସମୟରେ ମାଇକ୍ ବନ୍ଦ ହେବା ଘୃଣ୍ୟ ଘଟଣା ସଂଗଠିତ ହେଉଛି ଅନ୍ୱେଷାଙ୍କ ସମୟରେ। ଯାଜପୁର ଟାଉନରେ ବିଧାୟକ ଅମର ନାୟକଙ୍କ ସହ ଠିକ୍ ଏଭଳି ଘଟିଲା। ଯାହାକୁ ନେଇ ପ୍ରବଳ ମାତ୍ରାରେ ଅସନ୍ତୁଷ୍ଟ ହେବା ସହ ଆଗାମୀ ଦିନରେ ଏପରି ଦୁଃସାହସ ନ କରିବାକୁ କଡ଼ା ଚେତାବନୀ ଦେଇଛନ୍ତି ବିଧାୟକ ଅମର ନାୟକ।